Home Administration ଅଦାଲତ ଅବମାନନା ପାଇଁ କାର୍ଯ୍ୟାନୁଷ୍ଠାନ ହେଉ

ଅଦାଲତ ଅବମାନନା ପାଇଁ କାର୍ଯ୍ୟାନୁଷ୍ଠାନ ହେଉ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ନିର୍ଦ୍ଦେଶକୁ ପ୍ରତିପାଳନ କରିବାରେ ବିଳମ୍ବ ଘଟାଉଥିବା ସରକାରୀ କର୍ମଚାରୀଙ୍କ ବେତନ ବନ୍ଦ କରାଯିବା ଭଳି ଆଇନ୍‍ ଅଦାଲତ ନିର୍ଦ୍ଦେଶକୁ ଠିକଣା ଭାବେ ଅନୁପାଳନ କରୁନଥିବା ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାପାଇଁ ଅଭିଜ୍ଞ ଆଇନ୍‍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହେବାପରେ ଏଯାବତ୍‍ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଭିଯୋଗ ପ୍ରକୋଷ୍ଠରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ୯ଥର ଜନଶୁଣାଣି କରିସାରିଲେଣି । ତାଙ୍କ ନିକଟରେ ଦରଜ ହୋଇଥିବା ଅଭିଯୋଗଗୁଡିକ ମଧ୍ୟରୁ ୮୪ ପ୍ରତିଶତ ଫଏସଲା ହୋଇସାରିଥିବା ସରକାର କହୁଛନ୍ତି । ତେବେ କେତେକ କ୍ଷେତ୍ରରେ ଜନଶୁଣାଣିରେ ଆସୁଥିବା ଅଭିଯୋଗଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ଘଟୁଛି ।

ଏହି ସମସ୍ୟାର ସମାଧାନ କରିବାପାଇଁ କେତେକ ଓଏଏସ୍‍ ଅଫିସରଙ୍କ ସମେତ କଟକ ଜିଲ୍ଲାର ୪୯ଜଣ ଅଧିକାରୀଙ୍କ ବେତନ ବନ୍ଦ କରିବାକୁ କୁହାଯାଇଥିଲା । ପରବର୍ତ୍ତୀ ସମୟରେ କେତେଜଣ ଅଧିକାରୀ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଥିବାରୁ ଏବେ ୨୮ଜଣଙ୍କ ଦରମା ବନ୍ଦ କରାଯାଇଛି ।

ଆଇନ୍‍ଜୀବୀମାନେ କହୁଛନ୍ତି ଯେ ଓଡିଶା ହାଇକୋର୍ଟରେ ଏବେ ପ୍ରାୟ ୧୧ହଜାର ଅଦାଲତ ଅବମାନନା ମାମଲା ପଡି ରହିଛି । ଏଥିରୁ ଅଧିକାଂଶରେ ସରକାରୀ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ ପକ୍ଷଭୁକ୍ତ କରାଯାଇଛି । ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶ ସୀମିତ ସମୟ ମଧ୍ୟରେ ଅନୁପାଳନ କରାଯାଉନଥିବା କିମ୍ବା ଏହା ବିରୁଦ୍ଧରେ ନିର୍ଦ୍ଧାରିତ ସମୟସୀମା ଭିତରେ ଉପର ଅଦାଲତରେ ମାମଲା ରୁଜୁ କରାଯାଉନଥିବାରୁ ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଅନେକ କ୍ଷେତ୍ରରେ ଠିକଣା ସମୟରେ ବିଭାଗୀୟ କର୍ତ୍ତୃପକ୍ଷ ଆଇନ୍‍ ଅଦାଲତରେ ତଥ୍ୟ ଦାଖଲ କରୁନାହାନ୍ତି କି ସତ୍ୟପାଠ ସହ ଜବାବ ମଧ୍ୟ ଦେଉନାହାନ୍ତି । ଏ ସଂକ୍ରାନ୍ତରେ ବାରମ୍ବାର ଆଇନ୍‍ ଅଦାଲତ ଅସନ୍ତୋଷ ବ୍ୟକ୍ତକରି ଆସୁଛନ୍ତି । ଏମିତିକି ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟ ବିଚାରପତି ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ପରେ ବିଭିନ୍ନ ଦପ୍ତରରେ ମାମଲାଗୁଡିକ ସଂକ୍ରାନ୍ତରେ ସମୀକ୍ଷା ବୈଠକମାନ ହେଉଛି । କେତେକ କ୍ଷେତ୍ରରେ ସାଧାରଣ ପ୍ରଶାସନ ବିଭାଗ ରାୟର ଅନୁପାଳନ ପାଇଁ ଜିଲ୍ଲା ଦପ୍ତରକୁ ଚିଠି ଲେଖିଲେ ବି ଉଭୟ ସରକାରଙ୍କ ନିର୍ଦ୍ଦେଶ ଓ ଅଦାଲତଙ୍କ ରାୟକୁ ଅଣଦେଖାକରି ଜିଲ୍ଲା କର୍ତ୍ତୃପକ୍ଷ ଅନ୍ୟ ବିଭାଗକୁ ଚିଠି ଲେଖି ଚୁପ୍‍ଚାପ୍‍ ବସି ପଡୁଛନ୍ତି । ଫଳରେ ହାଇକୋର୍ଟରେ ନିର୍ଦ୍ଦେଶ ମୁତାବକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ବର୍ଷାଧିକ ସମୟ ଗଡିଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ନିର୍ଦ୍ଦେଶ ଅନୁପାଳନରେ ବିଳମ୍ବ କରୁଥିବା ଅଧିକାରୀମାନଙ୍କର ଯେଭଳି ସରକାର ବେତନ ବନ୍ଦ କରୁଛନ୍ତି ସେହିଭଳି ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶକୁ ଅଣଦେଖା କରୁଥିବା ଅଧିକାରୀମାନଙ୍କ ବେତନ ବନ୍ଦ ସହିତ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଅଦାଲତ ଅବମାନନା ସମେତ ଅନ୍ୟ ମାମଲାର ବୋଝ ହ୍ରାସ ପାଇପାରନ୍ତା ବୋଲି ମତପ୍ରକାଶ ପାଉଛି । (ତଥ୍ୟ)