Home Health ୱାର୍ଡ ସ୍ତରରେ କୋଭିଡ୍‍ ମୁକାବିଲା ପାଇଁ ଅନୁରୋଧ

ୱାର୍ଡ ସ୍ତରରେ କୋଭିଡ୍‍ ମୁକାବିଲା ପାଇଁ ଅନୁରୋଧ

ଭୁବନେଶ୍ୱର: ରାଜ୍ୟରେ ଗାଁ ଓ ୱାର୍ଡ଼ ସ୍ତରରେ କୋଭିଡ-୧୯ର ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ନେଇ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ କୋଭିଡ୍‌-୧୯ର ସଠିକ୍ ମୁକାବିଲା କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ବିଷୟରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଶ୍ରୀ ପ୍ରଧାନ ଏହା ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟ କରିଛନ୍ତି ଯେ ଆଗାମୀ ୧୫ ଦିନ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜିଂ ସମୟ ରହିବ । ତେଣୁ ତୃଣମୂଳ ସ୍ତରରେ କୋଭିଡ–୧୯ର ମୁକାବିଲାରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସ୍ୱେଚ୍ଛାସେବୀ ତଥା ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲି । ଏହାସହ କୋଭିଡ-୧୯ ମୁକାବିଲା ତଥା ସଠିକ ପରିଚାଳନା ପାଇଁ ରାଜ୍ୟର ସବୁ ଗାଁ ଓ ୱାର୍ଡ଼ ସ୍ତରରେ ସମସ୍ତ ରାଜନୈତିକ ଦଳର ନେତୃତ୍ୱମାନଙ୍କୁ ନେଇ ଏକ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଶ୍ରୀ ପ୍ରଧାନ ଟ୍ୱିଟ କରିଛନ୍ତି ।

ଓଡ଼ିଶାରେ କିପରି ଭ୍ୟାକସିନ୍ ଉପଲବ୍ଧ ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ମୋତେ ଅବଗତ କରାଇଲେ । ରାଜ୍ୟକୁ କିପରି ଭ୍ୟାକସିନ୍‌, ରେମଡ଼େସିଭର ଡ୍ରଗ୍ସ, ରାପିଡ଼ ଆଣ୍ଟିଜେନ୍ ଟେଷ୍ଟ କିଟ୍ ଅଧିକରୁ ଅଧିକ ଯୋଗାଯାଇ ପାରିବ ସେ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲି । ବର୍ତ୍ତମାନ କୋଭିଡ୍ ମହାମାରୀର ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ରାଜ୍ୟ ସରକାରଙ୍କୁ ଯଥାସମ୍ଭବ ସହଯୋଗ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ମିଳିତ ସହଯୋଗ ଏବଂ ସମନ୍ୱୟ ବଳରେ ଓଡ଼ିଶା ଏବଂ ଭାରତ ଏହି ମହାମାରୀ ବିରୁଦ୍ଧ ଲଢ଼େଇରେ ବିଜୟୀ ହୋଇପାରିବ । ଆମେ ଏକାଠୀ ହୋଇ ଜିତିପାରିବା ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦିନ ତଳେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସୟୁ)ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ସଙ୍ଗଠନ, ବ୍ୟାଙ୍କିଂ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ କଥା ହୋଇ ରାଜ୍ୟରେ ଟେଷ୍ଟି, ଭେଣ୍ଟିଲେଟର, ଟିକାକରଣ ଓ ଅକ୍ସିଜେନ ବ୍ୟବସ୍ଥା ବଢାଇବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ।