Home Energy ଅକ୍ଷୟଶକ୍ତି ଉତ୍ପାଦନରେ ଓଡିଶା ପଛରେ

ଅକ୍ଷୟଶକ୍ତି ଉତ୍ପାଦନରେ ଓଡିଶା ପଛରେ

ଭୁବନେଶ୍ୱର : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅକ୍ଷୟ ଶକ୍ତି ଉପରେ ଗୁରୁତ୍ୱ ଦେଉଥିବାବେଳେ ବିଗତ ୫ବର୍ଷ ମଧ୍ୟରେ ଓଡିଶାରେ ପାଖପାଖି ହଜାରେ କିଲୋୱାଟ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ ହୋଇଛି । ଏଥି ମଧ୍ୟରେ ମୁଖ୍ୟତଃ ସୌରଶକ୍ତି ପ୍ରକଳ୍ପ ରହିଥିବାବେଳେ ଦେଶର ଅନ୍ୟାନ୍ୟ ରାଜ୍ୟମାନେ କିନ୍ତୁ ଓଡିଶା ଠାରୁ ଢେର ଆଗରେ ରହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ରାଜସ୍ଥାନରେ ୩୭ହଜାର ମେଗାୱାଟରୁ ଅଧିକ କ୍ଷମତାର ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ ହୋଇଥିବାବେଳେ ଗୁଜୁରାଟରେ ୩୫ହଜାର, କର୍ଣ୍ଣାଟକରେ ପାଖପାଖି ୨୧ହଜାର, ମହାରାଷ୍ଟ୍ରରେ ୨୧ ହଜାରରୁ ଅଧିକ, ତାମିଲନାଡୁରେ ୨୩ହଜାର ମୋଗାୱାଟରୁ ଅଧିକ କ୍ଷମତାସମ୍ପନ୍ନ ପ୍ରକଳ୍ପ ସ୍ଥାପନ ହୋଇଛି । ପଡୋଶୀ ଆନ୍ଧ୍ରପ୍ରଦେଶରେ ଏହି ୫ବର୍ଷ ମଧ୍ୟରେ ୧୦,୬୬୨ ମେଗାୱାଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ ହୋଇଥିବାବେଳେ ଛତିଶଗଡରେ ୧୮୫୨ ମେଗାୱାଟ ପ୍ରକଳ୍ପ ସ୍ଥାପନ କରାଯାଇଛି । ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ମଧ୍ୟପ୍ରଦେଶରେ ୯ହଜାର ମେଗାୱାଟରୁ ଅଧିକ, ଜାମ୍ମୁକାଶ୍ମୀରରେ ୧୨ଶହ ମେଗାୱାଟ ଓ କେରଳରେ ୨୧ଶହ ମେଗାୱାଟରୁ ଅଧିକ କ୍ଷମତା ସମ୍ପନ୍ନ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ ହୋଇଛି ।

ସୌରଶକ୍ତି ସହିତ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ରାଜ୍ୟମାନେ ବୃହତ୍‍ ଜଳବିଦ୍ୟୁତ୍‍ ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଉଥିବାବେଳେ ୨୦୧୪-୧୫ ରୁ ୨୦୧୯-୨୦ ମଧ୍ୟରେ ଓଡିଶାରେ ୨୧୫୧ ମେଗାୱାଟର ଜଳବିଦ୍ୟୁତ୍‍ ପ୍ରକଳ୍ପ ସ୍ଥାପନ କରାଯାଇଛି । ତାମିଲନାଡୁରେ ଏହି ସମୟ ମଧ୍ୟରେ ୨୧୭୮, କେରଳରେ ୧୮୫୭, ପଶ୍ଚିମବଙ୍ଗରେ ୧୩୯୬, ମହାରାଷ୍ଟ୍ରରେ ୩୩୫୯, ମଧ୍ୟପ୍ରଦେଶରେ ୩୨୪୦, ଉତ୍ତରପ୍ରଦେଶରେ ୩୩୯୭, ଉତ୍ତରାଖଣ୍ଡରେ ୧୮୭୭, ପଞ୍ଜାବରେ ୩୮୧୯, ହିମାଚଳପ୍ରଦେଶରେ ୨୮୧୩, ହରିଆନାରେ ୨୩୧୨ ମେଗାୱାଟର ବୃହତ୍‍ ଜଳବିଦ୍ୟୁତ୍‍ ପ୍ରକଳ୍ପ ସ୍ଥାପନ କରାଯାଇଛି ।

