Home Administration ୭ ତାରିଖରୁ ଖୋଲିବ ହାଇସ୍କୁଲ ଏବଂ କଲେଜ

୭ ତାରିଖରୁ ଖୋଲିବ ହାଇସ୍କୁଲ ଏବଂ କଲେଜ

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତିର ଅନୁଧ୍ୟାନ କରି ସ୍କୁଲ୍‌, କଲେଜ୍‌ ଖୋଲିବା ବିଷୟରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏ ବିଷୟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଗତ ୧ ମାସ ମଧ୍ୟରେ ରାଜ୍ୟରେ କରୋନାର ତୃତୀୟ ଲହର ନିୟନ୍ତ୍ରଣାଧିନ ଅଛି ।

କରୋନା ନମୁନା ପରୀକ୍ଷା ଏବଂ ପଜିଟିଭ ହାର କମ ଅଛି । ଇତି- ମଧ୍ୟରେ ୧୫ ରୁ ୧୮ ବର୍ଷ ବୟସ୍କ ବହୁ ସଂଖ୍ୟକ ପିଲାଙ୍କୁ ଟିକା ଦିଆଯାଇଛି । କରୋନା ଯୋଗୁ ଗତ ଦୁଇବର୍ଷରେ ପିଲାମାନଙ୍କ ଶିକ୍ଷା ବହୁ ପରିମାଣରେ ପ୍ରଭାବିତ ହୋଇଥିବାରୁ ବର୍ତ୍ତମାନ କୋଭିଡ୍‌ ନିୟମ ଅନୁପାଳନ ସହ ଶିକ୍ଷାନୁଷ୍ଠାନ ଖୋଲିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଶ୍ରୀ ମହାପାତ୍ର କହିଥିଲେ ଯେ ଚଳିତ ଫେବୃଆରୀ ୭ ତାରିଖ ସୋମବାରଠାରୁ ୮ ରୁ ୧୦ମ ସମସ୍ତ     ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବ । ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ଛାତ୍ର/ଛାତ୍ରୀ ନିବାସ ଖୋଲିବ । 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚୀତ ଜନଜାତି ଓ ଜାତି ଉନ୍ନୟନ, କୌଶଳ ବିକାଶ ଏବଂ ବୈଷୟିକ ତାଲିମ୍‌, କୃଷି କୃଷକ ସଶକ୍ତିକରଣ, ଏବଂ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ଆଦି ବିଭାଗ ଅଧିନ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବ । ଉଭୟ ଅନ୍‌-ଲାଇନ୍‌ ଏବଂ ଅଫ୍‌-ଲାଇନ୍‌ ମୋଡ୍‌ରେ ପାଠପଢ଼ା ହେବ । ନିଜ ନିଜ ବିଭାଗରେ ବିଦ୍ୟାଳୟ ଶିକ୍ଷାଦାନ ଓ ପରୀକ୍ଷା ଆଦି ବିଷୟରେ ସଂପୃକ୍ତ ବିଭାଗମାନେ ଗାଇଡ୍‌ଲାଇନ୍‌ ଜାରି କରିବେ ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ୨ୟ ପର୍ଯ୍ୟାୟରେ ଫେବୃଆରୀ ୧୪ ତାରିଖରୁ ପ୍ରାରମ୍ଭ/ କେ.ଜି. ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ତେବେ ଶ୍ରେଣୀଗୃହ ପାଠପଢା ଏବଂ ପରୀକ୍ଷା ଆଦି ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ କୋଭିଡ୍‌ ନିୟମ ଗୁଡ଼ିକର କଡ଼ାକଡ଼ି ଅନୁପାଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହି ଅନୁପାଳନ ପାଇଁ ସଂପୃକ୍ତ ଅନୁଷ୍ଠାନର ମୁଖ୍ୟ ଓ କର୍ତ୍ତୁପକ୍ଷ ସମସ୍ତ ବ୍ୟବସ୍ଥା କରିବେ । ଉଚ୍ଚଶିକ୍ଷା ବିଭାଗର ପରୀକ୍ଷା ଜାନୁଆରୀ ୧୦ ତାରିଖ ପୂର୍ବର ନିୟମ ଓ ଗାଇଡ୍‌ଲାଇନ୍‌ ଅନୁସାରେ ହେବ ।

ଆବଶ୍ୟକ ସ୍ଥଳେ ବ୍ରିଜ୍‌-କୋର୍ସ ଓ ସ୍ୱଳ୍ପ-ଅବଧି, ମଧ୍ୟମ-ଅବଧି ଆଦି ପାଠ୍ୟକ୍ରମ କରି ପିଲାଙ୍କର ପାଠ୍ୟଖସଡ଼ା ଶେଷକରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଆବଶ୍ୟକ ହେଲେ ଖରାଦିନ ଛୁଟିର ଅବଧି କମାଇ ଶିକ୍ଷାଦାନ କରିପାରିବେ । ସବୁ ବିଭାଗର ସବୁ ଅନୁଷ୍ଠାନ ପାଇଁ ସରକାରଙ୍କର ଏହି ନିଷ୍ପତ୍ତି ଲାଗୁହେବ ।

ସମସ୍ତ ଶିକ୍ଷାନୁଷ୍ଠାନ, ପରିଚାଳନା କମିଟି, ଶିକ୍ଷକ/ଶିକ୍ଷୟତ୍ରୀ ଓ ଅବିଭାବକମାନେ ମିଳିତ ଭାବେ ପ୍ରୟାସ କଲେ ଆମେ ପିଲାମାନଙ୍କ ଶିକ୍ଷାଦାନରେ ହୋଇଥିବା କ୍ଷତିକୁ ପୁରଣ କରିପାରିବା ବୋଲି ମୁଖ୍ୟ ଶାସନ ସଚିବ ଆଶା ପ୍ରକାଶ କରିଥିଲେ ।