Home General ଅଗଷ୍ଟ କ୍ରାନ୍ତିରେ ଓଡିଶାରୁ ୧୪୦ ଶହୀଦ

ଅଗଷ୍ଟ କ୍ରାନ୍ତିରେ ଓଡିଶାରୁ ୧୪୦ ଶହୀଦ

ଭୁବନେଶ୍ୱର : ଅଗଷ୍ଟ କ୍ରାନ୍ତି ଆନ୍ଦୋଳନ ସମୟରେ ଓଡ଼ିଶାରେ ଅନ୍ୟୁନ ୧୪୦ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ । ରାଷ୍ଟ୍ର ଏହି ଆନ୍ଦୋଳନର ୮୧ତମ ବାର୍ଷିକୀ ପାଳନ କରୁଥିବାବେଳେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଉଦ୍ୟମରେ ଏଥିପାଇଁ ଉତ୍ସବମାନ ଆୟୋଜନ କରାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୪୨ ଜୁଲାଇ ୧୪ ତାରିଖରେ ସେବାଗ୍ରାମ ଆଶ୍ରମରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସ୍ୱାଧୀନତା ଆନ୍ଦୋଳକୁ ତୀବ୍ର କରିବା ପାଇଁ ପ୍ରସ୍ତାବ ପାରିତ କରାଯାଇ ଏଥିଲାଗି ମହାତ୍ମା ଗାନ୍ଧୀଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଥିଲା । ଏହି ପ୍ରସ୍ତାବ ଆଧାରରେ ୧୯୪୨ ଅଗଷ୍ଟ ୭ ତାରିଖରୁ ବମ୍ବେରେ ନିଖିଳ ଭାରତ କଂଗ୍ରେସ କମିଟିର ଅଧିବେଶନ ଆରମ୍ଭ ହୋଇଥିଲା ଏବଂ ଏହି ଅବସରରେ ୮ ତାରିଖ ମଧ୍ୟ ରାତିରେ ମହାତ୍ମା ଗାନ୍ଧୀ ଉଦ୍‍ବୋଧନ ଦେଇ ଇଂରେଜ ଭାରତ ଛାଡ ଡାକରା ଦେବାସହ ଦେଶବାସୀଙ୍କୁ ‘କର ବା ମର’ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଶେଷ ଲଢେଇରେ ଆବଶ୍ୟକ ସ୍ଥଳେ ଜୀବନ ଦାନ କରି ଦେଶପାଇଁ ଗୌରବ ଅର୍ଜନ କରିବାକୁ କହିଥିଲେ ।

୯ ତାରିଖର ସୂର୍ଯ୍ୟୋଦୟ ପୂର୍ବରୁ ଗାନ୍ଧୀଜୀଙ୍କ ସମେତ ଅଧିକାଂଶ ନେତାଙ୍କୁ ଗିରଫ କରି ଅଜଣା ସ୍ଥାନକୁ ନିଆଯାଇଥିବାବେଳେ କୌଣସି ପ୍ରକାରେ ମାଳତୀ ଚୌଧୁରୀ ଓ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଛଦ୍ମ ବେଶରେ ବମ୍ବେରୁ ଖସିଆସି ଓଡ଼ିଶାରେ ପହଞ୍ôଚ ଆନ୍ଦୋଳନକୁ ତୀବ୍ର କରିଥିଲେ । ସାରା ଦେଶରେ ଅଗଷ୍ଟ ବିପ୍ଳବର ନିଆଁ ଜଳି ଉଠିଲା ଏବଂ ତାହାର ପ୍ରତିଫଳନ ସ୍ୱରୂପ ଶେଷରେ ୧୯୪୭ ଅଗଷ୍ଟ ୧୫ରେ ଆମ ଦେଶ ସ୍ୱାଧୀନତା ହାସଲ କରିଥିଲା । ତେଣୁ ଏହି ଐତିହାସିକ ଦିବସକୁ ଅବିସ୍ମରଣୀୟ କରି ରଖିବା ପାଇଁ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୮୧ବର୍ଷ ଧରି ସ୍ମାରକୀ ଉତ୍ସବ ପାଳନ କରାଯାଉଛି ଏବଂ ଦଳମତ ନିର୍ବିଶେଷରେ ବିଭିନ୍ନ ବର୍ଗର ଲୋକେ ଏଥିରେ ସାମିଲ ହେଉଛନ୍ତି ।

ଅନ୍ୟବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଅବସରରେ ରାଜଧାନୀରେ ସରକାରୀ ଓ ବେସରକାରୀ ସ୍ତରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କାର୍ଯ୍ୟକ୍ରମ ସହ ସାଧାରଣ ସଭା ଓ ଆଲୋଚନାଚକ୍ରମାନ ଆୟୋଜିତ ହେଉଛି ।

