Home Judiciary ୮ ବର୍ଷ ଧରି ଯନ୍ତ୍ରୀ ନିଯୁକ୍ତିରୁ ବଂଚିତ

୮ ବର୍ଷ ଧରି ଯନ୍ତ୍ରୀ ନିଯୁକ୍ତିରୁ ବଂଚିତ

ଭୁବନେଶ୍ୱର : କନିଷ୍ଠ ଯନ୍ତ୍ରୀ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ପଛୁଆବର୍ଗ ବା ଏସଇବିସିର ପ୍ରାର୍ଥୀମାନଙ୍କୁ ପଞ୍ଚାୟତିରାଜ ବିଭାଗରେ ନିଯୁକ୍ତି ମିଳୁନଥିବାରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରି କରିବା ପରେ ୮ବର୍ଷ ଧରି ଏହି ବର୍ଗର କିଛି ବଂଚିତ ପ୍ରାର୍ଥୀ ନ୍ୟାୟ ପାଇଁ ଲଢ଼ୁଛନ୍ତି ।

ଅନୁରୂପ ଭାବେ ନିଯୁକ୍ତି ସୁଯୋଗରୁ ବଂଚିତ ହୋଇଥିବା ଅନୁସୂଚୀତ ଜନଜାତି ବର୍ଗର ପ୍ରାର୍ଥୀମାନେ ଆଇନ ଅଦାଲତର ନିର୍ଦ୍ଦେଶ ଆଧାରରେ ଠିକା ନିଯୁକ୍ତି ପାଇଁ ଇତିମଧ୍ୟରେ ନିୟମିତ ହୋଇସାରିଥିବା ବେଳେ ଏସଇବିସି ପ୍ରାର୍ଥୀଙ୍କୁ କେବେ ନ୍ୟାୟ ମିଳିବ ସେଥିଘେନି ସେମାନେ ଚିନ୍ତିତ ।

କନିଷ୍ଠ ଯନ୍ତ୍ରୀ ପଦବୀରେ ନିଯୁକ୍ତି ଲାଗି ରାଜ୍ୟ ସରକାର ୨୦୧୩ ମସିହାରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିଥିଲେ ମଧ୍ୟ କାମର ଚାପାକୁ ଆଖି ଆଗରେ ରଖି ବର୍ଷକ ପାଇଁ ଏହି ଆଇନ ଲାଗୁ ନ କରି ମୁଖ୍ୟଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ୍‍ ଆଧାରରେ ଡିପ୍ଲୋମା ଇଞ୍ଜିନିୟର ପ୍ୟାନେଲରୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ତଦନୁଯାୟୀ ବିଭିନ୍ନ ବିଭାଗ ପକ୍ଷରୁ ପ୍ୟାନେଲରୁ ଆବଶ୍ୟକୀୟ ପ୍ରାର୍ଥୀ ଯୋଗାଇ ଦେବାକୁ କୁହାଯାଇଥିଲା ।

ଜଳ ସଂପଦ ବିଭାଗ ୩୧୪ଟି କନିଷ୍ଠ ଯନ୍ତ୍ରୀ ପଦବୀ ପାଇଁ ପ୍ୟାନେଲରୁ ନାମ ମାଗିଥିଲେ । ତେବେ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଅନୁସୂଚୀତ ଜନଜାତି (ଏସଟି) ବର୍ଗର ୬୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ବିଭାଗ ନିଯୁକ୍ତି ଦେଇନଥିଲା । ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଗୁହାରି କରି ନିରାଶ ହେବା ପରେ ଏସଟି ବର୍ଗର କିଛି ପ୍ରାର୍ଥୀ ସ୍ୟାଟ୍‍ରେ ମାମଲା ରୁଜୁ କରିଥିଲେ ।

