Home General ୮ଲକ୍ଷରୁ ଅଧିକ ଯୁବକ ଯୁବତୀ ବେକାର

୮ଲକ୍ଷରୁ ଅଧିକ ଯୁବକ ଯୁବତୀ ବେକାର

ଭୁବନେଶ୍ୱର : ରାଜ୍ୟର ୮ଲକ୍ଷରୁ ଅଧିକ କେବାର ଯୁବକ ଯୁବତୀ ଚାକିରି ଆଶାରେ ନିୟୋଜନ ନିର୍ଦ୍ଦେଶାଳୟରେ ନିଜର ନାମ ପଞ୍ଜୀକରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୫ଲକ୍ଷରୁ ଅଧିକ ପୁଅ ଥିବାବେଳେ ଝିଅଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷ ରହିଛି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତରଞ୍ଜନ ଘଡାଇ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଉତ୍ତରରୁ ଜଣାଯାଇଛି ଯେ ରାଜ୍ୟର ବିଭିନ୍ନ ନିୟୋଜନ ସଂସ୍ଥାରେ ମୋଟ ୮,୮୦,୧୭୫ଜଣ ଯୁବକ ଯୁବତୀ ନାମ ପଞ୍ଜୀକରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୫,୮୧,୬୭୬ଜଣ ପୁଅ ଥିବାବେଳେ ଝିଅଙ୍କ ସଂଖ୍ୟା ୨,୯୮,୪୯୯ ରହିଛି ।

ଏହି ଉତ୍ତରରୁ ଜଣାଯାଇଛି ଯେ ନାମ ପଞ୍ଜୀକରଣ କରିଥିବା ପୁଅଙ୍କ ମଧ୍ୟରୁ ସର୍ବାଧିକ ୩୯,୮୯୩ ଜଣ ଭୁବନେଶ୍ୱରର ସ୍ୱତନ୍ତ୍ର ଏସସି/ଏସଟି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ଥିବାବେଳେ ରାଜ୍ୟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ୩୭,୮୪୪ ଜଣ, ପୁରୀରେ ୩୫,୪୯୬ଜଣ, କେନ୍ଦ୍ରାପଡାରେ ୩୨,୪୮୬ଜଣ, ରାଉରକେଲାରେ ୩୧,୩୦୧ଜଣ ରହିଛନ୍ତି । ସବୁଠାରୁ କମ୍‍ ୨୯୧ଜଣ ବାଣୀବିହାରରେ ନାମ ପଞ୍ଜୀକରଣ କରିଛନ୍ତି ।

ତେବେ ମୋଟ ନାମ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସର୍ବାଧିକ ୭୩,୧୨୬ଜଣ ଭୁବନେଶ୍ୱରରେ ଥିବା ରାଜ୍ୟସ୍ତରୀୟ ଏମ୍ପ୍ଲୟମେଣ୍ଟରେ ରହିଥିବା ବେଳେ ଏସ୍‍ସି/ଏସଟି ଏମ୍ପ୍ଲୟମେଣ୍ଟରେ ୫୮,୭୦୧ଜଣ, ପୁରୀରେ ୫୩,୯୩୯ ଓ ରାଉରକେଲାରେ ୫୦,୭୭୮ଜଣ ରହିଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ ରାଜ୍ୟ ସରକାରଙ୍କର ବେକାର ଯୁବକ ଯୁବତୀମାନଙ୍କୁ ମାସିକ ୧୦ ହଜାର ଟଙ୍କାର ବେକାରି ଭତ୍ତା ଦେବା ପାଇଁ ଏବେ କୌଣସି ଯୋଜନା ନାହିଁ । (ତଥ୍ୟ)