ଭୁବନେଶ୍ୱର : ରାଜ୍ୟରେ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ୧୦,୭୫୫ ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଆବଶ୍ୟକ ଥିବାବେଳେ ଏହାଠାରୁ ପ୍ରାୟ ଅଢେଇ ହଜାର କମ୍ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ସାଂସଦ ମମତା ମହାନ୍ତଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ।
ଓଡିଶାରେ ଆବଶ୍ୟକ ସ୍ୱାସ୍ଥ୍ୟକେନ୍ଦ୍ର ସଂକ୍ରାନ୍ତରେ ଶ୍ରୀମତୀ ମହାନ୍ତ ପଚାରିଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଡିଶାର ଜନସଂଖ୍ୟା ଆଧାରରେ ୮୮୧୨ଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଆବଶ୍ୟକ ଥିବାବେଳେ ବର୍ତ୍ତମାନ ରହିଛି ୬୫୯୮ଟି । ଅର୍ଥାତ୍ ରାଜ୍ୟରେ ୨୨୧୪ଟି ସବସେଣ୍ଟର କମ୍ରହିଛି । ସେହିଭଳି ରାଜ୍ୟର ଗ୍ରାମାଞ୍ଚଳ ପାଇଁ ୧୪୧୫ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆବଶ୍ୟକ ଥିବାବେଳେ ରହିଛି ୧୨୭୭ଟି । ସହରାଞ୍ଚଳ ପାଇଁ ୧୭୫ଟି ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନରେ ରହିଛି ୧୨୫ଟି । ଗୋଷ୍ଠି ସ୍ୱାସ୍ଥ୍ୟ ସଂଖ୍ୟା ରାଜ୍ୟରେ ୨୩ଟି କମ୍ ରହିଛି । ଜନସଂଖ୍ୟା ତୁଳନାରେ ରାଜ୍ୟରେ ୩୫୩ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଆବଶ୍ୟକ ଥିବାବେଳେ ରହିଛି ୩୩୦ଟି ।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସହଜ କରିବାପାଇଁ ଜନସଂଖ୍ୟା ତୁଳନାରେ ଡାକ୍ତରଖାନା ନିର୍ମାଣ ମାନଦଣ୍ଡକୁ କୋହଳ କରାଯାଇଛି । ପୂର୍ବରୁ ୫୦୦୦ ଜନସଂଖ୍ୟା ସଂଖ୍ୟାପାଇଁ ଗୋଟିଏ ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା ଥିବାବେଳେ ତାହାକୁ ୩୦୦୦କୁ କମାଇ ଦିଅ।।ଯାଇଛି । ସେହିଭଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜନସଂଖ୍ୟା ମାନଦଣ୍ଡକୁ ୩୦ହଜାରରୁ ୨୦ହଜାରକୁ ହ୍ରାସ କରାଯାଇଥିବାବେଳେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୧ଲକ୍ଷ ୨୦ହଜାରରୁ ୮୦ ହଜାରକୁ ହ୍ରାସ କରାଯାଇଛି ।
ସେହିଭଳି ସାଧାରଣ ଅଞ୍ଚଳରେ ପ୍ରତି ୧୦୦୦ ଲୋକଙ୍କ ପାଇଁ ଜଣେ ଆଶାକର୍ମୀ ନିୟୋଜିତ ହେବାର ବ୍ୟବସ୍ଥା ଥିବାବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରତି ଗ୍ରାମ ବା ପଡାରେ ଜଣେ ଆଶାକର୍ମୀ ମୁତୟନ କରାଯାୁଛି । ସେହିଭଳି ପ୍ରତି ଜିଲ୍ଲାରେ ୨ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା ଥିବାବେଳେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାପାଇଁ ଏହି ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି । ତେବେ ୨୦୨୩ ନଭେମ୍ବର ୧୫ ତାରିଖରେ ପ୍ରଧାନ ମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନା କାର୍ଯ୍ୟକାରୀ ହେବାପରେ ବିଲୁପ୍ତପ୍ରାୟ ଆଦିବାସୀ ଜନଜାତି ବସବାସ କରୁଥିବା ଜିଲ୍ଲାଗୁଡିକ ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା ୧୦କୁ ବୃଦ୍ଧି କରାଯାଇଛି । ଏଥି ସହିତ ସେହିସବୁ ଅଞ୍ଚଳପାଇଁ ଅତିରିକ୍ତ ଏଏନ୍ଏମ୍, ବହୁମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅତିରିକ୍ତ ଔଷଧର ବ୍ୟବସ୍ଥା ହୋଇଛି ।
କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧିନରେ ଭୁବନେଶ୍ୱର ଠାରେ ନିର୍ମାଣ ହୋଇଥିବା ଏମ୍ସ ପୂର୍ଣର୍ କାର୍ଯ୍ୟକ୍ଷମ ହୋଇଥିବାବେଳେ ଏହି କେନ୍ଦ୍ରୀୟ ଯୋଜନା ଅଧିନରେ ବ୍ରହ୍ମପୁର, ବୁର୍ଲା ଓ ସୁନ୍ଦରଗଡ ମେଡିକାଲ କଲେଜରେ ସୁପର ସ୍ପେଶିଆଲିଟି ବ୍ଲକ ନିର୍ମାଣ ପାଇଁ ତିନିଟି ପ୍ରକଳ୍ପ ମଞ୍ଜୁର ହୋଇଛି । ଏଥି ସହିତ ପ୍ରଧାନ ମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଅଧିନରେ ୫୦ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଧରିତ୍ରୀ ଆଭା ଗ୍ରାମ ଉତ୍କର୍ଷ ଅଭିଯାନ ଅଧିନରେ ୭ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଓଡିଶାରେ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ।
ପ୍ରଧାନ ମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶାକୁ ୨୦୨୧-୨୨ ରୁ ୨୦୨୫-୨୬ ବର୍ଷ ପାଇଁ ୧୪୧୧ କୋଟି ୩୮ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । (ତଥ୍ୟ)