ଭୁବନେଶ୍ୱର : ସରକାରୀ ଚାକିରିରେ ନିରବଚ୍ଛିନ୍ନ ଭାବେ ୩୦ବର୍ଷ ଧରି କାମ କରିଥିଲେ ଜଣେ କର୍ମଚାରୀଙ୍କୁ ତୃତୀୟ ଆରଏସିପି ମିଳିବା କଥା । ଅର୍ଥ ବିଭାଗ ଏ ସଂକ୍ରାନ୍ତରେ ସ୍ପଷ୍ଟ ମାର୍ଗ ନିର୍ଦ୍ଦେଶିକା ଜାରି କରିଥିଲେ ମଧ୍ୟ ଆଇନ୍ ଅଦାଲତରୁ ଅନୁକୂଳ ନିର୍ଦ୍ଦେଶ ଆଣୁନଥିବା କର୍ମଚାରୀଙ୍କୁ କିନ୍ତୁ ଆରଏସିପି ମିଳୁନାହିଁ ।
ଏଥିଲାଗି ବାରମ୍ବାର ଆଇନ୍ ଅଦାଲତ ବିରକ୍ତି ପ୍ରକାଶ କରୁଥିଲେ ମଧ୍ୟ ବହୁ ବିଭାଗରେ କର୍ମଚାରୀମାନଙ୍କୁ ମାମଲା ରୁଜୁ କରିବାଲାଗି ଏକ ପ୍ରକାର ବାଧ୍ୟ କରାଯାଉଛି । ଏଥିଯୋଗୁଁ ଏବେ ହାଇକୋର୍ଟ ଉପରେ ମାମଲାର ଚାପା ମଧ୍ୟ ବଢୁଛି ।
ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ବିଜ୍ଞପ୍ତି ଅନୁଯାୟୀ ୨୦୧୩ ଜାନୁୟାରୀ ପହିଲା ତାରିଖ ପୂର୍ବରୁ ଯେଉଁ କର୍ମଚାରୀମାନେ ୩୦ବର୍ଷ ନିୟମିତ ଓ ନିରବଚ୍ଛିନ୍ନ ଚାକିରିରେ ଅଛନ୍ତି ସେମାନେ ତୃତୀୟ ଆରଏସିପି ଆଧାରରେ ବର୍ଦ୍ଧିତ ଗ୍ରେଡ୍ ପେ ପାଇବାକୁ ହକଦାର । ୨୦୧୪ ମସିହାରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ଏହି ବିଜ୍ଞପ୍ତି ଆଧାରରେ କର୍ମଚାରୀମାନଙ୍କୁ ଆର୍ଥିକ ଫାଇଦା ଦିଆନଯିବାରୁ ଅନେକ କର୍ମଚାରୀ ସ୍ୟାଟ୍ରେ ମାମଲା ରୁଜୁ କରିଥିଲେ । ବିଶେଷକରି ନିର୍ମଳଚନ୍ଦ୍ର ସ୍ୱାଇଁ ନାମକ ଜଣେ ଯନ୍ତ୍ରୀଙ୍କ ମାମଲା ଉପରେ ଦୀର୍ଘ ଶୁଣାଣି କରି ୨୦୧୮ମସିହାରେ ସ୍ୟାଟ୍ ଏକ ବିସ୍ତୃତ ରାୟ ଦେଇ ସମ୍ପୃକ୍ତ ଯନ୍ତ୍ରୀ ତୃତୀୟ ଆରଏସିପି ପାଇଁ ହକଦାର ବୋଲି ମତବ୍ୟକ୍ତ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତାଙ୍କୁ ବର୍ଦ୍ଧିତ ହାରରେ ଗ୍ରେଡ୍ ପେ ଦେବାଲାଗି ନିର୍ଦ୍ଦେଶ ଦେଇଥିଲେ ଏବଂ ରାଜ୍ୟ ସରକାର ମଧ୍ୟ ତାହା କାର୍ଯ୍ୟକାରୀ କରିଥିଲେ ।
ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ ବିହାରୀଲାଲ ବାରିକଙ୍କ ସମେତ ୨୧ଜଣଙ୍କ ପକ୍ଷରୁ ରୁଜୁ ହୋଇଥିବା ପୃଥକ ପୃଥକ ମାମଲାର ଏକତ୍ର ଶୁଣାଣି କରି ସ୍ୟାଟ୍ ୧୬ପୃଷ୍ଠାର ଏକ ଦୀର୍ଘ ରାୟ ପ୍ରକାଶ କରି ସମ୍ପୃକ୍ତ କର୍ମଚାରୀମାନଙ୍କୁ ବର୍ଦ୍ଧିତ ହାରରେ ଗ୍ରେଡ୍ ପେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟ ବିରୁଦ୍ଧରେ ରାଜ୍ୟ ସରକାର ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ହାରିଥିଲେ ଏବଂ ଅଦାଲତ ଅବମାନନା ଭୟରେ ଏହି ରାୟକୁ କାର୍ଯ୍ୟକାରୀ କରିଥିଲେ ।
