Home General ଅତିରିକ୍ତ ବଜେଟକୁ ମନ୍ତ୍ରୀପରିଷଦର ମଂଜୁରୀ

ଅତିରିକ୍ତ ବଜେଟକୁ ମନ୍ତ୍ରୀପରିଷଦର ମଂଜୁରୀ

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଆଜି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟକୁ ମଂଜୁରୀ ମିଳିଛି। ଏଥର ରାଜ୍ୟ ସରକାର ପ୍ରାୟ ୧୩ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଆଣିବେ ବୋଲି ଆକଳନ କରାଯାଉଛି । ସୁଭଦ୍ରା, ପକ୍କାଘର, ମିଶନ ଶକ୍ତି, ଜଳସେଚନ, ସବୁ ଘରକୁ ବିଦ୍ୟୁତ ଯୋଗାଣ ଭଳି ଯୋଜନା ପାଇଁ ଅଧିକ ବ୍ୟୟବରାଦ କରାଯିବାର ସମ୍ଭାବନା ରହିଛି।

ମନ୍ତ୍ରୀ ପରିଷଦ ବୈଠକରେ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ ବୈଠକ। ଏଥିରେ ତିନୋଟି ଯୋଜନାକୁ ଅନୁମୋଦନ ମିଳିଛି। ମୁଖ୍ୟତଃ ନିଯୁକ୍ତି ଭିତ୍ତିକ ନିୟମାବଳୀ ସଂଶୋଧନ ପ୍ରସ୍ତାବକୁ ଆଜି କ୍ୟାବିନେଟ ମଂଜୁରୀ ଦେଇଛି। ରାଜ୍ୟ ସରକାର ଗ୍ରୁପ-ବି ଓ ଗ୍ରୁପ-ସି ଅନ୍ତର୍ଗତ ସ୍ବତନ୍ତ୍ର ସେବା ପଦବୀରେ ନିଯୁକ୍ତି ପାଇଁ ମିଳିତ ସ୍ନାତକ ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ – ୨୦୨୨ର ସିଡୁଲ-୧ରେ ସଂଶୋଧନ କରାଯାଇ ୧୪ଟି ନୂଆ ପଦବୀକୁ ସାମିଲ କରିବାକୁ କ୍ୟାବିନେଟ ମଂଜୁରୀ ଦେଇଛି।

ଏଥିସହିତ ୪ଟି ପଦବୀକୁ ଏହି ପ୍ରକ୍ରିୟାରୁ ବାଦ ଦେବାକୁ ନିଷ୍ପତ୍ତି ହୋଇଛି। କାରଣ ସେସବୁ ପଦବୀ ୟୁନିଫର୍ମ ସେବା ପାଇଁ ହୋଇଥିବାରୁ ତାକୁ ୟୁନିଫର୍ମ ସେବା କମିଶନକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ସିଡୁଲ-୧ରେ ୨୯ଟି ପଦବୀ ପାଇଁ ମିଳିତ ସ୍ନାତକ ପରୀକ୍ଷା ହେଉଥିଲା। ନୂଆ ପଦବୀକୁ ମିଶାଇ ଏବେ ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନ ୩୯ଟି ସ୍ବତନ୍ତ୍ର ପଦବୀକୁ ମିଳିତ ସ୍ନାତକ ପରୀକ୍ଷାରେ ପଚିଚାଳିତ କରିବେ।

ସେହିଭଳି ରାଜ୍ୟ ସରକାରଙ୍କ ଗ୍ରୁପ-ବି ଓ ଗ୍ରୁପ-ସି ଅନ୍ତର୍ଗତ ବିଭିନ୍ନ ସେବା ଓ ପଦବୀ ପାଇଁ ମିଳିତ ସ୍ନାତକ ସ୍ତରର ନିଯୁକ୍ତି ନିୟମାବଳୀ-୨୦୨୨ର ସିଡୁଲ-୩ରେ ମଧ୍ୟ ସଂଶୋଧନ କରିଛନ୍ତି। ଏଥିରେ ପୂର୍ବରୁ ୨୦ଟି ବିଭିନ୍ନ ପଦବୀ ପାଇଁ ମିଳିତ ପରୀକ୍ଷା ହେଉଥିବା ବେଳେ ଆଜି କ୍ୟାବିନେଟ ଆଉ ୪ଟି ପଦବୀକୁ ଏଥିରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଏଣିକି ଷ୍ଟାଫ୍ ସିଲେକସନ କମିଶନ ବିଭିନ୍ନ ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତରଙ୍କ ଆବଶ୍ୟକତା ଅନୁଯାୟୀ ଖାଲିଥିବା ପଦବୀ ପାଇଁ ସେହିବର୍ଷ ଥରେ ମାତ୍ର ବିଜ୍ଞପ୍ତି କରି ପରୀକ୍ଷା କରିବ।

ଏହାସହ ଯୁକ୍ତ ସ୍ତରର ସେବା ଓ ପଦବୀ ପାଇଁ ହେଉଥିବା ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨ରେ ସଂଶୋଧନ କରାଯାଇ ରାଜ୍ୟ ଫରେନ୍ସିକ ଲାବ ପାଇଁ ଜୁନିୟର ଫରେନ୍ସିକ ଆସିଷ୍ଟାଣ୍ଟ ପଦବୀକୁ ସାମିଲ କରାଯାଇଛି। ପୂର୍ବରୁ ଏହି ବ୍ୟବସ୍ଥାରେ ୧୧ଟି ପଦବୀ ପାଇଁ ପରୀକ୍ଷା ହେଉଥିଲା। ଏବେ ଆଉ ଗୋଟିଏ ପଦବୀକୁ ସାମିଲ କରିବାକୁ କ୍ୟାବିନେଟ ମଂଜୁରୀ ଦେଇଛି।