ଭୁବନେଶ୍ୱର : ସୈନିକ ସ୍କୁଲ ନିକଟସ୍ଥ ବିଏମ୍ସିର ଆବର୍ଜନା ପାହାଡ ଏବେ ରାଜଧାନୀରେ ପୂତ୍ତି ଗନ୍ଧମୟ ପରିବେଶ ସୃଷ୍ଟି କରିଥିବାବେଳେ କଂସେଇଖାନାର କାର୍ଯ୍ୟକ୍ଷମ ନହେବା ଏହାର ଅନ୍ୟତମ କାରଣ ପାଲଟିଛି । କଂସେଇଖାନାଟିଏ ନଥିବାରୁ ସହରର ବିଭିନ୍ନ ସ୍ଥାନରୁ ପ୍ରତିଦିନ ବାହାରୁଥିବା ବଧ ପଶୁଙ୍କ ବର୍ଜ୍ୟ ଏଠାରେ ପଡିବା ଫଳରେ ଦୁର୍ଗନ୍ଧର ମାତ୍ରା ବୃଦ୍ଧି ପାଉଛି ।
ରାଜଧାନୀର ବିଭିନ୍ନ ସ୍ଥାନରେ ଖୋଲା ମେଲାରେ ହେଉଥିବା ଛେଳି କଟାକୁ ରୋକିବାପାଇଁ ୨୦୧୧ ମସିହାରେ ଗାଡକଣ ଠାରେ କଂସେଇଖାନା ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲ।। ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟରେ ଏହା ପ୍ରତିଷ୍ଠା ହେଲା । ହେଲେ ପରିଚାଳନା ପାଇଁ ସଂସ୍ଥାଟିଏ ନମିଳିବାରୁ ଏଠାରେ ଗୋଟିଏ ହେଲେ ପଶୁ ବଧ ହୋଇପାରିଲା ନାହିଁ । ଏଠାରେ ଲାଗିଥିବା କୋଟି କୋଟି ଟଙ୍କାର ଯନ୍ତ୍ରପାତି ଖତ ହୋଇଗଲା । ବିଏମ୍ସି କର୍ତ୍ତୃପକ୍ଷ ଏହାକୁ ଚଳାଇବାକୁ ଆଗ୍ରହ ପ୍ରକାଶ କଲେନାହିଁ । ଏହି କଂସେଇଖାନା ପ୍ରତିଷ୍ଠା ସମୟରେ ସହରର ୮୦ଟି ସ୍ଥାନରେ ମାଂସ ଦୋକାନ ଥିବା ଆକଳନ ହୋଇଥିଲା ।
ବର୍ତ୍ତମାନ ସହରର ଗଳିକନ୍ଦିରେ ଖାସିମାଂସ ଦୋକାନ ଖୋଲିବାରେ ଲାଗିଛି । ତେବେ କଂସେଇଖାନା ନଥିବାରୁ ବିଭିନ୍ନ ସ୍ଥାନରେ ବଧ ପଶୁମାନଙ୍କର ଦେହାବଶେଷ ଅବ୍ୟବସ୍ଥିତ ହୋଇ ପଡିବା ସହିତ ତାହାକୁ ବୈଜ୍ଞାନିକ ପଦ୍ଧତିରେ ବିଘଟନ କରାଯାଇ ପାରୁନାହିଁ । ଏହି ପଶୁ ବର୍ଜ୍ୟଗୁଡିକ ମୁଖ୍ୟତଃ ସୈନିକସ୍କୁଲ ନିକଟସ୍ଥ ଅଳିଆଗଦାରେ ପଡୁଛି । ଫଳରେ ଅଳିଆ ଗଦାରୁ ବାହାରୁଥିବା ଦୁର୍ଗନ୍ଧ ବହୁଗୁଣିତ ହେବାରେ ଲାଗିଛି ।
କେବଳ ଖାସି ମାଂସ ଦୋକାନ ନୁହେଁ, ସହର ସାରା ଏବେ ଗଢି ଉଠିଥିବା ମାଳ ମାଳ କୁକୁଡା ଦୋକାନରୁ ବାହାରୁଥିବା ଟନ ଟନ୍ ବର୍ଜ୍ୟ ମଧ୍ୟ ବିଏମ୍ସିର ଏହି ଅଳିଆଗଦରେ ପହଞ୍ଚୁଛି । ଏଥି ସହିତ ମାଛଗୋଦାମ ଓ ଦୋକାନରୁ ବାହାରୁଥିବା ବିପୁଳ ପରିମାଣର ମାଛ କାତି ଓ ଅନ୍ୟାନ୍ୟ ବର୍ଜ୍ୟ ମଧ୍ୟ ଏହି ଅଳିଆଗଦାରେ ପ୍ରତିଦିନ ଗଦା ହେଉଛି । ଏହିସବୁ ବର୍ଜ୍ୟ ଅଳିଆଗଦାରେ ଥିବା ଅନ୍ୟ ସବୁଜବର୍ଜ୍ୟ ଓ ଅନ୍ୟାନ୍ୟ ସାମଗ୍ରୀରେ ମିଶିବା ଫଳରେ ପରିବେଶ ଅତ୍ୟନ୍ତ ପୂତ୍ତିଗନ୍ଧମୟ ହେଉଛି ।
ଗୋଟିଏ ପଟେ ମହାନଗରର ନିଗମରେ କଂସେଇଖାନାଟିଏ ନଥିବା ଏବଂ ସହର ମଝିରେ ଅବ୍ୟବସ୍ଥିତ ଭାବେ ଗଢି ଉଠୁଥିବା ଶହ ଶହ ମାଂସ ଓ ମାଛ ଦୋକାନ ଏବେ ସୈନିକସ୍କୁଲ ନିକଟରେ ପରିବେଶକୁ ବିଗାଡୁନାହିଁ, ସହରର ବିଭିନ୍ନ ସ୍ଥାନରେ ବ୍ୟବସାୟୀମାନେ ଲୁଚାଛପାରେ ଏହାକୁ ବିଭିନ୍ନ ସ୍ଥାନରେ ଫିଙ୍ଗୁଥିବାରୁ ସେଠାରେ ମଧ୍ୟ ପରିବେଶ ବିଗୁଡୁଛି ।
ବର୍ତ୍ତମାନ ଅଳିଆ ପାହାଡର ଦୁର୍ଗନ୍ଧକୁ ନେଇ ଅସନ୍ତୋଷ ବଢିବା ସହିତ ଏହାର ସମାଧାନ ବିଭିନ୍ନ ଯୋଜନା ପ୍ରସ୍ତୁତ ହେଉଛି । ହେଲେ ଆରମ୍ଭରୁ ଅଚଳ ହୋଇ ପଡିଥିବା କଂସେଇଖାନାକୁ ସଚଳ କରିବା ସହିତ ସହରର ବିଭିନ୍ନ ସ୍ଥାନରୁ କୁକୁଡା ଓ ମାଛ ଦୋକାନରୁ ବାହାରୁଥିବା ବର୍ଜ୍ୟକୁ ବୈଜ୍ଞାନିକ ପଦ୍ଧତିରେ ବିଘଟନ ପ୍ରତି କେହି ନଜର ଦେଉ ନାହାନ୍ତି । ଏହି ସମସ୍ୟାର ସମାଧାନ ହେଲେ ଆବର୍ଜନା ପାହାରୁ ବାହାରୁଥିବା ଦୁର୍ଗନ୍ଧ ସମସ୍ୟାର କିଛିଟା ସମାଧାନ ହୋଇପାରିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)