ଭୁବନେଶ୍ୱର : ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ତିନିଦିନିଆ ପ୍ରବାସୀ ଭାରତୀୟ ଦିବସ ପାଇଁ ବିଭିନ୍ନ ଅତିଥି ଭବନ ଓ ହୋଟେଲ ଆଦିରେ ୩୭୦୦ରୁ ଅଧିକ ପ୍ରକୋଷ୍ଠ ବ୍ୟବସ୍ଥା କରାଯିବା ସହ ପ୍ରତିନିଧିମାନେ ଯେଭଳି ଉନ୍ନତମାନର ଓଡ଼ିଆ ଖାଦ୍ୟ ପାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ।
ପ୍ରବାସୀ ଭାରତୀୟ ଦିବସ ଆସନ୍ତା ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଷଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ପଦାଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆମେରିକା, ୟୁରୋପ, ମଧ୍ୟପ୍ରାଚ୍ୟ ସମେତ ବିଶ୍ୱର ବିଭିନ୍ନ ଦେଶରୁ ବହୁ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହାକୁ ଆଖି ଆଗରେ ରଖି ରାଜଧାନୀ ଭୁବନେଶ୍ୱର ନୁହେଁ, ପୁରୀ, କୋଣାର୍କ ସମେତ ଅନ୍ୟାନ୍ୟ ବହୁ ସ୍ଥାନରେ ବି ପ୍ରତିନିଧିମାନଙ୍କ ରହଣୀ ପାଇଁ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ଏବେ ଭୁବନେଶ୍ୱରରେ ଥିବା ସମସ୍ତ ତାରକା ହୋଟେଲର ପ୍ରକୋଷ୍ଠଗୁଡ଼ିକ ଆସନ୍ତା ଜାନୁଆରୀର ପ୍ରଥମାର୍ଦ୍ଧରେ ସରକାରଙ୍କ ନିୟନ୍ତ୍ରଣରେ ରହିବ । ପୂର୍ବରୁ ଯେଉଁମାନେ ହୋଟେଲ ପ୍ରକୋଷ୍ଠ ସଂରକ୍ଷିତ କରିଛନ୍ତି ସେମାନେ ଏଥିଯୋଗୁ ପ୍ରଭାବିତ ହେବେ ନାହିଁ । ତେବେ କେଉଁ ହୋଟେଲ୍ରେ କେଉଁ କେଉଁ ପର୍ଯ୍ୟଟକ ରହିବା ପାଇଁ ଆଗୁଆ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ଏବଂ ଏବେ ଆଉ କେଉଁମାନେ ସଂରକ୍ଷଣ ପାଇଁ ଆବେଦନ କରୁଛନ୍ତି ତାହାର ଟିକିନିକି ବିବରଣୀ ହୋଟେଲ କର୍ତ୍ତୃପକ୍ଷ ସରକାରଙ୍କ ଭାରପ୍ରାପ୍ତ ଅଧିକାରୀଙ୍କୁ ଦେବା ପାଇଁ ଏକ ପ୍ରକାର ବାଧ୍ୟ । ଏଥିଯୋଗୁ ଏବେ ଆଉ ହୋଟେଲ ପ୍ରକୋଷ୍ଠର ନୂଆ ବୁକିଂ ଆଖିବୁଜା ହୋଇପାରୁ ନାହିଁ ।
ରାଜଧାନୀର ଜନତା ମୈଦାନରେ ଏହି ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ବିମାନ ବନ୍ଦରରୁ ସମ୍ମିଳନୀ ସ୍ଥଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଗୁଡ଼ିକରେ ସ୍ଥାୟୀ ଲୁହା ବ୍ୟାରିକେଡ୍ ବସାଯିବା ସହ ପ୍ରାଚୀରଗୁଡ଼ିକର ମଧ୍ୟ ରଙ୍ଗ ହେଉଛି । ସାରା ରାଜଧାନୀରେ ଏଥିପାଇଁ ଗୋଟିଏ ପ୍ରକାରର ରଙ୍ଗ ସହିତ ପାଚେରୀଗୁଡ଼ିକରେ ହସ୍ତତନ୍ତ ଡିଜାଇନ୍ର ଛବିମାନ ରଖାଯାଉଛି । ଏଥିଲାଗି ପୂର୍ବରୁ କାନ୍ଥାବାଡ଼ରେ ଅଙ୍କାଯାଇଥିବା ରାଜ୍ୟର ବରପୁତ୍ରମାନଙ୍କ ସମେତ ଅନ୍ୟମାନଙ୍କ ଛବିକୁ ଲିଭାଇ ଦିଆଯାଉଛି । କେତେକ ସ୍ଥାନରେ ରାସ୍ତାକଡ଼ରୁ ଉଠା ଦୋକାନଗୁଡ଼ିକୁ ମଧ୍ୟ ହଟାଇବା ପ୍ରକ୍ରିୟା ଜୋରଦାର ଚାଲିଛି । ଏହି ଦିବସ ପାଳନ ଅବସରରେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟମାନଙ୍କୁ ଆକୃଷ୍ଟ କରିବା ଏବଂ ରାଜ୍ୟର ପର୍ଯ୍ୟଟନ, ସଂସ୍କୃତି, ପ୍ରାକୃତିକ ସଂପଦ, କଳା ସଂସ୍କୃତି ଆଦି ସଂପର୍କରେ ପ୍ରବାସୀ ଭାରତୀୟମାନଙ୍କୁ ଅବହିତ କରିବା ଲାଗି ବିଭିନ୍ନ ବିଭାଗ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।
ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବାକୁ ଆସୁଥିବା ପ୍ରତିନିଧିମାନଙ୍କୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲାଇ ନେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏହାଛଡ଼ା ବିଭିନ୍ନ ସ୍ଥାନରେ ଓଡ଼ିଆ କଳା ସଂସ୍କୃତିର ପ୍ରଦର୍ଶନ ମଧ୍ୟ ହେବ । ବାହାରୁ ଆସୁଥିବା ପ୍ରତିନିଧିମାନେ ସେମାନଙ୍କ ମନପସନ୍ଦର ସାମଗ୍ରୀ ଓଡ଼ିଶା ବଜାରରୁ ଯେଭଳି ସହଜରେ ସଂଗ୍ରହ କରିପାରନ୍ତି ସେ ଦିଗରେ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଆନ୍ତର୍ଜାତିକ ସ୍ତରରେ ପ୍ରବାସୀ ଭାରତୀୟମାନଙ୍କ ମାଧ୍ୟମରେ ଓଡ଼ିଶାକୁ ଭଲ ଭାବରେ ଉପସ୍ଥାପନ କରିବା ପାଇଁ ଏହା ଏକ ଉତ୍କୃଷ୍ଟ ସୁଯୋଗ ହୋଇଥିବାରୁ ରାଜ୍ୟ ପ୍ରଶାସନ ସମସ୍ତ ଦିଗକୁ ଗୁରୁତ୍ୱ ଦେଉଛନ୍ତି । (ତଥ୍ୟ)