ବିଭିନ୍ନ ପକ୍ଷର ଶୁଣାଣି ପରେ ସ୍ୟାଟ୍‍ ବଂଚିତ ଏସଟି ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହି ରାୟ ବିରୋଧରେ ଉପର ଅଦାଲତକୁ ଯିବା ଲାଗି ସରକାରୀ ସ୍ତରରେ ବିଚାର ବିମର୍ଶ ଚାଲିଥିଲା । ତେବେ ଏସଟି ବର୍ଗଙ୍କ ପକ୍ଷରୁ ସ୍ୟାଟ୍‍ର ଭୁବନେଶ୍ୱରସ୍ଥିତ ପ୍ରମୁଖ ବେଞ୍ଚରେ ମାମଲା ଲଢ଼ିଥିବା ପ୍ରମୁଖ ଆଇନଜୀବୀଙ୍କ ବିଭିନ୍ନ ସ୍ତରରେ ଏକନିଷ୍ଠ ଉଦ୍ୟମ ଯୋଗୁଁ ଶେଷରେ ଏହି ବଞ୍ôଚତ ଏସଟି ପ୍ରାର୍ଥୀମାନେ ଠିକା ନିଯୁକ୍ତି ପାଇଥିଲେ ଓ ପରେ ପରେ ସେମାନଙ୍କୁ ନିୟମିତ କରାଯାଇ ଏବେ ସହକାରୀ ଯନ୍ତ୍ରୀ ପଦବୀକୁ ଉନ୍ନୀତ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅନୁରୂପ ଭାବେ ପଞ୍ଚାୟତିରାଜ ବିଭାଗ ମଧ୍ୟ ମୁଖ୍ୟଯନ୍ତ୍ରୀଙ୍କ କମିଟି ନିକଟକୁ ଯେତେ ସଂଖ୍ୟକ ପ୍ରାର୍ଥୀ ପଠାଇବାକୁ କହିଥିଲା ସେଥିମଧ୍ୟରୁ ଏସଇବିସି ବର୍ଗର କିଛି ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇ ନଥିଲା । ଫଳରେ ୮ ବର୍ଷ ଧରି ପଛୁଆବର୍ଗର ଏହି ପ୍ରାର୍ଥୀମାନେ ଆଇନ ଅଦାଲତ ଭିତରେ ଓ ବାହାରେ ନିଯୁକ୍ତି ପାଇଁ ସଂଗ୍ରାମ ଚଳାଇଛନ୍ତି । ଅନ୍ୟ ବିଭାଗଗୁଡିକରେ ସେତେବେଳର ଆଇନ ଆଧାରରେ ଏସଇବିସି ପ୍ରାର୍ଥୀଙ୍କୁ ସଂରକ୍ଷଣ ସୁବିଧା ଦେଇ ନିଯୁକ୍ତ କରାଯାଇଥିବା ବେଳେ ପଞ୍ଚାୟତିରାଜ ବିଭାଗରେ କିନ୍ତୁ ଏହାର ବ୍ୟତିକ୍ରମ ଘଟିଥିବା ଘେନି ବଂଚିତ ପ୍ରାର୍ଥୀମାନେ ଅଭିଯୋଗ କରୁଛନ୍ତି ।

ଏବେ ଉଭୟ ସରକାରୀ ଓ ବିରୋଧୀ ଦଳ ପଛୁଆବର୍ଗ ସଂରକ୍ଷଣକୁ ନେଇ ରୋଚକ ରାଜନୀତି କରୁଥିବା ବେଳେ ପଞ୍ଚାୟତିରାଜ ବିଭାଗରେ ଏହି ବର୍ଗର ଯେଉଁ ଯୋଗ୍ୟ ପ୍ରାର୍ଥୀମାନେ ନିଯୁକ୍ତି ସୁଯୋଗରୁ ବଂଚିତ ହୋଇଛନ୍ତି ସେମାନଙ୍କୁ କିଭଳି ତ୍ୱରିତ ଚାକିରି ମିଳିବ ସେଥିଘେନି କିନ୍ତୁ କେହି ପାଟି ଫିଟାଉ ନାହାନ୍ତି ।

ଇତିମଧ୍ୟରେ ସରକାର ସ୍ୟାଟ୍‍ ଉଚ୍ଛେଦ କରିଥିବାରୁ ଏସଇବିସି ପ୍ରାର୍ଥୀଙ୍କ ନିଯୁକ୍ତି ମାମଲା ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଛି । ଆଇନ ଅଦାଲତରେ ମାମଲା ବିଚାରାଧୀନ ଥିବାବେଳେ ସରକାର ଚାହିଁଲେ ଏହି ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାରେ କିଛି ଆଇନଗତ ପ୍ରତିବନ୍ଧକ ନାହିଁ ବୋଲି କୁହାଯାଉଛି । ଗୋଟିଏ ପକ୍ଷରେ ବଂଚିତ ଏସଟି ପ୍ରାର୍ଥୀମାନେ ନ୍ୟାୟ ପାଇ ନିଯୁକ୍ତ ହୋଇସାରିଥିବା ବେଳେ ଏସଇବିସି ପ୍ରାର୍ଥୀମାନେ ନିଯୁକ୍ତି ପାଇବେ କି ନାହିଁ ତାହା ଆଇନ ଅଦାଲତ ଓ ସରକାରଙ୍କ ଉପରେ ନିର୍ଭର କରୁଛି । (ତଥ୍ୟ)