Home General ଅଙ୍ଗନବାଡିରେ ପଦବୀ ଖାଲି

ଅଙ୍ଗନବାଡିରେ ପଦବୀ ଖାଲି

ଭୁବନେଶ୍ୱର : ରାଜ୍ୟର ଅଙ୍ଗନବାଡି କେନ୍ଦ୍ରଗୁଡିକରେ ପାଖାପାଖି ୧୮ଲକ୍ଷ ପିଲା ପାଠ ପଢୁଥିବାବେଳେ ଆଠ ଶହରୁ ଅଧିକ ସୁପରଭାଇଜର ପଦବୀ ଖାଲି ପଡଛି । ସେହିଭଳି ପାଖାପାଖି ୪ହଜାର ସହାୟିକା ପଦବୀ ବି ପୂରଣ ହୋଇପାରୁ ନାହିଁ ।

ଛୋଟ ଛୋଟ ପିଲାଙ୍କ ମୂଳଦୂଆ ତିଆରି ହେଉଛି ଗାଁ ଠାରୁ ସହର ପର୍ଯ୍ୟନ୍ତ ଥିବା ଅଙ୍ଗନାବାଡିରେ । ରାଜ୍ୟରେ ରହିଛି ମୋଟ୍‍ ୭୪,୧୯୨ ଟି ଅଙ୍ଗନବାଡି କେନ୍ଦ୍ର । ଏଠାରେ ପଢୁଛନ୍ତି ୩ରୁ ୬ବର୍ଷ ବୟସର ପାଖପାଖି ୧୮ଲକ୍ଷ କୁନି କୁନି ପିଲା । ଏଠାରେ ମୂଳଦୂଆ ଦୃଢ ହେଲେ ଯିବେ ବିଦ୍ୟାଳୟକୁ । ଏହିସବୁ କେନ୍ଦ୍ରର ତଦାରଖ ପାଇଁ ରହିଛି ୨୯୨୨ଟି ମଞ୍ଜୁରୀପ୍ରାପ୍ତ ସୁପରଭାଇଜର ପଦବୀ । ହେଲେ ଏଥିରୁ ଖାଲି ପଡିଛି ୮୬୦ଟି । ସୁପରଭାଇଜର ନଥିବାରୁ ଅନେକ ସ୍ଥାନରେ ଅଙ୍ଗନବାଡିକେନ୍ଦ୍ରର ପରିଚାଳନା ଠିକଣା ଭାବେ ତଦାରଖ କରାଯାଇ ପାରୁନାହିଁ ।

ସେହିଭଳି ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର ପାଇଁ ଗୋଟିଏ କରି ମଞ୍ଜୁରୀପ୍ରାପ୍ତ ଅଙ୍ଗନବାଡି କର୍ମୀ ପଦବୀ ରହିଛି । ତଦନୁଯାୟୀ ରାଜ୍ୟରେ ୭୪,୧୯୨ ଜଣ ଅଙ୍ଗନବାଡି କର୍ମୀ ରହିବାକଥା । ହେଲେ ଏହି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୬୬୦ଟି ପୂରଣ ହୋଇନାହିଁ । ଅଙ୍ଗନବାଡି କର୍ମୀ ଭଳି ଗୋଟିଏ କରି ମଞ୍ଜୁରୀପ୍ରାପ୍ତ ସହାୟିକା ପଦବୀ ମଧ୍ୟ ରହିଛି । ସହାୟିକା ପଦବୀ ମଧ୍ୟରୁ ବି ୩୯୨୯ଟି ଖାଲି ପଡିଛି ।

ମୋଟାମୋଟି ଭାବେ ଅଙ୍ଗନବାଡି ସୁପରଭାଇଜର ଠାରୁ ଆରମ୍ଭ କରି ଅଙ୍ଗନବାଡି କର୍ମୀ ପର୍ଯ୍ୟନ୍ତ ଶତାଧିକ ପଦବୀ ଖାଲି ପଡିଛି । ଏଥିଯୋଗୁଁ କେତେକ ଅଙ୍ଗନବାଡି ବିନା କର୍ମୀରେ ତ ଆଉ କେତେକ ଅଙ୍ଗନବାଡି କେବଳ ସହାୟିକାଙ୍କ ହାତରେ ଚାଲୁଛି । ବହୁ ସ୍ଥାନରେ ଏମାନଙ୍କ କାର୍ଯ୍ୟର ତଦାରଖ କରିବାକୁ କେହି ନାହିଁ । ଫଳରେ ପିଲାମାନଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ ଆଦିର ତଦାରଖ ବହୁ ସ୍ଥାନରେ ବାଟବଣା ହେଉଛି ।

ବର୍ତ୍ତମାନ ସୁଦ୍ଧା ବି ରାଜ୍ୟର ୪ହଜାରରୁ ଅଧିକ ଅଙ୍ଗନବାଡିର ନିଜସ୍ୱ ଘରଟିଏ ନାହିଁ । ଏହିସବୁ କେନ୍ଦ୍ର ଭଡାଘରେ ଚାଲୁଛି ଓ ଭଡା ବାବଦରେ ସରକାର ବର୍ଷକୁ ୧୬କୋଟି ୩୬ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି । ଗତ ଦୁଇବର୍ଷ ମଧ୍ୟରେ ୬୦୦ଟି ଅଙ୍ଗନବାଡି କେନ୍ଦ୍ରକୁ ଏମଜିଏନଆରଇଜିଏସ୍‍ ସହଭାଗିତାରେ ଏବଂ ୫୮ଟି ଅଙ୍ଗନବାଡି କେନ୍ଦ୍ରକୁ ଜନମନ ଯୋଜନାରେ ନିର୍ମାଣ ପାଇଁ କେନ୍ଦ୍ର ସରକାର ୧୪କୋଟି ୧୬ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ୨୮୪୦ଟି ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ ହୋଇଥିବା ଜଣାଯାଇଛି ।

ରାଜ୍ୟର ଅଙ୍ଗନବାଡି କେନ୍ଦ୍ରଗୁଡିକରେ ପଢୁଥିବା ଶିଶୁଙ୍କ ମଧ୍ୟରେ ସର୍ବାଧିକ ୧,୫୩,୨୧୫ ଜଣ ଗଞ୍ଜାମ ଜିଲ୍ଲାରେ ଥିବାବେଳେ ମୟୁରଭଞ୍ଜରେ ଦ୍ୱିତୀୟ ସର୍ବାଧିକ ୧,୧୪,୨୬୨ ଜଣ ରହିଥିବା ନିକଟରେ ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ମହିଳା ଓ ଶିଶୁ ବିକାଶ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । (ତଥ୍ୟ)