ଭୁବନେଶ୍ୱର : ଖରାଦିନେ ଚାହିଦା ତୁଳନାରେ କମ୍ ଉତ୍ପାଦନ ଯୋଗୁଁ ବିଜୁଳି କାଟ୍ ହେଉଥିଲା । ଏବେ ବର୍ଷାଦିନେ ମେଘ ଘଡଘଡି ଆସିଲେ ବିଜୁଳି କାଟ୍ ହେଉଛି । ବିଜୁଳ୍ କାଟ୍ ନକରିବାପାଇଁ ଶକ୍ତି ସଚିବଙ୍କ ଠାରୁ ଆରମ୍ଭକରି ମୁଖ୍ୟ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିର୍ଦ୍ଦେଶ ଏବେ ପାଣିର ଗାର ।
ରାଜ୍ୟରେ ଘନ ଘନ ବିଜୁଳି କାଟ୍ ଯୋଗୁଁ ଅସନ୍ତୋଷ ବଢିବାରୁ ଶକ୍ତି ସଚିବ ଓ ମୁଖ୍ୟ ସଚିବ ଭିନ୍ନ ଭିନ୍ନ ସମୟରେ ବିଦ୍ୟୁତ୍ ଯୋଗାଣର ସମୀକ୍ଷା କରିବା ସହିତ ଅତି ଜରୁରୀ ନଥିଲେ ବିଜୁଳି କାଟ୍ ନକରିବାକୁ ତାଗିଦା କରିଥିଲେ । ଲୋକେ ଭାବିଥିଲେ ଆଉ ପୂର୍ବଭଳି ବିଜୁଳି କାଟ୍ ହେବନାହିଁ । ହେଲେ ଅବସ୍ଥା ଏବେ ଯଥା ପୂର୍ବଂ ତଥା ପରଂ ।
ସହରାଞ୍ଚଳରେ ଯଦିଓ ସ୍ଥିତିରେ କିଛିଟା ଉନ୍ନତି ଆସିଛି ଗାଁ ଗହଳରେ କିନ୍ତୁ ସ୍ଥିତି ସଙ୍ଗିନ୍ । ଆକାଶରେ ବର୍ଷା ଦେଖାଦେଲେ କିମ୍ବା ଗୋଟିଏ ଦୁଇଟି ଘଡଘଡି ମାରିଲେ ବିଦ୍ୟୁତ୍ କାଟ୍ ହେଉଛି । ଦିନ ସମୟରେ କଟିଲେ ୪/୫ ଘଣ୍ଟା ପରେ ଆସୁଥିବାବେଳେ ରାତିବେଳା କଟିଲେ ପରଦିନ ଆସୁଛି । ଏ ସଂକ୍ରାନ୍ତରେ ଅଭିଯୋଗ କଲେ କେତେବେଳେ ମରାମତିର ବାହାନା ଦେଖାଯାଉଛି ତ ଆଉ କେତେବେଳେ ଫିଡର ଖରାପ ବୋଲି କୁହାଯାଉଛି । ତେବେ ସବୁଠାରୁ ବଡକଥା ହେଲା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ସେସୁ ଥିବାବେଳେ ଲୋକଙ୍କ ଆପତ୍ତି ଅଭିଯୋଗ ଯେଭଳି ସମାଧାନ ହେଉଥିଲା ଟାଟା ପାୱାର ହାତକୁ ବଣ୍ଟନ ବ୍ୟବସ୍ଥା ଯିବାପରେ ତାହା ହେଉନାହିଁ ।
ଅବସ୍ଥା ଏଭଳି ହୋଇଛି ଯେ ଟାଟା ପାୱାର ଜାରି କରିଥିବା ଟୋଲ ଫ୍ରି ନମ୍ବର ୧୯୧୨କୁ ଫୋନ୍ କଲେ କେତେବେଳେ ଉତ୍ତରଓଡିଶାର କର୍ମଚାରୀ ଧରୁଛନ୍ତି ଓ ଆଉ କେତେବେଳେ ଦକ୍ଷିଣ ଓଡିଶାର କର୍ମଚାରୀ । ଥରେ ଫୋନ୍ ଧରିଲାପରେ ସେମାନେ ଆଉଗୋଟିଏ ନମ୍ବର ଧରାଇ ଦେଉଛନ୍ତି । ଏହାପରେ ଯେଉଁ କର୍ମଚାରୀ ଟେଲିଫୋନ୍ ଧରୁଛନ୍ତି