Home Finance ୯୦ହଜାର କୋଟିର ଋଣ ପ୍ରଦାନ

୯୦ହଜାର କୋଟିର ଋଣ ପ୍ରଦାନ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ଋଣ ପ୍ରଦାନ ପରିମାଣ ପ୍ରାୟ ୯୦ ହଜାର କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୫୬ ପ୍ରତିଶତରୁ ଅଧିକ । ଚଳିତ ବର୍ଷ ମୋଟ୍‍ ୧ଲକ୍ଷ ୬୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

ସଦ୍ୟ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକର ସୂଚନା ଅନୁଯାୟୀ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଋଣ ପ୍ରଦାନ ପରିମାଣ ବୃଦ୍ଧି ପାଇଛି । ଚଳିତ ଆର୍ଥକ ବର୍ଷର ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ବ୍ୟାଙ୍କ୍‍ମାନେ ୮୯,୮୭୩.୪୪ କୋଟି ଟଙ୍କାର ଋଣ ପ୍ରଦାନ କରିସାରିଲେଣି । ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୫୬.୦୭ ପ୍ରତିଶତ । ଗତ ଆର୍ଥିକ ବର୍ଷର ଏହି ସମୟ ତୁଳନାରେଏହା ୧୯ ପ୍ରତିଶତରୁ ଅଧିକ ରହିଛି ।

ଋଣ ପ୍ରଦାନ କ୍ଷେତ୍ରରେ ଆକ୍ସିସ ବ୍ୟାଙ୍କ୍‍ ସବୁଠାରୁ ଆଗରେ ରହିଛି । ଏହି ବ୍ୟାଙ୍କ୍‍ ଧାର୍ଯ୍ୟ ଲକ୍ଷ୍ୟର ୭୫.୩୬ ପ୍ରତିଶତ ଋଣ ପ୍ରଦାନ କରିଥିବାବେଳେ ଏହା ପଛକୁ ଆଇସିଆଇସିଆଇ ବ୍ୟାଙ୍କ୍‍ ୭୨.୫୨ ପ୍ରତିଶତ ଋଣ ଦେଇଛି । ସେହିଭଳି ଏଚଡିଏଫ୍‍ସି ୬୩.୮୧ ପ୍ରତିଶତ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍‍ ୬୩.୫୬ ପ୍ରତିଶତ ପ୍ରଦର୍ଶନ କରିଥିବାବେଳେ ରାଜ୍ୟର ଅନ୍ୟତମ ପ୍ରମୁଖ ରାଷ୍ଟ୍ରାୟତ ବ୍ୟାଙ୍କ୍‍ ଭାରତୀୟ ଷ୍ଟେଟବ୍ୟାଙ୍କ୍‍ ୨୭,୬୧୯.୦୫ କୋଟି ଟଙ୍କାର ଋଣ ପ୍ରଦାନ କରିଛି ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୩୦.୭୩ ପ୍ରତିଶତ ।

ଋଣ ପାଇବା କ୍ଷେତ୍ରରେ ରାଜ୍ୟର ୧୪ଟି ଜିଲ୍ଲା ସବୁଠାରେ ଆଗରେ ରହିଛନ୍ତି । ଏହିସବୁ ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ଅଧିକ ଋଣ ପ୍ରଦାନ କରାଯାଇଛି । ଏ କ୍ଷେତ୍ରରେ ବରଗଡ ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରେ ୭୮.୧୧ ପ୍ରତିଶତ ଋଣ ପ୍ରଦାନ କରାଯାଇଥିବାବେଳେ ସୁନ୍ଦରଗଡରେ ୭୩.୧୦, କଟକରେ ୬୯.୬୩, କଳାହାଣ୍ଡିରେ ୬୬.୨୬ ପ୍ରତିଶତ ଋଣ ଦିଆଯାଇଛି । ସେହିଭଳି ବାଲେଶ୍ୱରରେ ୩୬.୦୭ ପ୍ରତିଶତ ଋଣ ପ୍ରଦାନ କରାଯାଇଥିବାବେଳେ ଯାଜପୁରରେ ୩୬.୪୦, କେନ୍ଦ୍ରାପଡାରେ ୪୦.୩୦ ପ୍ରତିଶତ, ରାୟଗଡାରେ ୪୪.୩୬ ପ୍ରତିଶତ ଋଣ ଦିଆଯାଇଛି । ତେବେ ରାଜ୍ୟ ରାଜଧାନୀ ଥିବା ଖୋରଧା ଜିଲ୍ଲାରେ ୧୯,୮୪୩. ୬୯ ପ୍ରତିଶତ ଋଣ ଆବଣ୍ଟନ ହୋଇଛି ଯାହା କି ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୨୨.୦୮ ପ୍ରତିଶତ ।

ତେବେ ଆର୍ଥିକ ବିଶେଷଜ୍ଞମାନଙ୍କ ମତରେ ରାଜ୍ୟରେ ଋଣ ପ୍ରଦାନ ପରିମାଣ ବୃଦ୍ଧି ପାଇବା ଫଳରେ କ୍ରେଡିଟ୍‍ ଡିପୋଜିଟ୍‍ ରେସିଓ (ସିଡିଆର) ମଧ୍ୟ ବଢିବାରେ ଲାଗିଛି । ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ଶେଷ ସୁଦ୍ଧା ଏହା ୮୧.୭୫ ପ୍ରତିଶତରେ ପହଞ୍ଚିଛି । ପୂର୍ବରୁ ଏହି ପରିମାଣ ପ୍ରାୟତଃ ୫୦ ପ୍ରତିଶତ ତଳେ ରହୁଥିଲା । ପୂର୍ବରୁ ବ୍ୟାଙ୍କ୍‍ମାନେ ରାଜ୍ୟରୁ ଅଧିକ ପରିମାଣର ଜମା ସଂଗ୍ରହ କରୁଥିବାବେଳେ ଋଣ ପ୍ରଦାନ ସେହି ହାରରେ ହେଉନଥିଲା । ତେବେ ବିଭିନ୍ନ କ୍ଷେତ୍ରରୁ ଋଣ ପ୍ରଦାନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ କଡା ତାଗିଦା ଫଳରେ ବ୍ୟାଙ୍କ୍‍ମାନେ ଏ କ୍ଷେତ୍ରରେ ତତ୍ପରତା ପ୍ରକାଶ କରିଛନ୍ତି ଯାହା ଫଳରେ ରାଜ୍ୟରେ ଋଣ ପ୍ରଦାନ ପରିମାଣ ୯୦ହଜାର କୋଟି ଟଙ୍କା ପାଖାପାଖି ହୋଇପାରିଛି । (ତଥ୍ୟ)