Home Finance ଅତିରିକ୍ତ ବଜେଟ୍‍ ପ୍ରସ୍ତୁତି ଜୋରଦାର

ଅତିରିକ୍ତ ବଜେଟ୍‍ ପ୍ରସ୍ତୁତି ଜୋରଦାର

ଆସନ୍ତା ୨୦ତାରିଖରେ ଓଡିଶା ବିଧାନସଭାରେ ଅତିରିକ୍ତ ବଜେଟ୍‍ ଉପସ୍ଥାପନ ହେବାକୁ ଯାଉଥିବାରୁ ଅଗ୍ରାଧିକାର ଭିତ୍ତିରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି । ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକୁ ଜୋରଦାର କରିଛନ୍ତି ।

ତେବେ କୋଭିଡ ମହାମାରୀ ଏ କ୍ଷେତ୍ରରେ ଏକ ଆହ୍ୱାନ ହୋଇଛି । ଚଳିତବର୍ଷ ମାର୍ଚ୍ଚ ୨୦ ତାରିଖରୁ ରାଜ୍ୟ ସରକାର କୋଭିଡ ସହ ଲଢୁଥିବାବେଳେ ଆହୁରି କିଛିଦିନ ଏହା ଜାରି ରହିବ । ରାଜ୍ୟ ସରକାର ଏବେ କୋଭିଡ ପରିଚାଳନା ସହିତ ଲୋକଙ୍କ ଜୀବନ ଜୀବିକାକୁ ଅଗ୍ରାଧିକାର ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ନିଜ ନିଜ ଆବଶ୍ୟକତା ଦର୍ଶାଇବାକୁ ସମସ୍ତ ସଚିବଙ୍କୁ କୁହାଯାଇଛି ।

ପବ୍ଲିକ ଫାଇନାନ୍ସସିଆଲ ମ୍ୟାନେଜମେଣ୍ଟ (ପିଏଫ୍‍ଏମ୍‍) ସଂସ୍କାରର ଅଂଶ ଭାବେ ରାଜ୍ୟ ସରକାର ୨୦୨୦-୨୧ ବର୍ଷର ବଜେଟ୍‍ ନୂତନ ଭାବେ ପ୍ରସ୍ତୁତ କରିଛନ୍ତି । ସେହି ଆଧାରରେ ଅତିରିକ୍ତ ବଜେଟ୍‍ ପ୍ରସ୍ତୁତ ହେବ । ସୂଚନା ଅନୁଯାୟୀ କୋଭିଡ ମହାମାରୀ ଯୋଗୁଁ ବିଶ୍ୱ ଅର୍ଥନୀତି ୨୦୨୦-୨୧ ବର୍ଷରେ -୪.୯ ପ୍ରତିଶତ ରହିବାର ଆକଳନ କରାଯାଉଥିବାବେଳେ ଚଳିବର୍ଷର ପ୍ରଥମାର୍ଦ୍ଧରେ ଏହାର ନକରାତ୍ମକ ପ୍ରଭାବ ପଡିବ । ତେବେ ୨୦୨୧ ବର୍ଷରେ ବିଶ୍ୱରେ ଅଭିବୃଦ୍ଧି ହାର ୫.୪ ପ୍ରତିଶତ ରହିବାର ଆକଳନ ହୋଇଛି । ଆଇଏମ୍‍ଏଫ୍‍ ମଧ୍ୟ ଭାରତର ଅର୍ଥନୀତି ୪.୫ ପ୍ରତିଶତ ବୃଦ୍ଧି ପାଇବା ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୬ ପ୍ରତିଶତକୁ ବୃଦ୍ଧି ପାଇପାରେ ବୋଲି କହିଛି ।

ତେବେ କୋଭିଡ ମହାମାରୀ ଯୋଗୁଁ ୨୦୨୦-୨୧ ବର୍ଷରେ ଓଡିଶାର ଅର୍ଥନୀତି ଏକ ରୁ ଦୁଇ ପ୍ରତିଶତ ସଙ୍କୁଚିତ ହେବାର ଆକଳନ କରାଯାଉଥିବାବେଳେ ୨୦୨୧-୨୨ ବର୍ଷରେ କିନ୍ତୁ ଏହା ୭ ପ୍ରତିଶତ ଅଭିବୃଦ୍ଧି ଆକଳନ ହୋଇଛି । ରାଜ୍ୟ ସରକାର ଏବେ ଉଭୟ ରାଜ୍ୟ ଓ ବ୍ୟକ୍ତିଗତ ସ୍ତରରେ ଅର୍ଥନୀତି ସୁଧାରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକ, ମିଶନଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠି ଏବଂ ଏମ୍‍ଏସ୍‍ଏମ୍‍ଇକୁ ସହାୟତା ଯୋଗାଇଦେବା ଉପରେ ଜୋର ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅତିରିକ୍ତ ବଜେଟ୍‍ ପ୍ରସ୍ତୁତ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।

ବିଭିନ୍ନ ବିଭାଗର ବ୍ୟୟକୁ ସମୀକ୍ଷା କରାଯିବା ସହିତ ସେହି ଆଧାରରେ ଅର୍ଥ ବରାଦ କରାଯିବ । କରୋନା ମହାମାରୀ ଯୋଗୁଁ ବହୁ ବିଭାଗର ବ୍ୟୟ ହ୍ରାସ ପାଇଛି । ଏପ୍ରିଲ୍‍ ରୁ ସେପ୍ଟେମ୍ବର ମଧ୍ୟରେ ପାଖାପାଖି ୪୩ହଜାର କୋଟି ଟଙ୍କା ବ୍ୟୟ ହୋଇଛି ଯାହାକି ପୂର୍ବବର୍ଷ ତୁଳନାରେ କମ୍‍ । ତେବେ ରାଜ୍ୟ ସରକାର ସ୍ଥାୟୀ ସମ୍ପତ୍ତି ଏବଂ ଭିତ୍ତିଭୂମି ଲାଗି ପୁଞ୍ଜି ବ୍ୟୟ ଉପରେ ଜୋର ଦେଉଛନ୍ତି । ଅନ୍ୟ ପକ୍ଷରେ ଅବଢା ଯୋଜନାରେ ପୁରୀ ଓ ଏକାମ୍ର କ୍ଷେତ୍ରର ବିକାଶ ଭଳି ପ୍ରକଳ୍ପକୁ ମଧ୍ୟ ଅତିରିକ୍ତ ବଜେଟ୍‍ରେ ଗୁରୁତ୍ୱ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି ।