Home General ଅଚଳ ହେଲାଣି ଟ୍ରାଫିକ ଲାଇଟ୍‍

ଅଚଳ ହେଲାଣି ଟ୍ରାଫିକ ଲାଇଟ୍‍

ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ ଭିଡ ଦିନକୁ ଦିନ ବଢୁଥିବାବେଳେ ସ୍ୱୟଂକ୍ରିୟ ଇଲେକଟ୍ରୋନିକ ଟ୍ରାଫିକ ବ୍ୟବସ୍ଥା କିନ୍ତୁ ବିଗିଡିବାରେ ଲାଗିଛି । ଖୋଦ୍‍ ପୁଲିସ୍‍ କମିଶନରଙ୍କ ଦପ୍ତର ନିକଟରେ ଥିବା ପାୱାରହାଉସ ଛକରେ ଅଚଳ ହୋଇପଡିଥିବା କିଛି ଟ୍ରାଫିକ ଲାଇଟ୍‍ ମରାମତି ହୋଇପାରୁ ନାହିଁ ।

ସ୍ମାର୍ଟ ସିଟିର ବିଭିନ୍ନ ଛକରେ ଲାଗିଥିବା ସ୍ୱୟଂକ୍ରିୟ ଇଲେକଟ୍ରୋନିକ୍ସ ଟ୍ରାଫିକ ବ୍ୟବସ୍ଥା ସହିତ ଲୋକେ କିଭଳି ଅଭ୍ୟସ୍ତ ହେବେ ଓ ରାସ୍ତାରେ ସୁରୁଖୁରୁରେ ଯା’ ଆସ କରିବେ ସେଥିପାଇଁ ଡାକବାଜି ଯନ୍ତ୍ରଦ୍ୱାରା ସଚେତନ କରୁଛନ୍ତି । ହେଲେ ଲୋକସେବାଭବନ ଓ ରାଜଭବନର ଅନତି ଦୂରରେ ଥିବା ପାୱାରହାଉସଛକରେ ଟ୍ରାଫିକ ପୋଷ୍ଟ ଲାଇଟ୍‍ର କେତେକ ଲାଇଟ୍‍ ଅଚଳ ହେଲେ ମଧ୍ୟ ତାହାର ମରାମତି ହୋଇପାରୁ ନାହିଁ । ଏଠାରେ ରାଜଭବନ ପଟରୁ ଆସୁଥିବା ଗାଡିଗୁଡିକ ଅଚଳ ଟ୍ରାଫିକ ଲାଇଟ୍‍ ଯୋଗୁଁ ସମସ୍ୟା ପଡୁଛନ୍ତି । ବାମପଟେ ଥିବା ଖୁଣ୍ଟରେ ଗୋଟିଏ ହେଲେ ଲାଇଟ୍‍ ଜଳୁନାହିଁ ।

ସେହିଭଳି ରାଜଧାନୀର କଳିଙ୍ଗ ହସ୍ପିଟାଲ ଛକରେ ଯେଭଳି ଟ୍ରାଫିକ ପୋଷ୍ଟରେ ସମୟ ସୂଚୀତ ହେଉଛି ତାହା ଅନ୍ୟ କୌଣସି ସ୍ଥାନରେ ନାହିଁ । ପୂର୍ବରୁ ଏହା ଥିବାବେଳେ ଧିରେ ଧିରେ ବିଭିନ୍ନ ସ୍ଥାନରେ ଏହା ଖରାପ ହୋଇଗଲାଣି । ଟ୍ରାଫିକ ଛକରେ ଅଟକୁଥିବା ଲୋକେ ସମୟ ଜାଣିପାରୁ ନଥିବାରୁ ଗାଡିକୁ ଷ୍ଟାର୍ଟ ଅବସ୍ଥାରେ ରଖି ତେଲ ପୋଡିବା ସହିତ ପରିବେଶ ପ୍ରଦୂଷିତ କରିବାରେ ଲାଗିଛନ୍ତି ।

ସେହିଭଳି ରାଜଧାନୀରେ ପ୍ରାୟ ସମସ୍ତ ଟ୍ରାଫିକ ପୋଷ୍ଟରେ ବାମପଟେ ଗାଡି ମୋଟର ଭିଡ ଦିନକୁ ଦିନ ଉତ୍କଟ ସମସ୍ୟା ସୃଷ୍ଟି କରୁଥିବାବେଳେ ତାହାର ସମାଧାନ ହୋଇପାରୁ ନାହିଁ । ଏପରିକି ସ୍ୱେଚ୍ଛାସେବୀମାନେ ଲୋକଙ୍କୁ ବୁଝାଇବା, ଡାକବାଜି ଯନ୍ତ୍ରରେ ପ୍ରଚାର କରିବା ସହିତ ଫାଇନ୍‍ କାଟିବାର ନାଲିଆଖି ଦେଖାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡିକୁ ବାମପଟେ ରାସ୍ତା ଦେବାକୁ ଗାଡିଚାଳକମାନେ ରାଜି ନୁହନ୍ତି ।

ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ନିକଟକୁ ମୋବାଇଲ୍‍ରେ ଫାଇନ୍‍ ମେସେଜ ପଠାଇ ଉଭୟ ପରିବହନ ବିଭାଗ ଓ କମିଶନରେଟ ପୁଲିସ୍‍ ନିଜ ନିଜର ଆୟ ବୃଦ୍ଧି କରୁଥିବାବେଳେ ଅସଜଡା ଟ୍ରାଫିକ ବ୍ୟବସ୍ଥାକୁ କିଭଳି ସଜଡାଯିବ ସେଥିପାଇଁ ସେତେଟା ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉ ନାହିଁ । ସ୍ମାର୍ଟସିଟି କର୍ତ୍ତୃପକ୍ଷ ବି ନିରବ । ଗୋଟିଏ ପଟେ ଅମାନିଆ ଗାଡି ଚାଳକ ଓ ଅନ୍ୟପଟେ ଟ୍ରାଫିକ ପୋଷ୍ଟରେ ଲାଇଟ୍‍ଗୁଡିକୁ ତୁରନ୍ତ ମରାମତି କରାନଯିବା ଏବେ ରାଜଧାନୀରେ ଟ୍ରାଫିକ ଭିଡ ବଢାଇବାରେ ଲାଗିଛି । ଯଦି ଏଥିରେ କିଛି ସୁଧାର ଅଣାନଯାଏ ତେବେ ପାର୍ବଣ ସମୟରେ ସ୍ଥିତି ଆହୁରି ବିଗିଡିବ ବୋଲି ରାଜଧାନୀବାସୀ ମତ ପ୍ରଦାନ କରୁଛନ୍ତି । (ତଥ୍ୟ)