Home General ଅଢେଇ ହଜାର ଅନାଥ ଶିଶୁ

ଅଢେଇ ହଜାର ଅନାଥ ଶିଶୁ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଶିଶୁଯତ୍ନ ଅନୁଷ୍ଠାନଗୁଡିକରେ ପାଖାପାଖି ଅଢେଇ ହଜାର ବାପ ମା’ ଛେଉଣ୍ଡ ଶିଶୁ ଅଛନ୍ତି । ଏମାନଙ୍କ ବାଦ୍‍ ଭିକ୍ଷାବୃତ୍ତି କରୁଥିବା ଏବଂ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇ ଏଠାରେ ଥଇଥାନ କରାଯାଉଛି ।

ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ୍‍ ୨୨୮ଟି ପଞ୍ଜିକୃତ ଶିଶୁଯତ୍ନ ଅନୁଷ୍ଠାନ କାର୍ଯ୍ୟ କରୁଛି । ଏଥିରୁ ୨୧୩ଟି ଅନୁଷ୍ଠାନ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ । ଜିଲ୍ଲା ଶିଶୁ ମଙ୍ଗଳ କମିଟିଙ୍କ ନିର୍ଦ୍ଦେଶକ୍ରମେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କୁ ଏଠାରେ ସ୍ଥାନ ଦିଆଯାଏ ।

ବର୍ତ୍ତମାନ ୨୯ଟି ଜିଳ୍ଲାର ୧୬୨ଟି ଶିଶୁଯତ୍ନ ଅନୁଷ୍ଠାନରେ ୨୪୬୧ଜଣ ବାପ ମା’ ଛେଉଣ୍ଡ ପିଲା ଥଇଥାନ ହୋଇଛନ୍ତି । ସେମାନଙ୍କ ସହିତ ଭିକ୍ଷାବୃତ୍ତି କରୁଥିବାବେଳେ ଧରାଯାଇଥିବା ୮୧ଜଣ ଶିଶୁ ଓ ଶିଶୁଶ୍ରମିକ ଭାବେ ଉଦ୍ଧାର ହୋଇଥିବା ୫୯ଜଣ ପିଲାଙ୍କୁ ମଧ୍ୟ ଏଠାରେ ରଖାଯାଇଛି । ଏହିସବୁ କେନ୍ଦ୍ରରେ ପିଲାମାନଙ୍କ ଲାଳନ ପାଳନ ସହ ସେମାନଙ୍କର ଯତ୍ନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରତ୍ୟେକ ଶିଶୁଙ୍କ ବିବରଣୀ ଜିଲ୍ଲା ଶିଶୁମଙ୍ଗଳ କମିଟି ନିକଟରେ ରହିଛି ।

ଏହି ସୂଚନା ଅନୁଯାୟୀ ସର୍ବାଧିକ ୨୩୯ଜଣ ଅନାଥ ଶିଶୁ କନ୍ଧମାଳ ଜିଲ୍ଲାରେ ଥିବା ଶିଶୁଯତ୍ନ ଅନୁଷ୍ଠାନରେ ରହିଥିବାବେଳେ କେନ୍ଦୁଝର ଜିଲ୍ଲାରେ ୨୩୭ ଜଣ ରହିଛନ୍ତି । ଅନୁଗୁଳ ଜିଲ୍ଲାର ଶିଶୁଯତ୍ନ ଅନୁଷ୍ଠାନରେ ୪୧ଜଣ ଅନାଥ ଶିଶୁ ରହିଥିବାବେଳେ ବଲାଙ୍ଗିରରେ ୪୧, ବାଲେଶ୍ୱରରେ ୧୯୨, ବରଗଡରେ ୪, ଭଦ୍ରକରେ ୧୮, ବୌଦ୍ଧରେ ୨୬, କଟକରେ ୯୯, ଦେବଗଡରେ ୨୨, ଗଜପତିରେ ୧୬୬, ଗଞ୍ଜାମରେ ୨୫ ଓ ଜଗତ୍‍ସିଂହପୁରରେ ୯ଜଣ ଅନାଥ ଶିଶୁ ରହିଛନ୍ତି ।

ସେହିଭଳି ଭିକ୍ଷାବୃତ୍ତି ସମୟରେ ଉଦ୍ଧାର ସହିତ ଥଇଥାନ ଶିଶୁଙ୍କ ମଧ୍ୟରେ କଟକରେ ୨୦ଜଣ ଥିବାବେଳେ ଜଗତ୍‍ସିଂହପୁରରେ ୩ଜଣ, କନ୍ଧମାଳରେ ୫ଜଣ, ଖୋରଧାରେ ୯ଜଣ ଓ ସୁନ୍ଦରଗଡର ୨୨ଜଣ ଶିଶୁ ରହିଛନ୍ତି । ସେହିଭଳି ଉଦ୍ଧାର ଶିଶୁ ଶ୍ରମିକଙ୍କ ମଧ୍ୟରେ ସର୍ବାଧିକ ୧୮ଜଣ କଟକରେ ରହିଥିବା ଜଣାଯାଇଛି ।

ତେବେ ରାଜ୍ୟର ଶିଶୁଯତ୍ନ କେନ୍ଦ୍ରଗୁଡିକରେ ଭିକ୍ଷାବୃତ୍ତି ଓ ଶିଶୁଶ୍ରମିକ କ୍ଷେତ୍ରରୁ ଉଦ୍ଧାର ହୋଇ ଆସିଥିବା ଶିଶୁଙ୍କ ସଂଖ୍ୟା ତୁଳନାରେ ଏହି କ୍ଷେତ୍ରରେ ଥିବା ପିଲାଙ୍କ ସଂଖ୍ୟା ଢେର ଅଧିକ ବୋଲି ଏ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଇଛନ୍ତି । ସେମାନଙ୍କ ମତରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଥିବା ସ୍କ୍ୱାଡ୍‍ ନିୟମିତ ଭାବେ ଚଢଉ କରୁନଥିବା ଯୋଗୁଁ ଶିଶୁ ଶ୍ରମିକମାନେ ଉଦ୍ଧାର ହୋଇପାରୁ ନାହାନ୍ତି । ସେହିଭଳି ଉଦ୍ଧାର ଶିଶୁଶ୍ରମିକମାନେ ଅଧିକାଂଶ ସ୍ଥାନରେ ନିଜର ବୟସ ଅଧିକ ଦେଖାଇ ଖସିଯାଉଥିବାବେଳେ ଏହା ଉପରେ ମଧ୍ୟ ସଠିକ ତଦନ୍ତ ହେଉନାହିଁ ।

ଶିଶୁ ଭିକାରୀଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା ପରିଲକ୍ଷିତ ହୋଇଛି । ରାଜଧାନୀ ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସହରରେ ମାଳ ମାଳ ଶିଶୁ ଭିକ୍ଷା ମାଗୁଥିବାବେଳେ ସେମାନଙ୍କ ମଧ୍ୟରୁ ନଗଣ୍ୟ ଧରାପଡୁଛନ୍ତି । ଏମାନଙ୍କ କାର୍ଯ୍ୟରେ ଲଗାଉଥିବା ର‌୍ୟାକେଟ୍‍ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଶିଶୁ ଭିକ୍ଷାବୃତ୍ତି ଭଳି ଘୃଣ୍ୟ ବ୍ୟବସ୍ଥା ଲୋପ ପାଇବ ବୋଲି ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । (ତଥ୍ୟ)