Home Environment ୮ଟି ବାତ୍ୟାରେ ୧୬୦ଜଣଙ୍କ ପ୍ରାଣହାନୀ

୮ଟି ବାତ୍ୟାରେ ୧୬୦ଜଣଙ୍କ ପ୍ରାଣହାନୀ

ଭୁବନେଶ୍ୱର : ୧୯୯୯ ମହାବାତ୍ୟା ପରେ ରାଜ୍ୟରେ ୮ଟି ବାତ୍ୟା ଅନୁଭୂତ ହୋଇଥିବା ଏଥିରେ ମୋଟ୍‍ ୧୬୦ ଜଣ ପ୍ରାଣ ହରାଇଛନ୍ତି । ତେବେ ସବୁଠାରୁ ଅଧିକ ୭୨ ଜଣ ୨୦୧୮ରେ ଆସିଥିବା ତିତ୍‍ଲି ବାତ୍ୟାରେ ମରିଥିବା ଜଣାଯାଇଛି ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୯୯୯ରେ ମହାବାତ୍ୟା ପରେ ୨୦୧୩ରେ ଫାଇଲିନ୍‍, ୨୦୧୪ରେ ହୁଡ୍‍ହୁଡ୍‍, ୨୦୧୮ରେ ତିତ୍‍ଲି, ପେଥାଇ ଓ ଡାଏ, ୨୦୧୯ରେ ଫନି ଓ ବୁଲ୍‍ବୁଲ୍‍ ଏବଂ ୨୦୨୦ରେ ବାତ୍ୟା ଅମ୍ଫାନ୍‍ ଦ୍ୱାରା ଓଡ଼ିଶା ପ୍ରଭାବିତ ହୋଇଥିଲା ।

ଫାଇଲିନ୍‍ ବାତ୍ୟାରେ ୨୧ ଜଣ ମୃତ୍ୟୁବରଣ କରିଥିବା ବେଳେ ଏହା ପ୍ରଭାବରେ ରାଜ୍ୟରେ ୧୪ହଜାର ୩୭୩ କୋଟି ୪୭ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଥିଲା । ବାତ୍ୟା କ୍ଷୟକ୍ଷତି ଲାଗି ୪୨୪୨ କୋଟି ୪୨ ଲକ୍ଷ ଟଙ୍କା ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିବା ବେଳେ କେନ୍ଦ୍ରରୁ ୧୧୪୯ କୋଟି ୮୩ ଲକ୍ଷ ଟଙ୍କା ମିଳିଥିଲା ।

ସେହିଭଳି ହୁଡ୍‍ହୁଡ୍‍ ବାତ୍ୟାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୯୪୯ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା । କ୍ଷତିଭରଣା ଲାଗି କେନ୍ଦ୍ରକୁ ୭୭୭ କୋଟି ୧୨ ଲକ୍ଷ ଟଙ୍କାର ସହାୟତା ମଗାଯାଇଥିବା ବେଳେ ଏ ବାବଦରେ କେନ୍ଦ୍ରରୁ ଟଙ୍କାଟିଏ ମିଳିନଥିଲା । ବାତ୍ୟା ଡାଏ ପ୍ରଭାବରେ କୌଣସି ଜୀବନହାନୀ ଘଟିନଥିବା ବେଳେ ମାତ୍ର ୨କୋଟି ୩୩ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଥିଲା ।

ସର୍ବାଧିକ ୭୨ ଜଣଙ୍କ ଜୀବନ ନେଇଥିବା ତିତ୍‍ଲିରେ ୨୭୭୯ କୋଟି ୩୨ ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଥିବା ବେଳେ ଅନୁରୂପ ପରିମାଣ ଅର୍ଥ ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲା । ତେବେ କେନ୍ଦ୍ର ସରକାର ୩୪୧ କୋଟି ୭୨ ଲକ୍ଷ ଟଙ୍କାର ସହାୟତା ଯୋଗାଇଥିଲେ ।

ବାତ୍ୟା ପେଥାଇ ପ୍ରଭାବରେ କୌଣସି ଜୀବନହାନୀ ଘଟିନଥିବା ବେଳେ ପ୍ରାୟ ୪୪ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା । ତେବେ ୨୦୧୯ରେ ଆସିଥିବା ଫନିରେ ୬୪ ଜଣ ମୃତ୍ୟୁବରଣ କରିଥିବା ବେଳେ ୯୩୩୬ କୋଟି ୨୭ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିଲା । ରାଜ୍ୟ ସରକାର କେନ୍ଦ୍ରକୁ ୫୨୨୭ କୋଟି ୬୮ ଲକ୍ଷ ଟଙ୍କାର ସହାୟତା ମାଗିଥିବା ବେଳେ କେନ୍ଦ୍ରରୁ ୩୧୧୪ କୋଟି ୪୬ ଲକ୍ଷ ଟଙ୍କା ମିଳିଥିଲା ।

ସେହିବର୍ଷ ଆସିଥିବା ବାତ୍ୟା ବୁଲ୍‍ବୁଲ୍‍ରେ ଜଣେ ହେଲେ ମୃତ୍ୟୁବରଣ କରିନଥିଲେ ବି ଓଡ଼ିଶାରେ ୨୨୪ କୋଟି ୪୩ ଲକ୍ଷ ଟଙ୍କାର କ୍ଷତି ଘଟିଥିଲା । ଏଥିପାଇଁ କେନ୍ଦ୍ର ସରକାର ୧୭୯ କୋଟି ୬୪ ଲକ୍ଷ ଟଙ୍କା ଯୋଗାଇଥିଲେ । ଗତବର୍ଷ ଆସିଥିବା ବାତ୍ୟା ଅମ୍ଫାନ୍‍ରେ ଜୀବନହାନୀ ଘଟିନଥିବା ବେଳେ ୨୩୬ କୋଟି ୬୮ ଲକ୍ଷ ଟଙ୍କାର କ୍ଷତି ଘଟିଥିଲା । କେନ୍ଦ୍ର ସରକାର ସେତେବେଳେ ଏନ୍‍ଡିଆର୍‍ଏମ୍‍ଏଫ୍‍ ପାଣ୍ଠିରୁ ୫୦୦ କୋଟି ଟଙ୍କା ଯୋଗାଇ ଦେଇଥିଲେ ।

ଓଡ଼ିଶାରେ ଦେଖାଦେଇଥିବା ଏହି ୮ଟି ବାତ୍ୟାରେ ୧୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ୍‍ ୩୧,୯୪୫ କୋଟି ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଥିଲା । ଓଡ଼ିଶା ସରକାର ସହାୟତା ପାଇଁ ୨୯,୪୮୦ କୋଟି ୩୭ ଲକ୍ଷ ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ବେଳେ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ୫୨୮୫ କୋଟି ୬୫ ଲକ୍ଷ ଟଙ୍କା ଯୋଗାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।