Home General ୱିକିପିଡିଆରେ ମୁଖ୍ୟମନ୍ତ୍ରୀଙ୍କ ସଂକ୍ରାନ୍ତରେ ଭୁଲ୍‍ ସୂଚନା

ୱିକିପିଡିଆରେ ମୁଖ୍ୟମନ୍ତ୍ରୀଙ୍କ ସଂକ୍ରାନ୍ତରେ ଭୁଲ୍‍ ସୂଚନା

ଭୁବନେଶ୍ୱର : ୱିକିପିଡିଆରେ ଉପଲବ୍ଧ ତଥ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ କେତେକ ତ୍ରୁଟିପୂର୍ଣ୍ଣ ତଥ୍ୟ ରହିଛି । ଦେଶ ବିଦେଶର ଲୋକେ ଏହି ତଥ୍ୟ ଦେଖି ତାହାର ଉପଯୋଗ କରୁଥିବାରୁ ତ୍ରୁଟି ସଂଶୋଧନ ପାଇଁ ଦାବି ହେଉଛି ।

ଜଣେ ଅଣଓଡ଼ିଆ ଲେଖକ ଇଂରାଜୀରେ ପ୍ରକାଶ କରିବାକୁ ଯାଉଥିବା ଏକ ପୁସ୍ତକ ରଚନା ବେଳେ ଏଭଳି ତ୍ରୁଟି ଘେନି ଦ୍ୱନ୍ଦ୍ୱରେ ପଡି ସଠିକ୍‍ ତଥ୍ୟ ଜାଣିବା ଲାଗି ଇଣ୍ଟରନେଟ୍‍ ଓ ଅନ୍ୟାନ୍ୟ ସୂତ୍ରରୁ ସଂଗ୍ରହ କରିଥିବା ବିଷୟବସ୍ତୁରୁ ଏଭଳି ଦ୍ୱନ୍ଦ୍ୱ ଉପୁଜିଛି ।

ନବୀନ ପଟ୍ଟନାୟକଙ୍କ ନାମରେ ଥିବା ୱିକିପିଡିଆ (ଇଏନ.ଏନ୍‍.ୱିକିପିଡିଆ.ଓଆରଜି)ରେ ଦର୍ଶାଯାଇଛି ଯେ ନବୀନ ବାବୁ ତାଙ୍କ ପିତା ତଥା ଜନତା ଦଳର ନେତା ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଏକାଦଶ ଲୋକସଭାକୁ ଆସ୍କା ସଂସଦୟ କ୍ଷେତ୍ରରୁ ଉପନିର୍ବାଚନରେ ଜିଣିଥିଲେ । ତେବେ ବିଜୁ ବାବୁଙ୍କ ଦେହାନ୍ତ ୧୯୯୭ ଏପ୍ରିଲ ୧୭ ତାରିଖରେ ହୋଇଥିବା ବେଳେ ନବୀନ ବାବୁ ୧୯୯୭ ଏପ୍ରିଲ ୧୨ରୁ ୨୦୦୦ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଆସିକା ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ୱିକିପିଡିଆ ଲେଖିଛି ।

କିନ୍ତୁ ବାସ୍ତବ ତଥ୍ୟ ହେଉଛି ବିଜୁବାବୁଙ୍କ ଦେହାନ୍ତ ପରେ ହୋଇଥିବା ଆସିକା ଉପନିର୍ବାଚନରେ ନବୀନ ବାବୁ ୧୯୯୭ ଜୁନ୍‍ ମାସରେ ଏକାଦଶ ଲୋକସଭାକୁ ଉପନିର୍ବାଚନରେ ନିର୍ବାଚିତ ହୋଇଥିଲେ । ପରେ ସେ ଦ୍ୱାଦଶ ଓ ତ୍ରୟୋଦଶ ଲୋକସଭାକୁ ନିର୍ବାଚିତ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଇସ୍ପାତ ଓ ଖଣି ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

