Home News in Odia ଅକ୍ଟୋବର ୩୧ରୁ ଓଡିଶାରେ ଭାରତ ଯୋଡ଼ ଯାତ୍ରା

ଅକ୍ଟୋବର ୩୧ରୁ ଓଡିଶାରେ ଭାରତ ଯୋଡ଼ ଯାତ୍ରା

ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଅନୁକରଣରେ ଓଡ଼ିଶାରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା” କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ଯୋଡ଼ ଯାତ୍ରା- ଓଡ଼ିଶା କାର୍ଯ୍ୟାନ୍ୱୟନ କମିଟିର ଅଧ୍ୟକ୍ଷ ବିଧାୟକ ସନ୍ତୋଷ ସିଂହ ସାଲୁଜା ସୂଚନା ଦେଇଛନ୍ତି । ଏହା ଓଡ଼ିଶାରେ ୨୭ ଟି ଜିଲ୍ଲା, ୧୯ ସଂସଦୀୟ କ୍ଷେତ୍ର, ୨୨୫୦ କି.ମି. ରାସ୍ତାକୁ ପ୍ରାୟ ୧୦୦ ଦିନରେ ଅତିକ୍ରମ କରିବ ।

ଏହି ଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା, ସାଂସଦ ଓ ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ, ଛାମୁଆ ସଂଗଠନ, ଜିଲ୍ଲା କଂଗ୍ରେସ ସଭାପତି, ବୁଦ୍ଧିଜୀବୀ, କୃଷକ, ଶ୍ରମିକ, ବେକାର ଯୁବକ ଯୁବତୀ, ମହିଳା, ଛାତ୍ର ଛାତ୍ରୀ, ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶ ଗ୍ରହଣ କରିବେ । ଓଡ଼ିଶାରେ ସାମାଜିକ ଅର୍ଥନୈତିକ ଓ ରାଜନୈତିକ ସ୍ଥିତିର ବୈପ୍ଳବିକ ପରିବର୍ତନ ପାଇଁ ଏହି “ଭାରତ ଯୋଡ଼ ଯାତ୍ରା – ଓଡ଼ିଶା” ଉଦ୍ଦିଷ୍ଟ ।

ଅକ୍ଟୋବର ୩୧ ତାରିଖ ଭୁବନେଶ୍ୱର ସ୍ଥିତ ଇନ୍ଦିରା ପାର୍କ ଠାରୁ ପ୍ରଭାତରୁ ଏହି ଯାତ୍ରା ଆରମ୍ଭ ହେବ । ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଛାଦିନର ପ୍ରତାରଣାରେ ଆଜି ଦେଶର ତଥା ଓଡ଼ିଶାର ଜନସାଧାରଣ ଅତିଷ୍ଠ । ଜାତି, ଧର୍ମ, ବର୍ଣ୍ଣ, ଭାଷା, ଖାଦ୍ୟ, ପୋଷାକ ଓ ଆଂଚଳିକ ବାଦକୁ ନେଇ କେବଳ ରାଜନୈତିକ ଫାଇଦା ପାଇଁ ମୋଦି, ବିଜେପି ଏବଂ ଆରଏସଏସ ଦେଶରେ ଘୃଣା,ହିଂସା ଏବଂ ବିଦ୍ୱେଷର ମଞ୍ଜି ବୁଣୁଛନ୍ତି । ଭାରତୀୟ ମାନଙ୍କର ଏକତା, ଭାତୃଭାବ, ସଂହତିକୁ କୌଶଳକ୍ରମେ ନଷ୍ଟ କରାଯାଉଛି । ଭାରତର ଗଣତନ୍ତ୍ର ଓ ସମ୍ବିଧାନ ତଥା ସାମ୍ବିଧାନିକ ଅନୁଷ୍ଠାନକୁ ବିପଦଗ୍ରସ୍ତ କରାଯାଉଛି । ମୋଦି ଓ ଆରଏସଏସର ଚାପରେ ସମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ଦୁର୍ବଳ ହୋଇପଡ଼ିଛି । ଆଉ ନିରପେକ୍ଷ ହୋଇନାହିଁ । ଭାରତୀୟ ଗଣତନ୍ତ୍ରର ଗରିମା ନଷ୍ଟ ହୋଇ ପଡ଼ୁଛି । ଦିନକୁ ଦିନ ଗଣତନ୍ତ୍ର ବଦଳରେ ମୋଦି ତନ୍ତ୍ର ବଳବତର ହେଉଛି ।

