Home General ଅଟୋଚାଳକଙ୍କ କବ୍‍ଜାରେ ରେଳଷ୍ଟେସନ

ଅଟୋଚାଳକଙ୍କ କବ୍‍ଜାରେ ରେଳଷ୍ଟେସନ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନର ପ୍ରବେଶପଥ ଏବେ ଅଟୋଚାଳକଙ୍କ କବ୍‍ଜାରେ । ଅବସ୍ଥା ଏଭଳି ହୋଇଛି ଯେ ଯଦି କୌଣସି ଦୁଇ କିମ୍ବା ଚାରିକିଆ ଆରୋହୀ ଷ୍ଟେସନ ନିକଟକୁ ପଳାଉଛନ୍ତି ତେବେ ସେଠାରୁ ସହଜରେ ଫେରିପାରୁ ନାହାନ୍ତି । ରେଳବାଇ ପୁଲିସ୍‍ ଠାରୁ ଆରମ୍ଭ କରି କମିଶନରେଟ ପୁଲିସ୍‍ ପର୍ଯ୍ୟନ୍ତ ସମସ୍ତେ ଏଥିପ୍ରତି ଏକପ୍ରକାର ଆଖିବୁଜି ଦେଇଛନ୍ତି ।

ଭୁବନେଶ୍ୱର ରେଳଷ୍ଟେସନରେ ଏବେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଥିପାଇଁ ଏକ ନମ୍ବର ପ୍ଲାଟଫର୍ମକୁ ଯାଉଥିବା ଯାତ୍ରୀମାନେ ଅଶୋକନଗର ପଟରୁ ପ୍ରବେଶ କରୁଛନ୍ତି । ଏହି ରାସ୍ତାରେ ତିନି ଓ ଚାରିଚକିଆ ଯାନ ଯା ଆସ କରୁଥିଲା । ତେବେ ଇତି ମଧ୍ୟରେ ନିର୍ମାଣ କାର୍ଯ୍ୟପାଇଁ ଏହି ରାସ୍ତାର କିଛି ଅଂଶକୁ ସଙ୍କୁଚିତ କରାଯାଇଛି । ତଥାପି ଗାଡିମୋଟର ଯିବାରେ କୌଣସି ସମସ୍ୟା ନାହିଁ । ହେଲେ ଅଟୋଚାଳକଙ୍କ ରାସ୍ତା ଅବରୋଧ ଏବେ ଯାତ୍ରୀଙ୍କ ପାଇଁ କାଳ ହୋଇଛି ।

ଅଶୋକନଗର ପଟରୁ ରେଳଷ୍ଟେସନକୁ ପ୍ରବେଶ ରାସ୍ତାର ଗୋଟିଏ ପଟକୁ ଅଟୋଚାଳକମାନେ ଅବରୋଧ କରି ରଖିଛନ୍ତି । ଷ୍ଟାଣ୍ଡ୍‍ ଅଟୋ ଠାରୁ ଆରମ୍ଭ କରି ଅନ୍‍ଲାଇନ୍‍ ଅଟୋ ସମସ୍ତେ ପ୍ରବେଶ ପଥରେ ରାସ୍ତା ଉପରେ ଛିଡାହୋଇ ରହୁଛନ୍ତି । ଏହା ଫଳରେ ଚାରିଚକିଆ ଯାନ ଚାଳକ ତ ଦୂରରକଥା ଦୁଇଚକିଆ ଆରୋହୀ ମଧ୍ୟ ଷ୍ଟେସନ ଫାଟକ ନିକଟକୁ ଯିବାକୁ ଭୟ କରୁଛନ୍ତି । ଫଳରେ ଯାତ୍ରୀମାନେ ଏବେ ମୁଖ୍ୟ ରାସ୍ତା ନିକଟରୁ ନିଜ ନିଜର ସାମଗ୍ରୀ ଧରି ଚାଲି ଚାଲି ଏବଂ ଦଉଡୁଥିବା ଲକ୍ଷ୍ୟ କରାଯାଉଛି ।

ସେହିଭଳି ଷ୍ଟେସନରୁ ଅଶୋକନଗର ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାର ଅନ୍ୟ ପଟଟି ହୋଟେଲକୁ ଆସୁଥିବା ଲୋକଙ୍କ ଯାନବାହାନ ଦ୍ୱାରା ଅବରୋଧ ହୋଇ ରହୁଛି । କିଛି ଗାଡିଚାଳକ ମଧ୍ୟ ହୋଟେଲ ସାମ୍ନାରେ ନିଜ ନିଜର ଗାଡି ରଖି ପଳାଉଛନ୍ତି । ତେଣୁ ଯେଉଁମାନେ ଷ୍ଟେସନ ନିକଟକୁ ନିଜର ଚାରିଚକିଆ ଯାନ ନେଇ ଯାଉଛନ୍ତି ସେଠାରୁ ସହଜରେ ଫେରିବା ସମ୍ଭବ ହେଉନାହିଁ । ଅଧିକାଂଶ ସମୟରେ ଏଠାରେ ରାସ୍ତାରେ ଭିଡ ପରିଲକ୍ଷିତ ହେଉଛି ।

ଷ୍ଟେସନରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ସ୍ଥାନରେ ମଧ୍ୟରେ ଯାତ୍ରୀ ନେବାପାଇଁ ଅଟୋଚାଳକମାନେ ପ୍ରତିଯୋଗିତା ଚଳାଉଛନ୍ତି । ପ୍ରସ୍ଥାନ ପଥରେ ହିଁ ରାସ୍ତା ଅବରୋଧ କରି ଛିଡା ହେଉଛନ୍ତି । ଏଠାରେ ଆମ ବସ୍‍ ଓ ଅଟୋ ମଧ୍ୟରେ ଯାତ୍ରୀ ନେବାପାଇଁ ପ୍ରତିଯୋଗିତା ଚାଲିଛି । ଏହା କେତେବେଳେ ଲୋକଙ୍କ ଜୀବନ ନେଇଯିବ ତାହା କହିହେବ ନାହିଁ ।

ତେଣୁ ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରୁଥିବା କମିଶନରେଟ ପୁଲିସ୍‍ ତୁରନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ଯାତ୍ରୀ ପରିବହନ ସ୍ଥାନ ଉପରେ ନଜର ଦେବାକୁ ମତପ୍ରକାଶ ପାଉଛି । ଏହା ନହେଲେ ଏହି ସ୍ଥାନରେ କେବଳ ଯାନବାହାନ ଦୁର୍ଘଟଣା ଘଟିବ ନାହିଁ କେତେବେଳେ ପଥଚାରୀଙ୍କ ଜୀବନ ଚାଲିଯିବ ତାହା କହିବା ମୁସ୍କିଲ । (ତଥ୍ୟ)