Home General ଅଗଷ୍ଟ ୧ ରୁ “ଆସ ଯିବା ଅଙ୍ଗନବାଡି” ଅଭିଯାନ

ଅଗଷ୍ଟ ୧ ରୁ “ଆସ ଯିବା ଅଙ୍ଗନବାଡି” ଅଭିଯାନ

ଭୁବନେଶ୍ୱର :  ଆସନ୍ତା ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ରୁ ୭ ତାରିଖରୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା  “ଆସ ଯିବା ଅଙ୍ଗନବାଡି” ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ରାଜ୍ୟବାସୀମାନେ ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ କରି ଅଙ୍ଗନବାଡିର ଭିତ୍ତିଭୂମି, ସ୍ଵଚ୍ଛତା ଓ କାର୍ଯ୍ୟଶୈଳୀ ଉପରେ ନିଜର ମତାମତ ରଖିବେ । ସେହି ମତାମତକୁ ଦୃଷ୍ଟିରେ ରଖି ଅଙ୍ଗନବାଡିର କାର୍ଯ୍ୟାନ୍ଵୟନ ନିର୍ଦ୍ଧାରିତ କରାଯିବ ବୋଲି ଶ୍ରୀମତୀ ପରିଡା ଦୃଢ ମତ ରଖିଛନ୍ତି ।

ଆଜି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ)ମାନଙ୍କ ନିମନ୍ତେ ଏକଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦଘାଟନ  ଅବସରରେ  ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କୁ ସୁଭଦ୍ରା ସଫଳତାର ଶ୍ରେୟ ଦେବା ସହ ରାଜ୍ୟରେ ମହିଳା ନେତୃତ୍ଵାଧୀନ ବିକାଶକୁ ତ୍ଵରାନିତ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଙ୍ଗନବାଡିର ଭିତ୍ତିଭୂମିକୁ ସୁଦୃଢ କରିବା ସହ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଇନଫ୍ରା ଆପ-“ୱସମ”(ଅଙ୍ଗନବାଡି ୱେଲଫେୟର ଆଣ୍ଡ ସର୍ଭିସ ଓଭରସାଇଟ ମନିଟରିଙ୍ଗ ଏଭରିହୋୟାର) କୁ ଲୋକର୍ପଣ କରିଛନ୍ତି । ଅଙ୍ଗନବାଡି ପରିସରରେ ସ୍ଵଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।  

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଓ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।  ସମସ୍ତ ଜିଲ୍ଲାରୁ ଆସିଥିବା ୪୦୦ରୁ ଅଧିକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀବୃନ୍ଦ  ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ମନୋଜ ଆହୁଜା ଉପସ୍ଥିତ ରହି ସିଡିପିଓମାନଙ୍କୁ ଜନକେନ୍ଦ୍ରିକ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଭିଜନ ଓଡ଼ିଶା ଦସ୍ତାବିଜରେ ମହିଳା ଓ ଶିଶୁମାନଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷାର ଏକ ପ୍ରମୁଖ ଭୂମିକା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ତାଙ୍କ ସ୍ଵାଗତ ଅଭିଭାଷଣରେ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ  । 

ଏହି କାର୍ଯ୍ୟକ୍ରମରେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟକର୍ତ୍ତାଙ୍କ ତାଲିମ ବ୍ୟବସ୍ଥାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ମହିଳା ଓ  ଶିଶୁ ବିକାଶ ବିଭାଗ, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ କୋପରେସନ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ(ଏନଆଇପିସିସିଡ଼ି) ମଧ୍ୟରେ ଏକ ବୁଝାମଣା ପତ୍ର ମଧ୍ୟ ସ୍ଵାକ୍ଷରିତ ହୋଇଯାଇଛି । ଏହି ବୁଝାମଣାପତ୍ର ଓଡ଼ିଶାରେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ କର୍ମଚାରୀଙ୍କ ନିୟମିତ ତାଲିମ, ଦକ୍ଷତା ଓ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ ବୋଲି  ଏନଆଇପିସିସିଡ଼ିର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ସଂଘମିତ୍ରା ବାରିକ ମତ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନରେ ବିତ୍ତ ପରାମର୍ଶଦାତା ଓ ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଏଲୋରା ମହାନ୍ତି ସିଡିପିଓମାନଙ୍କ ଭୂମିକା ଓ ଡିଡିଓ ହିସାବରେ ସେମାନଙ୍କ ଦାୟିତ୍ଵ ଓ ପ୍ରତିଷ୍ଠାନର କାର୍ଯ୍ୟଶୈଳୀ ଏବଂ ଦ୍ଵିତୀୟ ଅଧିବେଶନରେ ଶ୍ରୀମତୀ ଇତିଶ୍ରୀ ଦାସ ପେନସନ ରୁଲ, ଲିଭ୍ ରୁଲ, ପରଫର୍ମାମାସ୍ ଆପ୍ରାଇଜାଲ ରିପୋର୍ଟ (ପାର), ଟିଏ ରୁଲ ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟଶୈଳୀ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ତୃତୀୟ ଅଧିବେଶନରେ ଅତିରିକ୍ତ ସଚିବ, ଜ୍ୟୋତିଶଙ୍କର ମହାପାତ୍ର ପୋଶ ଆଇନ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।