Home Administration ୮ବର୍ଷ କଟକଣା ପରେ ବି ବିକ୍ରି ଚାଲିଛି

୮ବର୍ଷ କଟକଣା ପରେ ବି ବିକ୍ରି ଚାଲିଛି

ଭୁବନେଶ୍ୱର : ଓଡିଶାରେ ଗୁଟ୍‍ଖା ଓ ତମାଖୁ ସାମଗ୍ରୀ ନିଷିଦ୍ଧ କରାଯିବାର ୮ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ୟରେ ବେଧଡକ ଭାବରେ ଏହି ବିଷାକ୍ତ ନିଶା ସାମଗ୍ରୀର ବେପାର ଚାଲିଛି । ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ପ୍ରତିବର୍ଷ ଗତାନୁଗତିକ ଭାବେ ସରକାରୀ ଓ ବେସରକାରୀ ସ୍ତରରେ ତମାଖୁ ବର୍ଜନ ଲାଗି ସଚେତନତା ନାମରେ ବିପୁଳ ଅର୍ଥ ବରବାଦ ହେଉଥିବାବେଳେ ଏହାର ବ୍ୟବହାର କମିବା ପରିବର୍ତ୍ତେ ବଢି ବଢି ଚାଲିଛି ।

ସମଗ୍ର ବିଶ୍ୱରେ ମୁଖ ଗହ୍ୱର କର୍କଟ ରୋଗରେ ଯେତେ ଲୋକ ଆକ୍ରାନ୍ତ ହେଉଛନ୍ତି ଓ ମୃତ୍ୟୁବରଣ କରୁଛନ୍ତି ସେଥିରୁ ତୁଳନାତ୍ମକ ଭାବେ ଭାରତରେ ସଂଖ୍ୟାଧିକ ଲୋକ ମରୁଥିବାରୁ ଆମ ଦେଶକୁ ମୁଖଗହ୍ୱର କର୍କଟରୋଗର ରାଜଧାନୀ ଭାବେ ଗଣାଯାଇଥାଏ । ମୁଖଗହ୍ୱର କର୍କଟରୋଗର ମୁଖ୍ୟ କାରଣ ତମାଖୁ, ପାନମସଲା, ଗୁଟ୍‍ଖା, ମଦ ଓ ଅନ୍ୟାନ୍ୟ ନିଶା ସେବନ ବୋଲି ବାରମ୍ବାର ସରକାରଙ୍କ ପକ୍ଷରୁ ପ୍ରଚାର କରାଯାଉଥିବାବେଳେ ଏହାର ମୂଳଉତ୍ପାଟନ କିନ୍ତୁ କରାଯାଉ ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ଭାରତରେ ଓଡିଶା, ବିହାର, ଝାଡଖଣ୍ଡ, ଛତିଶଗଡ ଓ ଆନ୍ଧ୍ର ଭଳି ରାଜ୍ୟମାନଙ୍କରେ ଅଧିକ ତମାଖୁ, ଗୁଟ୍‍ଖା ଓ ଅନ୍ୟାନ୍ୟ ନିଶା ସାମଗ୍ରୀ ବ୍ୟବହାର କରାଯାଉ ଥିବାରୁ ଏହି ଅଞ୍ଚଳରେ ଅଧିକ ସଂଖ୍ୟକ ମୁଖଗହ୍ୱର କର୍କଟରୋଗୀ ଦେଖାଯାଇଥାନ୍ତି । ଏହାଛଡା ମଦ୍ୟପାନ, ଗଞ୍ଜେଇ, ଚରସ, ବ୍ରାଉନସୁଗାର ଆଦିର ବହୁଳ ପ୍ରଚଳନ ସହିତ ରସାୟନିକ ସାର ଓ କୀଟନାଶକରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଏବଂ ଦିନ ଚର୍ଯ୍ୟାରେ ବିଶୃଙ୍ଖଳା ଯୋଗୁଁ ବିଭିନ୍ନ କିସମର କର୍କଟରୋଗ ବ୍ୟାପୁଥିବା କଥା ବୈଜ୍ଞାନିକ ଓ ଡାକ୍ତରମାନେ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି । ଏମିତିକି କର୍କଟ ସମେତ କିଡ୍‍ନୀ, ଲିଭର, ଫୁସ୍‍ଫୁସ୍‍ ଓ ସ୍ନାୟୁବିକ ସଂକ୍ରମଣ ଏବଂ ହୃଦ୍‍ରୋଗ କ୍ଷେତ୍ରରେ ମଧ୍ୟ ଡାକ୍ତରମାନେ ନିଶା ସେବନ ପାଇଁ ବାରଣ କରୁଛନ୍ତି ।