୨୦୦୦ରୁ ୨୦୧୯ ମଧ୍ୟରେ ଅନୁଷ୍ଠିତ ୫ଟି ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି । ଏମିତିକି ୨୦୧୯ରେ ସେ ଏକସଙ୍ଗେ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳି ସହିତ ବିଜେପୁରରୁ ନିର୍ବାଚିତ ହେବା ସଂଗେ ସଂଗେ ରାଜ୍ୟ ରାଜନୀତିରେ ସର୍ବାଧିକ କାଳ ଧରି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି । ସର୍ବଭାରତୀୟ ସ୍ତରରେ ଜ୍ୟୋତି ବସୁ ଓ ପୱନ କୁମାର ଚାମଲିଙ୍ଗଙ୍କୁ ଛାଡିଦେଲେ ଆଉ କେହି ନବୀନ ବାବୁଙ୍କଠାରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହିନାହାନ୍ତି ।

ୱିକିପିଡିଆର ପ୍ରଦତ୍ତ ତଥ୍ୟ ଅନୁଯାୟୀ ନବୀନ ବାବୁ ହେଉଛନ୍ତି ଓଡ଼ିଶାର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଏବଂ ସେ ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳ ଗଠନ ସମୟରୁ ଏହାର ସଭାପତି ରହିଆସିଛନ୍ତି । ଜଣେ ଲେଖକ ହିସାବରେ ସେ ୩ଟି ଲୋକପ୍ରିୟ ପୁସ୍ତକ ରଚନା କରିଥିବା ଏଥିରେ ଦର୍ଶାଯାଇଛି । ବିଜୁବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ତୃତୀୟ ସନ୍ତାନ ଭାବେ ନବୀନ ପଟ୍ଟନାୟକ ୧୯୪୬ ଅକ୍ଟୋବର ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏବଂ ଏବେ ସେ ୭୫ବର୍ଷ ଅତିକ୍ରମ କରିଥିବା ୱିକିପିଡିଆରେ ଉଲ୍ଲେଖ ରହିଛି ।

ନବୀନ ବାବୁଙ୍କ ୨୧ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ ସମୟରେ ରାଜ୍ୟରେ ୬ଜଣ ରାଜ୍ୟପାଳ କାମ କଲେଣି । ଏବେ ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ରାଜ୍ୟପାଳ ଥିବାବେଳେ ତାଙ୍କ ପୂର୍ବରୁ ୨୦୦୦ ମସିହାରୁ ଏଯାବତ ନବୀନ ବାବୁଙ୍କ ସମୟରେ ଏମ.ଏମ.ରାଜେନ୍ଦ୍ରନ୍‍, ରାମେଶ୍ୱର ଠାକୁର, ମୂରଲୀଧର ଚନ୍ଦ୍ରକାନ୍ତେ ଭଣ୍ଡାରେ, ଏସ.ସି.ଜମୀର ଓ ସତ୍ୟପାଲ ମଲିକ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି ।

ଓଡ଼ିଶାରେ ତାଙ୍କ ମଖ୍ୟମନ୍ତ୍ରୀତ୍ୱ ସମୟରେ କେନ୍ଦ୍ରରେ ଉଭୟ ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର କାର୍ଯ୍ୟ କରିଛି । ୱିକିପିଡିଆରେ ପ୍ରଦତ୍ତ ତଥ୍ୟରେ କେଉଁ ନିର୍ବାଚନରେ ଓଡ଼ିଶାରେ ବିଜେଡି କେତେ ଆସନ ଜିଣିଛି ତାହାର ମଧ୍ୟ ବିସ୍ତୃତ ତଥ୍ୟ ଦିଆଯାଇଛି । ତେବେ ଏଥିରେ ଥିବା ନବୀନ ବାବୁଙ୍କ ପ୍ରଥମ ଳୋକସଭା ସଦସ୍ୟତା ସଂକ୍ରାନ୍ତୀୟ ତ୍ରୁଟିର ତୁରନ୍ତ ସଂଶୋଧନ ପାଇଁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । (ତଥ୍ୟ)