ତେବେ ଆଉ କେତେକ କ୍ଷେତ୍ରରେ କେବଳ ଯେଉଁ କର୍ମଚାରୀମାନଙ୍କ ସପକ୍ଷରେ ଅଦାଲତର ନିର୍ଦ୍ଦେଶ ରହିଛି ସେହିମାନଙ୍କୁ ହିଁ ବର୍ଦ୍ଧିତ ହାରରେ ଗ୍ରେଡ୍ ପେ ଦିଆଯିବ ଏବଂ ଅନ୍ୟମାନଙ୍କୁ ଏହା ଦିଆଯାଇ ପାରିବନାହିଁ ବୋଲି କେତେକ ବିଭାଗ ମନଇଚ୍ଛା କାର୍ଯ୍ୟ ଚଳାଇବା ପରିପ୍ରେକ୍ଷୀରେ ବିଜୟ କୁମାର ପରିଡା ନାମକ ଜଣେ କର୍ମଚାରୀ ଏ ସଂକ୍ରାନ୍ତରେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ସରକାରୀ କର୍ତ୍ତୃପକ୍ଷଙ୍କ ଏଭଳି ମନୋଭାବରେ ହାଇକୋର୍ଟ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନହୁଏ ସେ ସଂକ୍ରାନ୍ତରେ ଚେତାଇଦେବା ସଂଗେ ସଂଗେ ସମ୍ପୃକ୍ତ କର୍ମଚାରୀଙ୍କୁ ୬୬୦୦ ଟଙ୍କା ହାରେ ଗ୍ରେଡ୍ ପେ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ବିଭିନ୍ନ ବିଭାଗକୁ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ଯେ ଆଇନ୍ ଅଦାଲତଙ୍କ ନିର୍ଦ୍ଦେଶ ନଥିଲେ ବି ଯେଉଁମାନେ ଆରଏସିପି ପାଇଁ ହକଦାର ସେମାନଙ୍କୁ ତୁରନ୍ତ ଏହା ପଇଠ କରାଯାଉ । ଏହି ସ୍ପଷ୍ଟିକରଣ ଆଧାରରେ ଇତି ମଧ୍ୟରେ ନିର୍ମାଣ ବିଭାଗ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯେଉଁ କ୍ଷେତ୍ରରେ ଆରଏସିପି ପାଇଁ ଅଦାଲତଙ୍କର ନିର୍ଦ୍ଦେଶ ରହିଛି ତାହାର କାର୍ଯ୍ୟକାରିତାର ରିପୋର୍ଟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହିତ ବିହାରୀଲାଲ ବାରିକ ମାମଲା ଆଧାରରେ ଅନ୍ୟ ସବୁ କ୍ଷେତ୍ରରେ ମଧ୍ୟ କର୍ମଚାରୀମାନଙ୍କୁ ସେମାନଙ୍କ ଆରଏସିପି ପ୍ରଦାନ କରାଯିବା ଆବଶ୍ୟକ । ଏହା ସତ୍ୱେ ବି ତଳ ସ୍ତରରେ ସ୍ୱଚ୍ଛତା ରହୁନଥିବାରୁ ବର୍ଦ୍ଧିତ ଗ୍ରେଡ୍ ପେ ନପାଇଅନେକ କର୍ମଚାରୀ କମ୍ ବେତନରେ ଅବସର ଗ୍ରହଣ କରୁଛନ୍ତି । ଏ ପ୍ରସଙ୍ଗରେ ନିକଟରେ ପ୍ରଭାତ କୁମାର ମହାପାତ୍ର ନାମକ ଜଣେ ଅବସରପ୍ରାପ୍ତ କର୍ମଚାରୀ ଇଆଇସିଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ମାଗିଛନ୍ତି । (ତଥ୍ୟ)