କଟକର ଐତିହାସିକ ସ୍ୱରାଜ ଆଶ୍ରମ, ଜଗତସିଂହପୁରର ଅଳକା ଆଶ୍ରମ, କୁଜଙ୍ଗର ଲବଣତୀର୍ଥ ଆଦି ସ୍ଥାନରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଜଗତସିଂହପୁର ସମେତ କେତେକ ସ୍ଥାନରେ ଏହି ଅବସରରେ ଛାତ୍ର ଓ ଯୁବ ସମାଜ ମଧ୍ୟରେ ନିଶା ନିବାରଣ ସମ୍ପର୍କରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେଉଛି । ମାଲକାନଗିରି, ନବରଙ୍ଗପୁର, ପୁରୀ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ସୁନ୍ଦରଗଡ଼ ସମେତ ଅନ୍ୟାନ୍ୟ ଜିଲ୍ଲାରେ ବି ଭାରତ ଛାଡ ଆନ୍ଦୋଳନର ସ୍ମାରକୀ ଉତ୍ସବମାନ ଆୟୋଜନ କରାଯାଇଥିବାର ଖବର ମିଳିଛି ।

ଆକାଶବାଣୀ, ଦୂରଦର୍ଶନ ଏବଂ ବିଭିନ୍ନ ଘରୋଇ ଟିଭି ଚ୍ୟାନେଲ ମଧ୍ୟ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ପ୍ରସାରଣ କରିବାକୁ ଯାଉଛନ୍ତି । ଆଉ କେତେକ ସ୍ଥଳରେ ଅଗଷ୍ଟ ୯ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସପ୍ତାହବ୍ୟାପି କାର୍ଯ୍ୟକ୍ରମ ହେଉଥିବା ଜଣାପଡିଛି ।

ଗାନ୍ଧୀ ବିଚାରର ଅନ୍ୟତମ ଚିନ୍ତକ ପ୍ରହଲାଦ ସିଂହ ଏ ପ୍ରସଙ୍ଗରେ କହଛନ୍ତି ଯେ ଭାରତ ଛାଡ ଆନ୍ଦୋଳନବେଳେ ଗାନ୍ଧୀଜୀଙ୍କ କର ବା ମର ଆହ୍ୱାନ ଓଡ଼ିଶାରେ ଯେଉଁ ଚମକ ସୃଷ୍ଟି କରିଥିଲା ସେଥିରେ ଅନ୍ୟୁନ ୧୪୦ଜଣ ଜେଲ୍‍ ଭିତରେ ଓ ବାହାରେ ଏବଂ ଫାଶୀ ଖୁଣ୍ଟରେ ଝୁଲି ଶହୀଦର ସମ୍ମାନ ଲାଭ କରିଛନ୍ତି । ସେ କହିଛନ୍ତି ଯେ ଗାନ୍ଧୀଜୀ କେବେ ଅଭିବକ୍ତ କୋରାପୁଟ ଜିଲ୍ଲା ଗସ୍ତ କରିନଥିଲେ ବି ବଣ ପାହାଡ ଘେରା ଏହି ଅଞ୍ଚଳରେ ଗାନ୍ଧୀଜୀଙ୍କ ଆହ୍ୱାନର ପ୍ରଭାବ ଏତେ ତୀବ୍ର ଥିଲା ଯେ ଅନ୍ୟୁନ ୮୩ଜଣ ଏହି ଜିଲ୍ଲାରୁ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି । ମାଥିଲି ଗୁଳିକାଣ୍ଡରେ ୫ଜଣ ଶହୀଦ ହୋଇଥିବାବେଳେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଛି ।

ପାପଡ଼ାହାଣ୍ଡି ଗୁଳିକାଣ୍ଡରେ ୧୯ଜଣ ଶହୀଦଙ୍କ ପତ୍ତା ମିଳିଥିବାବେଳେ ଲୁଣିଆ ଗୁଳିକାଣ୍ଡରେ ୯ଜଣ ଓ ତୁଡ଼ିଗଡିଆ-ଖଇରାଡିହିରେ ୩ଜଣ, କାଇପଡ଼ା-କଳାମାଟିଆ ଗୁଳିକାଣ୍ଡରେ ୪ଜଣ, ନିମାପଡ଼ାରେ ଜଣେ ଓ ରକ୍ତତୀର୍ଥ ଇରମରେ ଜଣେ ମହିଳାଙ୍କ ସମେତ ୨୯ଜଣ ଶହୀଦ ହୋଇଥିଲେ । ଏହାଛଡ଼ା ଢେଙ୍କାନାଳ, ତାଳଚେର, ନୟାଗଡ଼, ନୀଳଗିରି, ସୋନପୁର ଆଦି ଗଡ଼ଜାତ ଅଞ୍ଚଳରେ ମଧ୍ୟ ଅନେକ ସଂଗ୍ରାମୀ ଶହୀଦ ହୋଇଥିଲେ । ଗୁଳିକାଣ୍ଡରେ ଶତାଧିକ ଆହତ ହୋଇଥିବାବେଳେ ଜେଲ୍‍ ଭିତରେ ଓ ବାହାରେ ଦିଆଯାଇଥିବା ନିର୍ଯାତନାରେ ବି ଅନେକ ଓଡ଼ିଆ ସତ୍ୟାଗ୍ରହୀ ଦେଶ ପାଇଁ ଜୀବନ ଦେଇଥିବା ସେ କହିଛନ୍ତି । (ତଥ୍ୟ)