Home Education ଅଣ୍ଡା ବଦଳାଇ ଦେଲାଣି ଶିକ୍ଷକଙ୍କ ଫଣ୍ଡା

ଅଣ୍ଡା ବଦଳାଇ ଦେଲାଣି ଶିକ୍ଷକଙ୍କ ଫଣ୍ଡା

ଭୁବନେଶ୍ୱର : ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଦରକାର ହେଉଥିବା ଅଣ୍ଡା ଏବେ ପ୍ରାଥମିକ ଶିକ୍ଷକମାନଙ୍କ ଫଣ୍ଡା ବଦଳାଇ ସାରିଲାଣି । ସରକାର ଅଣ୍ଡା ପିଛା ଯେତିକି ପଇସା ଦେଉଛନ୍ତି ସେତିକିରେ ପିଲାଙ୍କୁ ଅଣ୍ଡା ଯୋଗାଇବା ସମ୍ଭବପର ନୁହେଁ ।

ମଧ୍ୟାହ୍ନଭୋଜନରେ ଅଣ୍ଡା ନଦେଲେ କିମ୍ବା ଏହା ବଦଳରେ ଅନ୍ୟକିଛି ସାମଗ୍ରୀ ଦେଲେ ଗୋଟିଏ ପଟେ ଅଭିଭାବକମାନେ କ୍ରୋଧ ବ୍ୟକ୍ତ କରୁଥିବାବେଳେ ଅନ୍ୟପଟେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏ ପରିସ୍ଥିତିରେ ସେମାନଙ୍କୁ ମଧ୍ୟାହ୍ନଭୋଜନ ଝାମେଲାରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଶିକ୍ଷକମାନଙ୍କ ପକ୍ଷରୁ ଦାବି ହେଉଛି ।

ଏଠାରେ ଉଲ୍ଲେଖନୀୟ ଯେ, ରାଜ୍ୟରେ ପ୍ରାୟ ୫୧ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଖାପାଖି ୪୮ଲକ୍ଷ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି । ଏଥିଲାଗି ସରକାର ମାଗଣାରେ ଚାଉଳ ଯୋଗାଉଥିବାବେଳେ ପ୍ରଥମରୁ ପଞ୍ଚମ ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡ ପିଛା ୫ଟଙ୍କା ୯୦ ପଇସା ଓ ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ଲାଗି ମୁଣ୍ଡ ପିଛା ୮ଟଙ୍କା ୮୨ ପଇସା ବ୍ୟବସ୍ଥା ରଖିଛନ୍ତି । ସପ୍ତାହରେ ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ୨ଦିନ ଅଣ୍ଡା ଦିଆଯିବାର ବ୍ୟବସ୍ଥା ରହିଛି । ଏହାଛଡ଼ା କେଉଁଦିନ କ’ଣ ଖାଦ୍ୟ ପରଷା ଯିବ ସେ ସଂକ୍ରାନ୍ତରେ ବି ତାଲିକା ରହିଛି ।

ପିଲାମାନଙ୍କ ପାଇଁ ଗୋଟା ପିଛା ୫ଟଙ୍କା ୩୦ ପଇସା ଦରରେ ଅଣ୍ଡା କିଣିବା ଲାଗି ବ୍ୟବସ୍ଥା ଅଛି । ଯେତେ ଅଣ୍ଡା କିଣାଯାଏ ସେଥିରୁ କାଞ୍ଜିଆ କିମ୍ବା ପଚା ପଡିଲେ ସମସ୍ୟା ଅଲଗା । ଏବେ ଖୋଲା ବଜାରରେ ଅଣ୍ଡା ଦର ଗୋଟା ପିଛା ୭ଟଙ୍କାରୁ ଅଧିକ । ଏକଥା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ପଞ୍ଚାୟତରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ଲୋକ ପ୍ରତିନିଧି, ମହାଲେଖାକାର, ମନ୍ତ୍ରୀ, ଡିଇଓ ଓ ବିଇଓଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି ।

ତେବେ ବିଦ୍ୟାଳୟ ପାଇଁ ବଜାରରେ ଅଣ୍ଡା ଦର ଶସ୍ତା ନକରି ଶିକ୍ଷକମାନଙ୍କୁ ମଧ୍ୟାହ୍ନଭୋଜନରେ ଅଣ୍ଡା ଦେବାପାଇଁ ଯେପରି ବାଧ୍ୟ କରାଯାଉଛି ସେଥିରେ ସେମାନେ କ’ଣ ନିଜ ଦରମା ପଇସାରୁ ଅଣ୍ଡା କିଣିବେ କି ବୋଲି ପାଲଟା ପ୍ରଶ୍ନ କରୁଛନ୍ତି ।

ବଜାରରେ ଏବେ ରନ୍ଧନଗ୍ୟାସ ସିଲିଣ୍ଡର ଦାମ୍‍ ୯୨୯ଟଙ୍କା । କାଠ ଦର କହିଲେ ନସରେ । ଡାଲି କିଲୋ ପ୍ରାୟ ୨ଶହ ଟଙ୍କା ଥିବାବେଳେ ତେଲ ଦେଢଶହ ଟଙ୍କା ହେଲାଣି । ଆଳୁ କିଲୋ ୨୫ଟଙ୍କା ଥିବାବେଳେ ପିଆଜ ୪୦, ବାଇଗଣ ୮୦ ଓ ବିମ୍‍ ଦେଢଶହ ଟଙ୍କା ଟପିଲାଣି । ଅମୃତଭଣ୍ଡା କିଲୋ ୪୦ ଥିବାବେଳେ ସଜନା ଛୁଇଁ ବି ଦେଢଶହ ।

ଏ ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସରକାରୀ ଧାର୍ଯ୍ୟ ଦର ଭିତରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରି ଯୋଗାଇବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଲାଗି ମୁଣ୍ଡ ବିନ୍ଧାର କାରଣ ହେଉଛି । ଏହି ସମସ୍ୟାରୁ ସେମାନଙ୍କୁ ମୁକ୍ତି ଦେବାପାଇଁ ମଧ୍ୟାହ୍ନଭୋଜନ ପାଇଁ ମୁଣ୍ଡ ପିଛା ବ୍ୟୟ ଅତିକମ୍‍ରେ ୩ଗୁଣ ବୃଦ୍ଧି କରାଯିବା କିମ୍ବା ଏହି ଦାୟିତ୍ୱ ସେମାନଙ୍କ ଠାରୁ ପ୍ରତ୍ୟାହାର କରିନେବା ଲାଗି ଦାବି ହେଉଛି । (ତଥ୍ୟ)