ସମ୍ପ୍ରତି ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ପରିପ୍ରେକ୍ଷୀରେ ଲୋକଙ୍କ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଲାଗି ଗୁରୁତ୍ୱଆରୋପ କରାଯାଇ ଟିକାକରଣ କାର୍ଯ୍ୟକ୍ରମ ଉପରେ ଭାରତ ସମେତ ବିଶ୍ୱର ପ୍ରାୟ ସବୁ ରାଷ୍ଟ୍ର ପ୍ରାଥମିକତା ଦେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ଆରମ୍ଭକରି ଆଇସିଏମ୍‍ଆର, ଜୀବନ ବିଜ୍ଞାନ ପ୍ରତିଷ୍ଠାନ, ଓ ଡାକ୍ତରମାନେ ଏକଥା ବାରମ୍ବାର କହୁଛନ୍ତି ଯେ ନିଶାସେବନ କରୁଥିବା ଲୋକଙ୍କର ରକ୍ତରେ ନିକୋଟିନ୍‍ ଓ ଆଲକୋହଲ ପରିମାଣ ଅଧିକ ରହି ସେମାନଙ୍କ ରୋଗ ପ୍ରତିରୋଧ ଶକ୍ତିକୁ ଦୁର୍ବଳ କରୁଛି । ଧୂମପାନ ସହ ଗୁଟ୍‍ଖା, ପାନମସଲା ଓ ମଦ ଆଦି ସେବନ ଯୋଗୁଁ ଶ୍ୱାସନଳୀ ଓ ଫୁସ୍‍ଫୁସ୍‍ ଅତି ମାତ୍ରାରେ ଦୁର୍ବଳ ରହୁଥିବାରୁ କରୋନା ଭୂତାଣୁ ସଂକ୍ରମଣ କ୍ଷେତ୍ରରେ ଏହା ବିଶେଷ ସହାୟକ ହେଉଛି ।

ଏମିତିକି ନିଶାଡିଙ୍କୁ ଆଗେ କରୋନା ଗ୍ରାସିବ ବୋଲି ବି ଖୋଦ ସରକାରଙ୍କ ପକ୍ଷରୁ ମଧ୍ୟ ବର୍ଷାଧିକକାଳ ଧରି କୁହାଯାଉଛି । ଏହା ସତ୍ୱେ ବି କରୋନା ସଂକ୍ରମଣ ଓ ତଦ୍‍ଜନିତ ମୃତ୍ୟୁସଂଖ୍ୟା ବଢୁଥିଲେ ମଧ୍ୟ ନିଶା ସେବନ, ଉତ୍ପାଦନ, ବିପ୍ପଣନ ଆଦି କମିବା ପରିବର୍ତ୍ତେ ବଢି ଚାଲୁଛି । ଏବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରୁଥିବା ସରକାରୀ ଓ ବେରକାରୀ ସଂସ୍ଥାମାନେ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ବୈଜ୍ଞାନିକ ଓ ଡାକ୍ତରମାନେ ମତ ଦେଉଛନ୍ତି । (ତଥ୍ୟ)