Home General ଅଙ୍ଗନବାଡିକୁ ଅଣ୍ଡା ଦର ଚିନ୍ତା….

ଅଙ୍ଗନବାଡିକୁ ଅଣ୍ଡା ଦର ଚିନ୍ତା….

ଭୁବନେଶ୍ୱର : ଅଙ୍ଗନବାଡି ଓ ବିଦ୍ୟାଳୟଗୁଡିକରେ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ପାଇଁ ସରକାର ମାଗଣାରେ ଅଣ୍ଡା ଯୋଗାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

ସରକାରୀ ବିଦ୍ୟାଳୟଗୁଡିକରେ ଆଗରୁ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ମାଗଣା ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଥିବାବେଳେ ଏଥିରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଯୋଡିବାପାଇଁ ନିଷ୍ପତ୍ତି ହୋଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଲାଗି ଦିଆଯାଉଥିବା ମଧ୍ୟାହ୍ନଭୋଜନର ଖାଦ୍ୟ ତାଲିକାରେ ସପ୍ତାହରେ ଅନ୍ୟୁନ ୨ଦିନ ଅଣ୍ଡା ଦେବାର ବ୍ୟବସ୍ଥା ଅଛି ।

ସେହିଭଳି ଅଙ୍ଗନବାଡିକେନ୍ଦ୍ରଗୁଡିକ ମାଧ୍ୟରେ ୩ରୁ ୬ବର୍ଷ ବୟସର ପିଲା, ଗର୍ଭବତୀ ମହିଳା ଏବଂ ପୁଷ୍ଟିହୀନ ମହିଳମାନଙ୍କୁ ମଧ୍ୟ ମାଗଣାରେ ପୁଷ୍ଟିକର ଖାଦ୍ୟ ସହ ଔଷଧ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ଏଥିରେ ଛତୁଆ ସମେତ ଅନ୍ୟାନ୍ୟ ଖାଦ୍ୟ ସଂଗେ ସପ୍ତାହରେ ଦିନେ ଅଣ୍ଡା ଦିଆଯିବାପାଇଁ ଖାଦ୍ୟ ତାଲିକାରେ ବ୍ୟବସ୍ଥା ଅଛି ।

ଏବେ ବଜାରରେ ଅଣ୍ଡା ଦର ଗୋଟା ପିଛା ପ୍ରାୟ ୧୦ଟଙ୍କାରେ ପହଞ୍ଚିଥିବାବେଳେ ପାଇକାରୀରେ ଏହା ୮ଟଙ୍କାରୁ ଅଧିକ ରହୁଛି । ଅଙ୍ଗନବାଡିରେ ୩ରୁ ୬ବର୍ଷ ବୟସର ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଣ ତାଲିକାରେ ଦୈନିକ ହାରାହାରି ୬ଟଙ୍କା ବ୍ୟବସ୍ଥା କରାଯାଉଥିବାବେଳେ ଗର୍ଭବତୀ ମହିଳାଙ୍କ ପାଇଁ ୭ଟଙ୍କା ଅତି ସାଂଘାତିକ ପୁଷ୍ଟିହୀନ ଶିଶୁଙ୍କ ପାଇଁ ଦୈନିକ ହାରାହାରି ୯ଟଙ୍କାର ଖାଦ୍ୟ ଯୋଗାଇବାକୁ ବ୍ୟବସ୍ଥା ରହିଛି । ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି ଓ ଅନ୍ୟାନ୍ୟ ସଂସ୍ଥାରୁ ଅଙ୍ଗନବାଡି କେନ୍ଦ୍ରଗୁଡିକ ଲାଗି ଛତୁଆ ଆଦି କିଣାଯାଉଥିବାବେଳେ ଅଙ୍ଗନବାଡି କର୍ମୀମାନେ ଖୋଲା ବଜାରରୁ ଅଣ୍ଡା କିଣୁଛନ୍ତି ।

