ଭୁବନେଶ୍ୱର : ମଣିଷର ମୃତ୍ୟୁ ପରେ ବି ସେ ଆହୁରି ୮ଟି ଜୀବନ ବଂଚାଇପାରିବ । “ମୃତ୍ୟୁ ପରେ ବି ଜୀବନ” ଶୀର୍ଷକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତାର ବାର୍ତା ବାଂଟିଛି ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାର । ସମ୍ମମ୍ ପକ୍ଷରୁ ଶନିବାର ଅଂଗଦାନ ମହୋତ୍ସବ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଯାଇଛି ।
ସମ୍ମମ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଦ୍ୱେତନଗରୀର ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ । ସମ୍ମମ୍ର ଏହି ଉଦ୍ୟମକୁ ଶ୍ରୀ ପ୍ରିୟଦର୍ଶୀ ପ୍ରଶଂସା କରିବା ସହ ଗତ ଜୁନ୍ ୨୪ ତାରିଖ ଦିନ ହସ୍ପିଟାଲ୍ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ କିଭଳି ଭାବେ ତାଙ୍କର ୫ ଟି ଅଂଗକୁ ଦାନ କରାଯାଇ ୪ ଜଣ ବ୍ୟକ୍ତିଙ୍କର ଜୀବନ ରକ୍ଷା କରାଯାଇପାରିଥିଲା ସେ ନେଇ ହସ୍ପିଟାଲ୍କୁ ସାଧୁବାଦ ଜଣାଇଥିଲେ ।
ତେବେ ଏହି ପ୍ରକ୍ରିୟାରେ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ । ମୃତ ବ୍ୟକ୍ତିର ଅଂଗୁଗୁଡ଼ିକ କିଭଳି ତୁରନ୍ତ ସଂଗ୍ରହ କରାଯାଇ ଓ ଆବଶ୍ୟକ ସ୍ଥଳେ ଗ୍ରୀନ୍ କରିଡର ବ୍ୟବସ୍ଥା କରି ନିର୍ଦ୍ଦିଷ୍ଟ ହସ୍ପିଟାଲରେ ଥିବା ରୋଗୀଙ୍କ ନିକଟରେ ପହଂଚା ଯାଇପାରିବ ଏହା ପୋଲିସ୍ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଥିଲେ ।
ଅନ୍ୟ ରାଜ୍ୟ ସହ ଓଡ଼ିଶାର ଅଂଗଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ସମ୍ମମ୍ ଯେଉଁ ମହତ୍ କାର୍ଯ୍ୟ କରୁଛି ସେଥିପାଇଁ ସେ ହସ୍ପିଟାଲ୍କୁ କୃତଜ୍ଞତା ଜଣାଇଥିଲେ ।
ଏହି ଅବସରରେ ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଅଂଗଦାନ ପ୍ରକ୍ରିୟା ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଥିବା କହିଥିଲେ । ଗତ ଜୁନ୍ ୨୪ ତାରିଖରେ ସମ୍ମମରେ ବ୍ରେନ୍ଡେଡ୍ ହୋଇଯାଇଥିବା ସ୍ୱର୍ଗତ ପ୍ରସନଜୀତ ମହାନ୍ତିଙ୍କର ପତ୍ନୀଙ୍କର ସ୍ୱୀକୃତି ଯୋଗୁଁ ଏବଂ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)ର ସହଯୋଗରେ ତାଙ୍କର ଦୁଇଟି ଫୁସ୍ଫୁସ୍କୁ କୋଲକାତାରେ ଥିବା ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ଏବଂ ଯକୃତଟିକୁ ଦିଲ୍ଲୀର ଏକ ହସ୍ପିଟାଲ୍ରେ ଥିବା ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପଠାଯାଇଥିବା ବେଳେ ଦୁଇଟି ବୃକକ୍ ମଧ୍ୟରୁ ଗୋଟିକୁ ସମ୍ମମ୍ରେ ଜଣେ ରୋଗୀ ଓ ଅନ୍ୟଟିକ୍ୁ କଟକ ଏସ୍ସିବି ମେଡିକାଲ୍ କଲେଜ ହସ୍ପିଟାଲ୍ର ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା । ଏଭଳି ଅଂଗଦାନ ପ୍ରକ୍ରିୟା ଆଗକୁ ମଧ୍ୟ ସମ୍ମମ୍ ପକ୍ଷରୁ ଜାରୀ ରଖିବାକୁ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ଡକ୍ଟର ଦାଶ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଗତ ଜୁଲାଇ ୨ ତାରିଖରେ କାଜାକସ୍ଥାନ ଠାରେ “ଆଇରନ୍ ମ୍ୟାନ୍” ଟାଇଟଲ୍ ହାସଲ କରିଥିବା ସମ୍ମମ୍ର ରେଡିଓଡାଏଗ୍ନୋସିସ୍ ଆଣ୍ଡ ଇମେଜିଂ ସର୍ଭିସେସ୍ର ସିନିୟର କନ୍ସଲ୍ଟାଂଟ ମେଜର ଡକ୍ଟର ରଞ୍ଜନ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମମ୍ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଅଂଗଦାନର ସଚେତନତା ବାର୍ତା ନେଇ ସମ୍ମମ୍ର ବିଭିନ୍ନ କର୍ମଚାରୀମାନଙ୍କ ଦ୍ୱାରା ପ୍ରସ୍ତୁତ ପଥପ୍ରାନ୍ତ ନାଟକକୁ ହସ୍ପିଟାଲ୍ ସମ୍ମୁଖରେ ତଥା ନିକଟବର୍ତୀ ଅଂଚଳରେ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍ର ବରିଷ୍ଠ କର୍ମକର୍ତା, ଡାକ୍ତର, ନର୍ସ, ପାରାମେଡିକ୍ସ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।