ବିକାଶ ନାମରେ ଆହ୍ୱାନ ଦେଉଥିବା ମୋଦି ଆଠ ବର୍ଷ ଭିତରେ ଭାରତବର୍ଷର ବିନାଶ କରିଛନ୍ତି । ଜନସାଧରଣଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ରକ୍ଷା କରିବାରେ ଅସମର୍ଥ ହୋଇଛନ୍ତି । ଯୁବକମାନେ ଆଜି ଦିଶାହୀନ । ଦୁଇକୋଟି ନିଯୁକ୍ତିର ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି । ୮ ବର୍ଷରେ ୧୬ କୋଟି ଲୋକ ନିଯୁକ୍ତି ପାଇବା କଥା । ମାତ୍ର ଭାରତ ସରକାରଙ୍କର ସମୁଦାୟ ମଞ୍ଜୁରିପ୍ରାପ୍ତ ୪୦,୩୫,୨୦୩ ପଦବୀରୁ ୯.୭୯ ଲକ୍ଷ ପଦବୀ ଖାଲି ପଡ଼ିଛି । କୋଟି କୋଟି ଲୋକ ବେକାରୀ ବୋଝରେ ହନ୍ତସନ୍ତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନିଦକ ବସିଛନ୍ତି । ମୋଦିଙ୍କ “ପକୋଡ଼ା ନିଯୁକ୍ତି” ବୟାନ ଦେଶର ବେକାର ଯୁବକ ଯୁବତୀ ମାନଙ୍କପାଇଁ ଉପହାସ । ମହଙ୍ଗା ମାଡ ଓ ଦାରିଦ୍ର‌୍ୟ ପରିସ୍ଥିତି ଅଣାୟତ ହୋଇପଡ଼ିଛି । ଅତି ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଉପରେ ଜିଏସଟି ଲାଗୁ ହେବା ଫଳରେ ସାଧାରଣ ଲୋକଙ୍କର ଜୀବନଯାପନ ଦୁଃର୍ବିସହ ହୋଇପଡ଼ିଛି । ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦର ଆକାଶ ଛୁଆଁ ।

ବିଶ୍ୱ ଖାଦ୍ୟ ସୂଚାଙ୍କର ତଥ୍ୟ ଅନୁସାରେ ଭାରତ ଏକ ଭୋକିଲା ଦେଶ (୧୨୧ ରୁ ୧୦୭ ସ୍ଥାନ) ର ଅପବାଦ ମୁଣ୍ଡାଇଛି । ପ୍ରତି କଥାରେ କଂଗ୍ରେସ ଓ ନେହେରୁଙ୍କ ଦୋଷାରୋପ କରୁଥିବା ମୋଦି କଂଗ୍ରେସ, ନେହେରୁ, ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ନରସିଂହ ରାଓ ଓ ମନମୋହନ ସିଂ ଦେଶପାଇଁ ଯେଉଁ ସଂପତି ସୃଷ୍ଟି କରିଥିଲେ ତାହାକୁ ତାଙ୍କର ବନ୍ଧୁ ପୁଞ୍ଜିପତିଙ୍କ ହାତରେ ଟେକି ଦେଇଛନ୍ତି । ଏୟାରଇଣ୍ଡିଆ, ବନ୍ଦର, ଖଣି, ରେଳବାଇ, ବ୍ୟାଙ୍କ, କେନ୍ଦ୍ର ସରକାରଙ୍କର ଶିଳ୍ପ, ଏଲଆଇସି ପ୍ରଭୃତି କେନ୍ଦ୍ର ସରକାରଙ୍କ ସଂସ୍ଥା ଗୁଡ଼ିକୁ ଏବେ ମୋଦିଙ୍କର ପ୍ରିୟ ପୁଞ୍ଜିପତି ମାନଙ୍କ ହାତକୁ ଚାଲିଯାଉଛି । ଭାରତ ଏବେ ଋଣଗ୍ରସ୍ତ ହୋଇପଡ଼ିଛି । କଳା କୃଷି ଆଇନ କରି ଦେଶର କୃଷି ଓ କୃଷକଙ୍କର ସର୍ବନାଶ କରିବାପାଇଁ ବସିଥିଲେ । ଲକ୍ଷୀମପୁର ଖେରୀରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁତ୍ର ଆନ୍ଦୋଳନରତ ୮ଜଣ ଚାଷୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟାକଲେ । ଦିଲ୍ଲୀରେ ମୋଦିଙ୍କ ନିଷ୍ଠୁରତା ପାଇଁ ଆନ୍ଦୋଳନ ରତ ୭୦୦ ଜଣ ଚାଷୀ ମୃତ୍ୟୁବରଣ କଲେ । ବିମୁଦ୍ରୀକରଣ, ରାଫେଲ ଡିଲ, କରୋନା ମୁକାବିଲାରେ ବିଫଳତା, ଟଙ୍କାର ମୂଲ୍ୟ ହ୍ରାସ, ପ୍ରତି ଲୋକଙ୍କ ଜମାଖାତାରେ ୧୫ଲକ୍ଷ ଟଙ୍କା ଜମା ଓ ପେଗାସସର ଅନୈତିକ ବ୍ୟବହାର ପ୍ରସଙ୍ଗରେ ମୋଦିଙ୍କର ଅସଲମୂଖା ଖୋଲିଯାଇଛି । ଏଭଳି ପରିସ୍ଥିତିର ପରିବର୍ତନ ପାଇଁ ଆଜି ମାନ୍ୟବର ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାରେ ଆଗେଇ ଚାଲିଛନ୍ତି । ଏହି ଯାତ୍ରାରେ ଲକ୍ଷ ଲକ୍ଷ ସାଧାରଣ ଜନତା ଯୋଗ ଦେଉଛନ୍ତି ।

