Home Industry ଅଣଶିଳ୍ପ ସେଡ୍‍କୁ ନୋଟିସ୍‍ ଜାରି

ଅଣଶିଳ୍ପ ସେଡ୍‍କୁ ନୋଟିସ୍‍ ଜାରି

ଭୁବନେଶ୍ୱର : ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପାଞ୍ଚଳର ଭିତ୍ତିଭୂମିର ରକ୍ଷଣା ବେକ୍ଷଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଶିଳ୍ପ ପ୍ରତିଷ୍ଠା ପାଇଁ ସେଡ୍‍ ଆବଣ୍ଟନ କରୁଛନ୍ତି । କିନ୍ତୁ ବହୁ ଶିଳ୍ପାନୁଷ୍ଠାନରେ ଶିଳ୍ପ ପାଇଁ ଦିଆଯାଇଥିବା ସେଡ୍‍ ଅନ୍ୟ ଅଣଶିଳ୍ପ କାର୍ଯ୍ୟରେ ଲାଗୁଥିବାରୁ ବହୁ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‍ ଜାରି ହୋଇଛି ।

ରାଜ୍ୟରେ ରହିଥିବା ୧୨୬ଟି ଶିଳ୍ପାଞ୍ଚଳ ମଧ୍ୟରୁ ୪୬ଟି ଶିଳ୍ପାଞ୍ଚଳରେ ୧୫୪୨ଟି ସେଡ୍‍ ବିଭିନ୍ନ ଶିଳ୍ପ ସ୍ଥାପନ ପାଇଁ ନିର୍ମାଣ ହୋଇଛି । ସେଥିରୁ ଏବେ ବି ୩୯ଟି ସେଡ୍‍ ଆବଣ୍ଟନ ନହୋଇ ପଡି ରହିଛି । ତେବେ ଯେଉଁସବୁ ସେଡ୍‍ ଶିଳ୍ପପ୍ରତିଷ୍ଠା ପାଇଁ ଆବଣ୍ଟନ ହୋଇଥିଲା ସେଠାରେ ଅଣଶିଳ୍ପ କାର୍ଯ୍ୟ ଚାଲିଛି । ବିଶେଷକରି ଶିଳ୍ପସଂସ୍ଥାଗୁଡିକରେ ଏବେ ଶିକ୍ଷାନୁଷ୍ଠାନ, ଗୋଦାମଘର, ଆବାସିକ ଘର, କୋଚିଂ ସେଣ୍ଟର ଆଦି ଚାଲୁଛି । ସହର ନିକଟରେ କିମ୍ବା କେନ୍ଦ୍ରସ୍ଥଳୀରେ ଥିବା ଶିଳ୍ପାଞ୍ଚଳ ସେଡ୍‍ରେ ଶିଳ୍ପ କରିବା ବଦଳରେ ସେଠାରେ ଘର କରି ଲୋକଙ୍କୁ ଭଡା ଦିଆଯାଉଛି ।

ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପାଞ୍ଚଳର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ପ୍ରତିବର୍ଷ ଏହି ଖର୍ଚ୍ଚ ବଢି ବଢି ଚାଲିଛି । ୨୦୧୬-୧୭ ବର୍ଷରେ ସରକାର ଏ ବାବଦରେ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟ କରିଥିବାବେଳେ ୨୦୨୨-୨୩ ବର୍ଷରେ ଏହା ପାଖାପାଖି ୪୫ କୋଟି ଟଙ୍କାରେ ପହଞ୍ଚିଛି । ଏତେ ପରିମାଣର ଅର୍ଥ ଖର୍ଚ୍ଚ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏଠାରେ ଶିଳ୍ପ ପ୍ରତିଷ୍ଠା ସହିତ ରାଜ୍ୟରେ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ।

ତେବେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ଠାରୁ ସରକାରୀ ମୂଲ୍ୟରେ ସେଡ୍‍ ନେଇଥିବା ଶିଳ୍ପସଂସ୍ଥାଗୁଡିକ ସେଠାରେ ଶିଳ୍ପ ବଦଳରେ ଅନ୍ୟାନ୍ୟ କାର୍ଯ୍ୟ କରୁଛନ୍ତି । ଏହି ଜମିଗୁଡିକ ଅତ୍ୟନ୍ତ ମୂଲ୍ୟବାନ ହୋଇଥିବାରୁ ତାହାକୁ ସେମାନେ ଛାଡିବାକୁ ନାରାଜ । ଯେଉଁମାନଙ୍କର ଶିଳ୍ପ ବନ୍ଦ ହୋଇଗଲାଣି ସରକାର ସେମାନଙ୍କ ଠାରୁ ସେଡ୍‍ ଆଣି ଅନ୍ୟ ଆଗ୍ରହୀ ଶିଳ୍ପସଂସ୍ଥାଙ୍କୁ ପ୍ରଦାନ କରୁନାହାନ୍ତି । ଫଳରେ ଏହିସବୁ ସେଡ୍‍ରେ ଅଣଶିଳ୍ପ ଗଢି ଉଠୁଛି ।

ରାଜଧାନୀ ନିକଟରେ ଥିବା ମଞ୍ଚେଶ୍ୱର, ପଟିଆ, ଖୋର୍ଦ୍ଧା ଆଦି ଶିଳ୍ପାଞ୍ଚଳରେ ଅଣଶିଳ୍ପକୁ ନେଇ ବହୁ ସମୟରେ ବିଧାନସଭାରେ ତୁମ୍ବିତୋଫାନ ହୋଇଛି । ଏହିସବୁ ଶିଳ୍ପାଞ୍ଚଳରେ ଥିବା ଶିଳ୍ପ ସେଡ୍‍ରେ କୋଚିଂ ସେଣ୍ଟର ସହିତ ପାର୍ଲର ଖୋଲିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ତେବେ ଶିଳ୍ପ ବିଭାଗ ନଜରକୁ ଏଭଳି ଅଭିଯୋଗ ଆସିବାପରେ ଏବେ ଶିଳ୍ପାଞ୍ଚଳ ସେଡ୍‍ରେ ଯେଉଁ ସଂସ୍ଥାମାନେ ଅଣଶିଳ୍ପ କାର୍ଯ୍ୟରେ ମାତିଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଜାରି ସହିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । (ତଥ୍ୟ)