ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅର୍ଥ ବିଭାଗ ତରଫରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଗତ ଅକ୍ଟୋବର ୨୦୨୫ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଉପସ୍ଥାପନ କରାଯାଇ ଆଲୋଚନା କରାଯାଇଥିଲା । ରାଜ୍ୟର ଆର୍ଥିକ ପ୍ରଦର୍ଶନ ସଂପର୍କିତ ଉପସ୍ଥାପନାରୁ ଜଣାଯାଇଛି ଯେ, ଗତ ଅକ୍ଟୋବର ମାସ ସୁଦ୍ଧା ବଜେଟ୍ ବ୍ୟୟ ଅଟକଳର ମୋଟ ୩୮ ପ୍ରତିଶତ ଖର୍ଚ୍ଚ ହୋଇଛି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସହିତ ଅନ୍ୟ ସମସ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।
ବୈଠକର ପ୍ରାରମ୍ଭରେ ୨୦୨୫ ଆଇ.ସି.ସି. ମହିଳା କ୍ରିକେଟ ବିଶ୍ୱକପ୍ ଫାଇନାଲରେ ବିଜୟୀ ହୋଇଥିବା ଭାରତର ମହିଳା କ୍ରିକେଟ ଟିମ୍ଙ୍କୁ ମୁଖ୍ୟ ଶାସନ ସଚିବ ଏବଂ ସଚିବମାନଙ୍କ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, କେବଳ କ୍ରିକେଟ ବା ଅନ୍ୟ ଖେଳ ନୁହେଁ , ଏବେ ଝିଅ ଏବଂ ମହିଳାମାନେ ସବୁ କ୍ଷେତ୍ରରେ ଦକ୍ଷତା ଓ ସାହସର ସହିତ ଆଗକୁ ବଢ଼ୁଛନ୍ତି । ସେମାନଙ୍କୁ ସୁଯୋଗ ଦେବା ଓ ପ୍ରୋତ୍ସାହିତ କରିବାକୁ ସେ ଏହି ମର୍ମରେ ସମସ୍ତ ବିଭାଗର ସଚିବଙ୍କୁ ପରାମର୍ଶ ଦେଇଥିଲେ ।
ଅର୍ଥ ବିଭାଗ ତରଫରୁ ରାଜ୍ୟର ଆର୍ଥିକ ପ୍ରଦର୍ଶନ ସଂପର୍କିତ ଉପସ୍ଥାପନାରୁ ଜଣାଯାଇଛି ଯେ, ଗତ ଅକ୍ଟୋବର ମାସ ସୁଦ୍ଧା ବଜେଟ୍ ବ୍ୟୟ ଅଟକଳର ମୋଟ ୩୮ ପ୍ରତିଶତ ଖର୍ଚ୍ଚ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷ ତୁଳନାରେ ଚଳିତ ୨୦୨୫-୨୬ ବର୍ଷର ଏହି ସମୟ ମଧ୍ୟର ଖର୍ଚ୍ଚ ପରିମାଣରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି । ବୈଠକରେ ବଜେଟରେ ଅଧିକ ବ୍ୟୟ ବ୍ୟବସ୍ଥା କରାଯାଇଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଳ ସଂପଦ, ପୂର୍ତ୍ତ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆଦି ୧୦ ଟି ବିଭାଗ ସମେତ ଅନ୍ୟ ସମସ୍ତ ବିଭାଗର ୨୦୨୪–୨୫ ବର୍ଷ ଏବଂ ୨୦୨୫–୨୬ ବର୍ଷରେ ଅକ୍ଟୋବର ମାସ ସୁଦ୍ଧା ଖର୍ଚ୍ଚ ପ୍ରତିଶତ ତୁଳନାତ୍ମକ ସମୀକ୍ଷା କରାଯାଇଥିଲା । ଅଧିକାଂଶ ବିଭାଗ ଗତ ବର୍ଷ ତୁଳନାରେ ଏ ବର୍ଷ ଭଲ ପ୍ରଦର୍ଶନ କରିଥିବା ବୈଠକରୁ ଜଣାପଡ଼ିଛି । ଆଗାମୀ ଦିନରେ ସମସ୍ତ ବିଭାଗମାନଙ୍କୁ ଆର୍ଥିକ ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ସେହିପରି ମୋଟ ରାଜସ୍ୱ ଆଦାୟ କ୍ଷେତ୍ରରେ ଗତ ୨୦୨୪ ଅକ୍ଟୋବର ତୁଳନାରେ ଏ ବର୍ଷ ୭.୨ % ବୃଦ୍ଧି ଘଟିଛି । ନିଜସ୍ୱ କର ଆଦାୟ, ନିଜସ୍ୱ ଅଣ କର ରାଜସ୍ୱ ଆଦାୟ, କେନ୍ଦ୍ରୀୟ କର ବାବଦକୁ ରାଜ୍ୟର ଅଂଶଧନ ଓ କେନ୍ଦ୍ରୀୟ ଅନୁଦାନ ଆଦିକୁ ମିଶାଇ ମୋଟ ରାଜସ୍ୱ ୪୭.