ଓଡ଼ିଶାରେ ୨୨ ବର୍ଷ ଧରି ଏକ ନିକମା, ଦୁର୍ନୀତିଖୋର ଏବଂ ଭ୍ରଷ୍ଟାଚାରୀ ସରକାର ଚାଲିଛି । ବିଜେଡ଼ି ଓ ବିଜେପି ଏକତ୍ର ୯ବର୍ଷ ଶାସନ କରିଥିଲେ ମାତ୍ର ପରବର୍ତୀ ପର୍ଯ୍ୟାୟରେ ଅଲଗା ହେଲେବି ସମସ୍ତ ନୀତି ନିଷ୍ପତିରେ ଏକାଠି କାର୍ଯ୍ୟ କରୁଛି । ନବୀନ ଶାସନରେ ଓଡ଼ିଶା ଆଜି ରସାତଳଗାମୀ । ବର୍ଷକୁ ୨ଲକ୍ଷ ଚାକିରୀର ପ୍ରତିଶୃତି ଦେଇଥିବା ନବୀନ ସରକାର ୨୨ ବର୍ଷରେ ୪୨ଲକ୍ଷ ଚାକିରୀ ଦେବାକଥା, ମାତ୍ର ଆଜି ତାହା ପ୍ରତାରଣାପୂର୍ଣ୍ଣ ହୋଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାର ୮ଲକ୍ଷ ୮୦ ହଜାର ନାମ ପଞ୍ଜିକରଣ କରି ବେକାର ହୋଇ ବସିଛନ୍ତି । ଓଡ଼ିଶା ସରକାରଙ୍କର ସମୁଦାୟ ୨ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି । ନିଯୁକ୍ତି ନପାଇ ଲୋକେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶାର ଯୁବକମାନଙ୍କର ଭବିଷ୍ୟତ ଓ ସ୍ୱପ୍ନ ଆନ୍ଧ୍ରର ଇଟାଭାଟି ଓ ସୁରଟ ସୂତାକଳରେ ହଜିଯାଉଛି । ବିଜୁ ଯୁବ ବାହିନୀ ନାମରେ ରାଜକୋଷ ଲୁଟ ହୋଇଛି । ଷ୍ଟାଫସିଲେକସନ କମିଶନ ମାଧ୍ୟମରେ ଚାକିରି ବିକ୍ରି ହେଉଛି । ଓଡ଼ିଶା ଋଣଗ୍ରସ୍ତ ।

