Home Energy ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ କରିବ ଅଦାନୀ ଗ୍ରୁପ୍‍

ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶ କରିବ ଅଦାନୀ ଗ୍ରୁପ୍‍

ଭୁବନେଶ୍ୱର : ଆଜି ଅଦାନୀ ଗ୍ରୁପ୍‌ର ପ୍ରତିନିଧିମାନେ ଆଜି ଖାରବେଳଭବନ ଠାରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରି ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିବା ସହ ରାଜ୍ୟର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ୧.୫ ଲକ୍ଷ କୋଟି ଟଙ୍କାର ବୃହତ୍ ପୁଞ୍ଜିନିବେଶ ପାଇଁ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।

ଏହି ପ୍ରମୁଖ ନିବେଶ ପଦକ୍ଷେପର ଅଂଶସ୍ୱରୂପ, ବିଶ୍ୱସନୀୟ ଏବଂ କମ୍-ନିର୍ଗମନ ବିଶିଷ୍ଟ ବେସଲୋଡ୍ ଶକ୍ତି ଯୋଗାଇବା ପାଇଁ ଅଦାନୀ ଗ୍ରୁପ୍ ଦୁଇଟି ୩,୦୦୦ ମେଗାୱାଟ୍‌ର ପରମାଣୁ ବିଦ୍ୟୁତ୍ ପ୍ରକଳ୍ପ, ୨,୪୦୦ ମେଗାୱାଟ୍‌ର ୟୁଏସ୍‌ସି ଥର୍ମାଲ୍ ପାୱାର୍ ପ୍ଲାଣ୍ଟ ଏବଂ ପମ୍ପଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟ  ସ୍ଥାପନ କରିବାକୁ ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଛି।

ସୂଚନାଯୋଗ୍ୟ ଯେ, ଗ୍ରୁପ୍ ପକ୍ଷରୁ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ୧.୮୦ ଗିଗାୱାଟ୍‌ର ଏକ ପମ୍ପଡ ଷ୍ଟୋରେଜ ପ୍ରକଳ୍ପ ବିକଶିତ କରାଯାଉଛି।  ଶାନ୍ତି ଆକ୍ଟ ୨୦୨୫ର ଉପଯୋଗ କରି ଓଡ଼ିଶାର ବିଦ୍ୟୁତ୍ ଉତ୍ପାଦନ କ୍ଷମତାକୁ ବହୁ ପରିମାଣରେ ବୃଦ୍ଧି କରିବା ସହ ଆକଳନ ଅନୁଯାୟୀ ୨୨,୦୦୦ ରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଏହି ଆଲୋଚନାରେ ଅଦାନୀ ପାୱାର ଲିମିଟେଡ୍‌ର ପ୍ରତିନିଧି, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଗ୍ରୀଡ଼କୋର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ଓପିଜିସି, ଓଏଚପିସି, ଗ୍ରୀଡ଼କୋ ଆଦିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।