ସେମାନେ ଅଭିଯୋଗଟିଏ ଦରଜ କରିବା ବଦଳରେ ଲୋକଙ୍କୁ ବହୁ ସମୟଧରି ଲାଇନ୍ରେ ରହିବାକୁ ଅନୁରୋଧ କରୁଛନ୍ତି । କିଛି ସମୟ ଲାଇନ୍ରେ ରହିବାପରେ ଟେଲିଫୋନ୍ ଛାଏଁ ଛାଏଁ କଟିଯାଉଛି । ପୁର୍ନବାର ଟେଲିଫୋନ୍ କଲେ ଅନ୍ୟଜଣେ ଧରି ପୁଣି ‘ଦାସେ ଆଇଲେ ମୂଳରୁ ଗା’ ଭଳି ହିତାଧିକାରୀ ନମ୍ବର, ନାମ, ଠିକଣା ଆଦି ସବୁ ବୁଝିବାପରେ ଲାଇନ୍ରେ ରହିବାକୁ ଅନୁରୋଧ କରୁଛନ୍ତି ।
କିଛି ସ୍ଥାନରୁ ମିଳିଥିବା ଅଭିଯୋଗ ଅନୁଯାୟୀ ବିଦ୍ୟୁତ୍ କାଟ୍ ନେଇ ବାରମ୍ବାର ଅଭିଯୋଗ କରୁଥିବା ହିତାଧିକାରୀଙ୍କୁ ସ୍ଥାନୀୟ ବିଦ୍ୟୁତ୍ କର୍ମଚାରୀମାନେ ଟାର୍ଗେଟ କରୁଛନ୍ତି । ବିଭିନ୍ନ ବାହାନା କରି ତାଙ୍କ ଘରେ ଚଢଉ କରୁଛନ୍ତି । ଫଳରେ ଗାଁ ଗହଳର ଲୋକେ ଅନ୍ଧାରରେ ରହୁଛନ୍ତି ପଛେ ଆଉ ଅଭିଯୋଗ ଲାଗି ସାହାସ କରୁନାହାନ୍ତି । ଏହା ଉପରେ ଓଇଆରସି କର୍ତ୍ତୃପକ୍ଷ ନଜର ଦେବାକୁ ବି ଦାବି ହେଉଛି ।
ମୋଟାମୋଟି ଭାବେ ରାଜ୍ୟରେ ମୌସୁମୀ ପ୍ରବେଶ ଆରମ୍ଭରୁ ଯେଭଳି ମେଘ ଘଡଘଡି ଦେଖି ବିଜୁଳି କାଟ୍ ହେଲାଣି ତାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଆଗାମୀ ଦିନରେ ଏହି ବିଦ୍ୟୁତ୍ କାଟ୍ ଆହୁରି ବଢିବ ବୋଲି ଗାଁ ଗହଳର ଲୋକେ ଆଶଙ୍କା କରୁଥିବାବେଳେ ଶକ୍ତି ସଚିବ ଓ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶକୁ ଟାଟା ପାୱାର କର୍ତ୍ତୃପକ୍ଷ କାହିଁକି ମାନୁନାହାନ୍ତି ବୋଲି ଓଲଟା ପ୍ରଶ୍ନ କରୁଛନ୍ତି ।
ଗୋଟିଏ ପଟେ ଗାଁ ଗହଳରେ ଅଘୋଷିତ ବିଜୁଳି କାଟ୍ ଜାରି ରହିଥିବାବେଳେ ଅନ୍ୟ ପଟେ ସହରାଞ୍ଚଳରେ ବିଜୁଳି ବିଲ୍ ସମସ୍ୟା ବଢିବାରେ ଲାଗିଛି । କାହାର ୨୧/୨୨ ଦିନରେ ବିଲ୍ ଆସୁଛି ତ ଆଉ କାହାର ୩୦/୩୨ ଦିନରେ । ଏଥିଯୋଗୁଁ ଗ୍ରାହକଙ୍କର କୌଣସି କ୍ଷତି ହେବନାହିଁ ବୋଲି ଟାଟାପାୱାର କର୍ତ୍ତୃପକ୍ଷ ଯୁକ୍ତି ବାଢୁଥିବାବେଳେ ଗ୍ରାହକମାନେ କିନ୍ତୁ ଏଭଳି ବ୍ୟବସ୍ଥାକୁ ନେଇ କ୍ଷୁବ୍ଧ ହେବାରେ ଲାଗିଛନ୍ତି । (ତଥ୍ୟ)