୨୦୦୦ ମସିହାରେ ଓଡ଼ିଶାର ଋଣଭାର ୧୮ ହଜାର କୋଟି ଥିବା ବେଳେ ଏବେ ତାହା ୧ଲକ୍ଷ ୧୨ ହଜାର କୋଟି ହୋଇଛି । ମୁଣ୍ଡପିଛା ଋଣ ଭାର ଏବେ ୨୨ ହଜାର ଟଙ୍କା । ଓଡ଼ିଶାର ସାଧାରଣ ବଂଟନ ବ୍ୟବସ୍ଥାର ଚାଉଳ ଓ ଗହମ ପଶୁଖାଦ୍ୟ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି । ଓଡ଼ିଶା ବିଷାକ୍ତ ଔଷଧ ବିକ୍ରିର ପେଣ୍ଠସ୍ଥଳ ପାଲଟିଛି । ଦାରିଦ୍ର‌୍ୟ ଓ ବେକାରୀ ଆଜି ଉତ୍କଟ । ୨୨ ବର୍ଷରେ ୮ ହଜାର ଚାଷୀ ଆତ୍ମହତ୍ୟା କଲେଣି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଏବଂ କଂଗ୍ରେସ ଶାସିତ ରାଜସ୍ଥାନରେ ଧାନ କ୍ୟୁଂଟାଲ ପିଛା ୨୫ ଶହ ଟଙ୍କା ଦିଆଯାଉଥିଲା ବେଳେ ଓଡ଼ିଶାରେ କୃଷକ ତାର ଉପଯୁକ୍ତ ପ୍ରାପ୍ୟ ପାଉନାହିଁ । ସରକାର – ମିଲରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର କୃଷକମାନେ ଧାନର ଅଭାବୀ ବିକ୍ରିରେ ଶିକାର ହେଉଛନ୍ତି । ଓଡ଼ିଶାରେ ମହିଳା ଅସୁରକ୍ଷିତ । ଇତିଶ୍ରୀ, ବେବିନା, ମାଧବୀଲତା, କୁନ୍ଦୁଲୀ ଛାତ୍ରୀ, ସ୍ମିତାରାଣୀ, ପରୀ, ମମିତା ପ୍ରଭୃତିଙ୍କ ପରିବାର ନ୍ୟାୟ ପାଇପାରିଲେ ନାହିଁ । କେନ୍ଦ୍ର ସରକାରଙ୍କର ଏନସିଆରବିର ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୨୧ ମସିହାରେ ୩୩୦୦ ମହିଳା ଦୁଷ୍କର୍ମ ଘଟଣା ଘଟିଛି । ପ୍ରତିଦିନ ୯ଜଣ ମହିଳା ଏବଂ ୬ଜଣ ଅପ୍ରାପ୍ତ ବୟସ୍କା ବାଳିକାମାନେ ଦୁଷ୍କର୍ମରେ ଶିକାର ହେଉଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀଙ୍କ ମା’କୁ ସମ୍ମାନ ଆହ୍ୱାନ ମୂଲ୍ୟହୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସାଧାରଣ ଏବଂ ନଗଣ୍ୟ ସଂସ୍ଥା ଠାରୁ ଜୀବନବ୍ୟାପି ସାଧନା ପୁରସ୍କାର ପାଇ ଖୁସି ।

ରାଜ୍ୟର ଏ ପରିସ୍ଥିତିର ପରିବର୍ତନ ପାଇଁ କଂଗ୍ରେସ ସଂକଳ୍ପବଦ୍ଧ । ଏଣୁ ଆସନ୍ତୁ ସ୍ୱାଭିମାନୀ, ସୁରକ୍ଷିତ, ଦୁର୍ନୀତିମୁକ୍ତ ଓ ସ୍ୱାବଲମ୍ବୀ ଓଡ଼ିଶା ଗଠନ ପାଇଁ ଅଭିପ୍ରେତ “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା”ରେ ସାମିଲ ହେବା । ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା ଭାରତ ଯୋଡ଼ ଯାତ୍ରା-ଓଡ଼ିଶା କାର୍ଯ୍ୟାନ୍ୱୟନ କମିଟିର ସଦସ୍ୟ ମାନସ ଚୌଧୁରୀ, ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ସଂଜୟ ତ୍ରିପାଠୀ ଉପସ୍ଥିତ ଥିଲେ ।