ଭୁବନେଶ୍ୱର : ଓଡିଆ ଭାଷାର ପ୍ରଚାର ପ୍ରସାର ସହିତ ପ୍ରବାସୀ ଓଡିଆଙ୍କ ସହ ସମ୍ପର୍କ ସୁଦୃଢ ପାଇଁ କୋଲକତାରେ ପ୍ରତିଷ୍ଠା ହୋଇଥିବା ପାଠାଗାରଟି ଏବେ ଅଚଳ । ରାଜ୍ୟ ସରକାରଙ୍କ ଏହି ପାଠାଗାରରେ ତାଲା ଝୁଲୁଥିବାରୁ ପ୍ରବାସୀ ଓଡିଆମାନେ ଚାହିଁଲେ ମଧ୍ୟ ଏହାର ସଦୁପଯୋଗ କରିପାରୁ ନାହାନ୍ତି ।
ତିନି ଦଶନ୍ଧି ପୂର୍ବେ ରାଜ୍ୟ ସରକାର ଓଡିଶାର ବିଭିନ୍ନ ସ୍ଥାନ ସମେତ କୋଲକତା ଓ ନୂଆଦିଲ୍ଲୀ ଠାରେ ସୂଚନାକେନ୍ଦ୍ର- ପାଠାଗାର ନିର୍ମାଣ କରିଥିଲେ । ଏଥିପାଇଁ ବିଭିନ୍ନ ପ୍ରକାର ଓଡିଆ ପାଠ୍ୟପୁସ୍ତକ ସହିତ ଅନ୍ୟାନ୍ୟ ପୁସ୍ତକ ଯୋଗାଇ ଦିଆଯାଇଥିଲା । ପାଠାଗାର ପରିଚାଳନା ପାଇଁ ସ୍ୱତନ୍ତ୍ର ଅଧିକାରୀ ଓ କର୍ମଚାରୀ ନିଯୁକ୍ତ ହୋଇଥିଲେ । ଏହିସବୁ ପାଠାଗାର ପ୍ରତିଷ୍ଠା ସମୟରେ ବେଶ୍ ଆଦୃତ ହେବା ସହିତ ପ୍ରବାସୀ ଓଡିଆମାନେ ଏହାର ପୂର୍ଣ୍ଣ ସଦୁପଯୋଗ କରୁଥିଲେ ।
ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ଏହିସବୁ ପାଠଗାରକୁ ଓଡିଆ ଭାଷାର ଖବରକାଗଜ ସହିତ ଓଡିଆ ଭାଷାରେ ରଚିତ ବିଭିନ୍ନ ପୁସ୍ତକ, ପତ୍ର ପତ୍ରିାକା ପ୍ରଦାନ କରାଯାଉଥିଲା । ଫଳରେ ଓଡିଶା ବାହାରେ ରହୁଥିବା ଓଡିଆ ଯେଉଁମାନଙ୍କର ନିଜ ମାତୃଭାଷା ପ୍ରତି ମମତା ଥିଲା ସେମାନେ ନିୟମିତ ଭାବେ ଏହି ପାଠାଗାରକୁ ଆସି ପଢାପଢି କରୁଥିଲେ ।
ପାଠପଢା ବ୍ୟତିତ ଏଠାରେ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ, ଓଡିଶା ଦିବସ ଆଦି ଧୂମ୍ଧାମରେ ପାଳିତ ହେଉଥିଲା । ଏଥିରେ ଓଡିଶାର ବହୁ ବିଶିଷ୍ଟ ବ୍ୟକ୍ତି ଅତିଥିଭାବେ ଯୋଗ ଦେଉଥିଲେ । ପ୍ରବାସରେ ଥିବା ଓଡିଆମାନଙ୍କ ପାଇଁ ଏକାଠି ହେବା ଓ ଓଡିଶା ବିଷୟରେ ଅବଗତ ଲାଗି ଏହା ଥିଲା ଏକ ସୁଯୋଗ । ବିଶେଷକରି ପାଠାଗାରଟି ଓଡିଶା ବାହାରେ ଓଡିଆମାନଙ୍କୁ ଏକାଠି କରି ରଖିବାରେ ବଳିଷ୍ଠ ମାଧ୍ୟମ ପାଲଟିଥିଲା ।
କୋଲକତା ଠାରେ ଥିବା ପାଠଗାର ସହିତ ବିଭିନ୍ନ ଓଡିଆ ସଂଗଠନ ଜଡିତଥିଲେ । ସେମାନେ ଏଠାରେ ବିଭିନ୍ନ ଉତ୍ସବ ପାଳନ ସହିତ ନିଜ ପିଲାମାନଙ୍କୁ ନେଇ ଓଡିଆ ପୁସ୍ତକ ପଢିବାକୁ ଆସୁଥିଲେ । ହେଲେ କିଛିବର୍ଷ ଧରି ଏହି ପାଠଗାର ବନ୍ଦ ହୋଇଯିବା ସେମାନଙ୍କୁ କ୍ଷୁବ୍ଧ କରିଛି । କୋଲକାତାରେ ରହୁଥିବା କିଛି ପ୍ରବାସୀ ଓଡିଆ କହିଛନ୍ତି ଯେ ରାଜ୍ୟ ସରକାର ଓଡିଆ ଭାଷାକୁ ବିଶ୍ୱ ସ୍ତରରେ ପ୍ରଚାର ପ୍ରସାର ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଏଠାରେ ଥିବା ପାଠାଗାରଟିକୁ କିନ୍ତୁ ବନ୍ଦ କରିଦେଇଛନ୍ତି । ଏଠାରେ ନିଯୁକ୍ତି ପାଇଥିବା ସୂଚନା ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ଏଠାରୁ ଫେରାଇ ନିଆଯାଇଛି । ଏହାକୁ ପୂର୍ବଭଳି ଚଳାଗଲେ ଏଠାରେ ଥିବା ଅନେକ ଓଡିଆ ଉପକୃତ ହୋଇପାରନ୍ତେ ।
ଉଲ୍ଲେଖନୀୟ ଯେ ତିନି ଦଶନ୍ଧି ପୂର୍ବେ ରାଜ୍ୟ ସରକାର ଏହି ପାଠାଗାର ପରିକଳ୍ପନା କରିବା ସହିତ ମୋଟ୍ ୮୫ଟି ପାଠାଗାର ନିର୍ମାଣ କରିଥିଲେ ଯେଉଁଥିରେ ରାଜଧାନୀର ଜୟଦେବଭବନରେ ଥିବା ପାଠାଗାରାଟି ଅନ୍ୟତମ । ଏଠାରେ ଥିବା ପାଠାଗାରରେ ଉପଲବ୍ଧ ପତ୍ର ପତ୍ରିକା, ଖବରକାଗଜ ଓ ପୁସ୍ତକ ଆଦିର ଫାଇଦା ଉଠାଇ ଅନେକ ଯୁବକ ଯୁବତୀ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି । (ତଥ୍ୟ)