ଅକ୍ଷୟଶକ୍ତି ଉତ୍ପାଦନର ବିଭିନ୍ନ ଉତ୍ସ ଯଥା ଜଳବିଦ୍ୟୁତ୍‍, ସୌରଶକ୍ତି, ପବନ ଶକ୍ତି ଆଦି ପାଇଁ ଓଡିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଥିବାବେଳେ ଓଡିଶା କିନ୍ତୁ ଏ କ୍ଷେତ୍ରରେ ଢେର ପଛରେ ପଡିଥିବା ଲକ୍ଷ୍ୟ କରାଯାଉଛି । ବିଶେଷକରି ନଦ ନଦୀ ଭରା ଓଡିଶାରେ ବର୍ଷାଦିନେ ନଦୀଗୁଡିକରେ ପ୍ରବାହିତ ଜଳର ଅଧାରୁ ଅଧିକ ସମୁଦ୍ରକୁ ବହି ଯାଉଥିବାବେଳେ ସେଭଳି ଆଖିଦୃଶିଆ ଜଳବିଦ୍ୟୁତ୍‍ ପ୍ରକଳ୍ପ ସ୍ଥାପନ ହୋଇପାରୁନାହିଁ । ବିଶେଷକରି ବୃହତ୍‍ ଜଳବିଦ୍ୟୁତ୍‍ ପ୍ରକଳ୍ପ ସ୍ଥାପନ କ୍ଷେତ୍ରରେ ଓଡିଶା ପଞ୍ଜାବ, ହରିଆନା ଭଳି ରାଜ୍ୟଠାରୁ ଢେର ପଛରେ ପଡିଥିବା ଲକ୍ଷ୍ୟ କରାଯାଇଛି ।

ସେହିଭଳି ସୌର ଶକ୍ତି ଉତ୍ପାଦନରେ ମଧ୍ୟ ଗୁଜୁରାଟ, ମହରାଷ୍ଟ୍ର ଓ ରାଜସ୍ଥାନ ଭଳି ରାଜ୍ୟଠାରୁ ଢେର ପଛରେ । ବ୍ୟାପକ ସବସିଡ୍‍ ପ୍ରଦାନ ସହିତ ପ୍ରଚାର ପ୍ରସାର ହେଉଥିଲେ ମଧ୍ୟ ଓଡିଶା ଲୋକେ ଏଥିପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି । ବିଦ୍ୟୁତ୍‍ ବିତରଣ ଦାୟିତ୍ୱରେ ଥିବା କମ୍ପାନୀମାନେ ମଧ୍ୟ ଲୋକଙ୍କୁ ସେଭଳି ଭାବେ ପ୍ରବର୍ତ୍ତାଉନଥିବା ଲକ୍ଷ୍ୟ କରାଯାଉଛି ।

ଉଲ୍ଲେଖନୀୟ ଯେ ବୃହତ୍‍ ଜଳବିଦ୍ୟୁତ୍‍ ସହିତ ଅନ୍ୟାନ୍ୟ ଅକ୍ଷୟଶକ୍ତି ଉତ୍ସରୁ ୨୦୨୨-୨୩ ବର୍ଷରେ ସମଗ୍ର ଦେଶରେ ୩ଲକ୍ଷ ୬୫ହଜାର ମେଗାୱାଟରୁ ଅଧିକ ଶକ୍ତି ମିଳିଥିବାବେଳେ ୨୦୨୪-୨୫ ରେ ଏହା ୪ଲକ୍ଷ ମେଗାୱାଟକୁ ଟପିଯାଇଥିଲା ଏବଂ ଚଳିତ ଆର୍ଥିକ ବର୍ଷରେ ମଇ ଶେଷ ସୁଦ୍ଧା ଅକ୍ଷୟଶକ୍ତି ଉତ୍ସରୁ ୭୩ହଜାର ମେଗାୱାଟରୁ ଅଧିକ ବିଜୁଳି ଉତ୍ପାଦିତ ହୋଇସାରିଲାଣି । (ତଥ୍ୟ)