Home Judiciary ଅଣସଂରକ୍ଷିତ ଆସନ କାହାପାଇଁ ସଂରକ୍ଷିତ ନୁହେଁ

ଅଣସଂରକ୍ଷିତ ଆସନ କାହାପାଇଁ ସଂରକ୍ଷିତ ନୁହେଁ

ଭୁବନେଶ୍ୱର : ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଆଧାରରେ ଜଣେ ସଂରକ୍ଷିତ ବର୍ଗର ପ୍ରାର୍ଥୀ ବି ଅଣ ସଂରକ୍ଷିତ ସରକାରୀ ପଦବୀକୁ ପଦୋନ୍ନତି ପାଇପାରିବେ । ଅଣ ସଂରକ୍ଷିତ ଆସନ କୌଣସି ନିର୍ଦ୍ଦିଷ୍ଟ ବର୍ଗଙ୍କ ପାଇଁ ସଂରକ୍ଷିତ ନୁହେଁ । ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏଭଳି ଫଇସଲା ଶୁଣାଇଛନ୍ତି ।

ହାଇକୋର୍ଟର ଅନ୍ୟତମ ବିଚାରପତି ଡ. ସଞ୍ଜୀବ କୁମାର ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି ଯେ ଯୋଗ୍ୟତା ଥାଇ କୌଣସି ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଅଣ ସଂରକ୍ଷିତ ପଦବୀ ପାଇଁ ପଦୋନ୍ନତି କିମ୍ବା ନିଯୁକ୍ତି ନଦେବା ସମ୍ବିଧାନର ୧୪ ଓ ୧୬ ଧାରାର ଖୋଲା ଉଲ୍ଲଂଘନ କରୁଛି । ଏ ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ୨୦୧୯ ଜାନୁଆରୀ ୧୧ ତାରିଖରେ ଜାରି କରିଥିବା ଏକ ସ୍ପଷ୍ଟୀକରଣକୁ ମଧ୍ୟ ବେଆଇନ୍‍ ବୋଲି ଦର୍ଶାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ପ୍ରହଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ଏହି ମାମଲା ପରିଚାଳନା କରିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଧନଞ୍ଜୟ ମୁଣ୍ଡ୍‍ ଲଢ଼ୁଥିଲେ ।

ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦୁଝର ଜିଲ୍ଲାରେ ୨୦୧୦ ମସିହାରେ ଅମିନ ଭାବେ ଲଳିତ କୁମାର ନାଏକ ନାମକ ଜଣେ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀ ନିଯୁକ୍ତି ପାଇଥିଲେ । ବରିଷ୍ଠତା ତାଲିକାରେ ତାଙ୍କର ନାମ ୭ କ୍ରମରେ ରହିଥିବା ବେଳେ ୨୦୧୨ ମସିହାରେ ଏହି ପଦବୀରେ ନିଯୁକ୍ତି ପାଇଥିବା ଅଣ ସଂରକ୍ଷିତ ବର୍ଗର ଅନ୍ୟ ଦୁଇଜଣଙ୍କ ନାମ ତାଲିକାର ୨୦ ଓ ୨୧ କ୍ରମରେ ରହିଥିଲା । କେନ୍ଦୁଝର ଜିଲ୍ଲାରେ ରାଜସ୍ୱ ନିରୀକ୍ଷକ ପଦବୀ ଲାଗି ୨୦୧୯ ମସିହାରେ ପଦୋନ୍ନତି ଦିଆଯିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଅଣ ସଂରକ୍ଷିତ ଆସନରେ ବରିଷ୍ଠ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ପଦୋନ୍ନତି ଦିଆଯାଇପାରିବ କି ନାହିଁ ସେ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଚାହିଁଥିଲେ ।

ରାଜସ୍ୱ ବିଭାଗ ଏ ସଂକ୍ରାନ୍ତରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମତ ଲୋଡ଼ିଥିଲେ । ଏସ୍‍ସି ଓ ଏସ୍‍ଟି ବର୍ଗର ସ୍ୱାର୍ଥ ରକ୍ଷା ପାଇଁ ଗଢ଼ାଯାଇଥିବା ଏହି ବିଭାଗ କିନ୍ତୁ ଅଣ ସଂରକ୍ଷିତ ଆସନରେ ଅଣ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ପଦୋନ୍ନତି ଦିଆଯାଇପାରିବ ବୋଲି ମତ ଦେବା ପରେ ତଦନୁଯାୟୀ ରାଜସ୍ୱ ବିଭାଗ ଜିଲ୍ଲା ପ୍ରଶାସନକୁ ଜଣାଇ ଦେଇଥିଲେ ଏବଂ ଏହି ଆଧାରରେ ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଥିବା ଏସ୍‍ର୍ଟି ପ୍ରାର୍ଥୀଙ୍କୁ ଉପେକ୍ଷା କରି ତାଙ୍କ ଠାରୁ ୨ବର୍ଷ ପରେ ଚାକିରିରେ ଯୋଗ ଦେଇଥିବା ଢେର କନିଷ୍ଠ ଅଣ ସଂରକ୍ଷିତ ପ୍ରାର୍ଥୀଙ୍କୁ ପଦୋନ୍ନତି ଦିଆଯିବାରେ ବଞ୍ôଚତ ଏସ୍‍ଟି ପ୍ରାର୍ଥୀ ଜଣକ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ଏଭଳି ପଦୋନ୍ନତି ଓଡିଆରଏସ୍‍ ଏବଂ କ୍ରାଇଟେରିଆ ଫର୍‍ ପ୍ରମୋସନ ରୁଲ୍‍ର ଉଲ୍ଲଂଘନ କରିବା ସହିତ ଏଭଳି ପ୍ରସଂଗରେ ସୁପ୍ରିମକୋର୍ଟ ଦେଇଥିôବା ବହୁ ଗୁରୁତ୍ୱପୂର୍ଣ୍ଣ ରାୟକୁ ମଧ୍ୟ ଉପେକ୍ଷା କରୁଛି ।

ଇନ୍ଦ୍ରା ସାୱାନୀ, ଆର.କେ. ସଭରୱାଲ୍‍, ବିର୍‍ପାଲ୍‍ ସିଂ ଚୌହ୍ୱାନ, ନୀତିନ କୁମାର, ସଂଜୀବ କୁମାର ସିଂହ ଆଦି ମାମଲାରେ ସୁପ୍ରିମକୋର୍ଟ ବାରମ୍ବାର ସ୍ପଷ୍ଟ କରିଦେଇଛନ୍ତି ଯେ ଅଣ ସଂରକ୍ଷିତ ସରକାରୀ ପଦପଦବୀ କୌଣସି ବର୍ଗଙ୍କ ପାଇଁ ସଂରକ୍ଷିତ ନୁହେଁ । ସଂରକ୍ଷିତ ବର୍ଗର କୌଣସି ଯୋଗ୍ୟ ପ୍ରାର୍ଥୀ ଅଣ ସଂରକ୍ଷିତ ପଦବୀ ପାଇଁ ମଧ୍ୟ ତାଙ୍କ ଯୋଗ୍ୟତା ଓ ଦକ୍ଷତା ଆଧାରରେ ପ୍ରତିଯୋଗିତା କରିପାରିବେ ।

ଓଡ଼ିଶା ହାଇକୋର୍ଟ ଆବେଦନକାରୀଙ୍କ ପ୍ରାର୍ଥନାକୁ ଗ୍ରହଣ କରିବା ସହିତ ଯୋଗ୍ୟ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଏଭଳି କ୍ଷେତ୍ରରେ ପଦୋନ୍ନତିରୁ ବଞ୍ôଚତ କରାଯିବା ଘଟଣାକୁ ଅନ୍ୟାୟ ବୋଲି ଦର୍ଶାଇବା ସହିତ ସରକାର ଏ ସଂକ୍ରାନ୍ତରେ ତାଙ୍କ ପଦୋନ୍ନତି ନୀତିର ପୁନଃ ମୂଲ୍ୟାୟନ କରି ସଂରକ୍ଷିତ ବର୍ଗର କୌଣସି ମେଧାବୀ ପ୍ରାର୍ଥୀଙ୍କୁ ଯେଭଳି ବଞ୍ôଚତ କରାନଯାଏ ସେ ସଂକ୍ରାନ୍ତରେ ମାସକ ମଧ୍ୟରେ ସ୍ପଷ୍ଟ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । (ତଥ୍ୟ)