Home General ୱାଗନ କାରଖାନା ପାଇଁ ରେଳବାଇ ଅମଙ୍ଗ

ୱାଗନ କାରଖାନା ପାଇଁ ରେଳବାଇ ଅମଙ୍ଗ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀ ଠାରେ ପ୍ରତିଷ୍ଠା ହେବାକୁ ଥିବା ବହୁ ପ୍ରତୀକ୍ଷିତ ରେଳ ୱାଗନ କାରଖାନା ଲାଗି କେନ୍ଦ୍ର ସରକାର ପୁଣିଥରେ ଅମଙ୍ଗ ପ୍ରକାଶ କରିଛନ୍ତି । ରାଜ୍ୟ ସଭାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଥିବା ଉତ୍ତରରୁ ଏହା ବାରିହୋଇ ପଡୁଛି ।

ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀ ଠାରେ ରେଳୱାଗନ କାରଖାନା ପ୍ରତିଷ୍ଠାର କୌଣସି ଯୋଜନା ନାହିଁ । ରେଳବାଇର ସାମଗ୍ରିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳ ୱାଗନ କାରଖାନା ପ୍ରତିଷ୍ଠା କରାଯାଏ । ବର୍ତ୍ତମାନ ଦେଶରେ ଯେତିକି ୱାଗନ କାରଖାନା ରହିଛି ତାହା ପର୍ଯ୍ୟାପ୍ତ ଅଟେ ।

ଉଲ୍ଲେଖନୀୟ ଯେ ୨୦୧୧-୧୨ ମସିହାରେ କେନ୍ଦ୍ର ରେଳମନ୍ତ୍ରୀ ମମତା ବାନାର୍ଜୀ ଏହି ପ୍ରକଳ୍ପ ପ୍ରତିଷ୍ଠା ନେଇ ଘୋଷଣା କରିଥିବାବେଳେ ୨୦୧୩ରେ ଏହାକୁ ମଞ୍ଜୁରୀ ମିଳିଥିଲା ଏବଂ ଏହା ସରକାରୀ ଘରୋଇ ସହଭାଗିତା (ପିପିପି)ରେ ପ୍ରତିଷ୍ଠା ହେବାର ଆଶା ଥିଲା । ତେବେ ଭାରତୀୟ ରେଳବାଇର ଉଦସୀନତା ଯୋଗୁଁ ଏହା ବିଳମ୍ବ ହେବାରେ ଲାଗିଲା ।

ଏହି ପ୍ରକଳ୍ପ ପାଇଁ ଜଗନ୍ନାଥପୁର ରେଳଷ୍ଟେସନ ନିକଟରେ ଓଡିଶା ସରକାର ୧୦୧.୬ ଏକର ଜମି ଚିହ୍ନଟ କରିଥିଲେ ଏବଂ ୨୦୧୬ ରେଳ ବଜେଟ୍‍ରେ ୧୦୦୦ ଟଙ୍କାର ଟୋକନ ମନି ବ୍ୟବସ୍ଥା ସତ୍ୱେ ୨୦୧୮ ରେ ଏହି ପ୍ରକଳ୍ପକୁ ରେଳବାଇ ବାତିଲ କରିଦେଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳ ମନ୍ତ୍ରାଳୟକୁ ଏହି ପ୍ରକଳ୍ପ ବାବଦରେ ଏକାଧିକ ପତ୍ର ଲେଖିବା ବ୍ୟତିତ ଅନ୍ୟ କୌଣସି କ୍ଷେତ୍ରସ୍ତରୀୟ କାର୍ଯ୍ୟ ହୋଇପାରି ନାହିଁ ।

କଳାହାଣ୍ଡିରେ ରେଳ ଇଞ୍ଜିନ ରକ୍ଷଣା ବେକ୍ଷଣ କାରଖାନା ପ୍ରତିଷ୍ଠା ସଂକ୍ରାନ୍ତରେ ଶ୍ରୀ ନନ୍ଦ ପଚାରିଥିବା ଅନ୍ୟଏକ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଏଥିପାଇଁ ୫.୨୬ କୋଟି ଟଙ୍କା ମଞ୍ଜୁର ହୋଇଛି । ତେବେ ତେବେ ଏହି ପ୍ରକଳ୍ପରେ ମାତ୍ର ୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏଭଳି ସ୍ଥିତିରେ ନିକଟ ଭବିଷ୍ୟତରେ ଏହି ପ୍ରକଳ୍ପ ଆଗକୁ ବଢିବାର ଦିଶୁ ନାହିଁ ।

ଜମି ଅଧିଗ୍ରହଣ ସଂକ୍ରାନ୍ତରେ ରେଳମନ୍ତ୍ରୀ କହିଛନ୍ତି ଯେ ଏହି କାରଖାନା ପାଇଁ ୩୨୮.୩୫ ଏକର ଜମି ଆବଶ୍ୟକ ଥିବାବେଳେ ଓଡଇଶା ସରକାର ୧୫୫.୧୫ ଏକର ଜମି ରେଳବାଇକୁ ଦେଇଛନ୍ତି । ଆଉ ୪.୪୩ ଏକର ସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି । ୬୭.୫୫ ଏକର ଘରୋଇ ଜମିକୁ ରେଳବାଇ ସିଧାସଳଖ ଖରିଦ କରିଥିବାବେଳେ ଏହି ଅର୍ଥ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ।

ଅବଶିଷ୍ଟ ୨୦.୮୨ ଏକର ଘରୋଇ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନର୍ଲା ତହସିଲଦାର ଜାରି ରଖିଛନ୍ତି । ୮୧.୦୮ ଏକର ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ କ୍ଷତି ପୂରକ ବନୀକରଣ ଯୋଜନା ସହିତ କଳାହାଣ୍ଡି ଡିଏଫ୍‍ଓଙ୍କ ନିକଟରେ ନକ୍ସା ଦାଖଲ ହୋଇଛି । ରାଜ୍ୟ କର୍ତ୍ତୃପକ୍ଷଙ୍କ ଠାରୁ ଆବଶ୍ୟକ ଜମି ମିଳିନଥିବାରୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରି ନଥିବା ରେଳମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)