ସେହିପରି କେତେକ ବିଦ୍ୟାଳୟରେ ବିଦ୍ୟାଳୟ କମିଟି ମାଧ୍ୟମରେ ପ୍ରଧାନଶିକ୍ଷକଙ୍କ ତତ୍ୱାବଧାନରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରାଯାଉଥିବାବେଳେ ଆଉ କେତେକ ସ୍ଥଳରେ ଏହା ଯୋଗାଇବାପାଇଁ ବିଭିନ୍ନ ସଂସ୍ଥାଙ୍କୁ ଠିକା ଦିଆଯାଇଛି । ଠିକା ନେଇଥିବା ଅନେକ ସଂସ୍ଥା ଖାଦ୍ୟ ତାଲିକା ମୁତାବକ ସିଝା ଅଣ୍ଡା କିମ୍ବା ଅଣ୍ଡା ତରକାରୀ ନଦେଇ ତାହା ବଦଳରେ ପନିର୍‍ କୁହାଯାଉଥିବା କିଛି ସାମଗ୍ରୀ ଯୋଗାଉଛନ୍ତି । ଅନେକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଓ କମିଟି ସଦସ୍ୟମାନେ କହୁଛନ୍ତି ଯେ ସରକାର ଅଣ୍ଡା ପିଛା ଯେଉଁ ଦର ଦେଉଛନ୍ତି ବଜାରରେ ବସ୍ତୁତଃ ଅଣ୍ଡା ଦର ତାହାର ଦୁଇଗୁଣା ।

ଏଭଳି ସ୍ଥିତିରେ ଖାଦ୍ୟ ତାଲିକା ଅନୁଯାୟୀ ମଧ୍ୟାହ୍ନଭୋଜନରେ ସପ୍ତାହକୁ ଦୁଇଦିନ ଅଣ୍ଡା ନଦେଲେ ଅଭିଭାବକମାନେ ଆପତ୍ତି ଉଠାଉଛନ୍ତି । ଏ ପରିପ୍ରେକ୍ଷୀରେ ବଜାରରୁ ଶସ୍ତାରେ ଅଣ୍ଡା ମିଳିବା ସମ୍ଭବପର ହେଉନାହିଁ । ଏଥିଘେନି ଅଙ୍ଗନବାଡିକେନ୍ଦ୍ର ଓ ବିଦ୍ୟାଳୟଗୁଡିକରେ ଅଶାନ୍ତକର ବାତାବରଣ ସୃଷ୍ଟି ହେଉଛି । ତେଣୁ ରାଜ୍ୟ ସରକାର ସିଧାସଳଖ ଭାବେ ଏହାର ଦାୟିତ୍ୱ ନେଇ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ପ୍ରତି ସପ୍ତାହରେ ଆବଶ୍ୟକ ପରିମାଣର ଅଣ୍ଡା ଯୋଗାଇଦେବାକୁ ଦାବି ହେଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ର ରିପୋର୍ଟ ଅନୁଯାୟୀ ଓଡିଶାର ଶିଶୁ ଓ ମହିଳାମାନଙ୍କ ଭିତରେ ରକ୍ତହୀନତା ଓ ପୁଷ୍ଟିହୀନତା ସମସ୍ୟା ଉତ୍କଟ ଅବସ୍ଥାରେ ରହିଛି । ଏହାର ନିରାକରଣ ପାଇଁ ସରକାର ମାଗଣାରେ ପୁଷ୍ଟିକର ଖାଦ୍ୟ ଯୋଗାଣର ବ୍ୟବସ୍ଥା ରଖି ସେଥିରେ ଅଣ୍ଡାକୁ ସାମିଲ କରିଛନ୍ତି । ତେବେ ବଜାରରେ ଅଣ୍ଡା, ଡାଲି, ତେଲ, ପନିପରିବା ଓ ଅନ୍ୟ ସାମଗ୍ରୀର ଦର ଆକାଶଛୁଆଁ ହେଉଥିବାବେଳେ ସେହି ଅନୁପାତିରେ କିନ୍ତୁ ସରକାରୀ ଅନୁଦାନ ବଢୁନାହିଁ । (ତଥ୍ୟ)