୬ % ସଫଳତା ହାସଲ ହୋଇଛି । ନଭେମ୍ବରରୁ ଆଗାମୀ ମାର୍ଚ୍ଚ ୨୦୨୬ ସୁଦ୍ଧା ଅଧିକ ରାଜସ୍ୱ ଆଦାୟ ଲକ୍ଷ୍ୟ ରହିଛି । କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକ ପାଇଁ କେନ୍ଦ୍ରର ଅଂଶଧନ ବାବଦକୁ ରାଜ୍ୟକୁ ସର୍ବାଧିକ ଆର୍ଥିକ ରାଶି ପ୍ରଦାନ ସଂପର୍କରେ ସଂପୃକ୍ତ ବିଭାଗମାନଙ୍କୁ ନିୟମିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା ।
ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ୫ମ ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ ପରିପ୍ରେକ୍ଷୀରେ ଆଲୋଚନା ହେବାକୁ ଥିବା ଇଜ୍ ଅଫ ଡୁଇିଂ ବିଜିନେସ୍ ଏବଂ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ୨୩ ଟି ପ୍ରମୁଖ କ୍ଷେତ୍ର ଉପରେ ଆଲୋକପାତ କରାଯାଇଥିଲା । ଦେଶପ୍ରେମ, ଏକତା ଓ ଜାତୀୟ ଗୌରବର ଭାବନା ଜାଗ୍ରତ କରୁଥିବା ଜାତୀୟ ଗୀତ “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ପାଳନ ସଂପର୍କରେ ସଂପୃକ୍ତ ବିଭାଗମାନଙ୍କର ସହଯୋଗ କାମନା କରାଯାଇଥିଲା ।
“ଆତ୍ମ ନିର୍ଭରତା” କ୍ଷେତ୍ରରେ ଓଡ଼ିଶାର ଭୂମିକା ସଂପର୍କରେ ଆଲୋକପାତ କରି ଦୃଷ୍ଟିକୈନ୍ଦ୍ରିକ ଅଭିବୃଦ୍ଧି ପାଇଁ ନୂତନ ମାନସିକତାର ଆବଶ୍ୟକତା, ଇଜ ଅଫ ଡୁଇଂ ବିଜିନେସ୍ ନିୟାମକରେ ସଂସ୍କାର ଅଣାଯିବା, ସରକାରଙ୍କ ସମସ୍ତ ବିଭାଗ, ମନ୍ତ୍ରଣାଳୟ ଓ ସଂସ୍ଥାଗୁଡିକର ସମନ୍ୱିତ କାର୍ଯ୍ୟାନୁଷ୍ଠାନରେ ଲକ୍ଷ୍ୟଭିତ୍ତିକ ଶାସନ ପରିଚାଳନା, ବୃହତ୍ ଶିଳ୍ପ କ୍ଲଷ୍ଟର ସ୍ଥାପନ ଏବଂ ଏଥି ପାଇଁ ଇକୋସିଷ୍ଟମର ବିକାଶ ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ, ଯାହାକି ଆତ୍ମନିର୍ଭରତାର ୪ଟି ପ୍ରମୁଖ ସ୍ତମ୍ଭ । “ବିକଶିତ ଓଡ଼ିଶା ୨୦୩୬” ପରିପ୍ରେକ୍ଷୀରେ ଭିଜନ ଡକ୍ୟୁମେଣ୍ଚରେ ରହିଥିବା ବିଷୟ ଆଧାରରେ ବିଭିନ୍ନ ବିଭାଗ ତରଫରୁ ପ୍ରମୁଖ ପ୍ରକଳ୍ପ ପ୍ରଦର୍ଶନ ସୂଚକାଙ୍କ (କେପିଆଇ) ଚୂଡ଼ାନ୍ତ ନିମନ୍ତେ ଚିଠା ପ୍ରକଳ୍ପ ଉପସ୍ଥାପନ କରାଯାଇଥିବା ବୈଠକରୁ ଜଣାଯାଇଛି । ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଭିଜନ ଡକ୍ୟୁମେଣ୍ଟରେ ରହିଥିବା ଲକ୍ଷ୍ୟ ଓ କାର୍ଯ୍ୟସୂଚୀକୁ ଭଲଭାବେ ଅନୁଧ୍ୟାନ କରିବା, ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଂପର୍କିତ ପ୍ରଶିକ୍ଷଣ ଆୟୋଜନ, ସଂସ୍ଥାଗତ ସୁଦୃଢୀକରଣ ଉପରେ ଗୁରୁତ୍ୱ ଦେଇଥିଲେ । ଆହୁରି ମଧ୍ୟ ସେ ସଚିବମାନଙ୍କର ବିଭିନ୍ନ ଜିଲ୍ଲା ପରିଦର୍ଶନ ଓ ସେସବୁର ବିବରଣୀ ପରିଦର୍ଶନ ପୋର୍ଟାଲରେ ଉଲ୍ଲେଖ କରାଯାଇ କାର୍ଯ୍ୟାନୁଷ୍ଠାନ ସଂପର୍କିତ ତଦାରଖ ଉପରେ ସେ ଗୁରୁତ୍ୱ ଦେଇଥିଲେ ।

