Home Health ୭୮୬ ଡାକ୍ତରଙ୍କ ନାମ ନିଯୁକ୍ତି ପାଇଁ ସୁପାରିଶ

୭୮୬ ଡାକ୍ତରଙ୍କ ନାମ ନିଯୁକ୍ତି ପାଇଁ ସୁପାରିଶ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ଡାକ୍ତରୀ ପଦବୀ ପାଇଁ ନିଯୁକ୍ତି ପରୀକ୍ଷା କରିବାକୁ ୧୯/୦୨/୨୦୨୧ରେ ଓଡ଼ିଶା ଲୋକସେବା ଆୟୋଗକୁ ପ୍ରସ୍ତାବ ଆସିଥିଲା । କୋଭିଡ୍ ସମୟରେ ଏହି ପଦବୀଗୁଡ଼ିକ ଯଥାଶୀଘ୍ର ପୂରଣ କରିବା ଏକାନ୍ତ ଅପରିହାର୍ଯ୍ୟ ଥିବାରୁ ଯେତେ ସମ୍ଭବ ଖୁବ୍ କମ୍ ସମୟ ମଧ୍ୟରେ ଏହି ନିଯୁକ୍ତି ପରୀକ୍ଷା ସମାହିତ କରି ଫଳାଫଳ ପ୍ରକାଶ କରିବା ଓଡ଼ିଶା ଲୋକସେବା ଆୟୋଗ ପାଇଁ ଏକ ବଡ଼ ଅହ୍ୱାନ ଥିଲା ।

ଏଣୁ ଏହି ପରୀକ୍ଷାକୁ କମ୍ପ୍ୟୁଟର ମାଧ୍ୟମରେ କରିବାକୁ ଆୟୋଗ ବିଧିବଦ୍ଧ ପ୍ରସ୍ତାବ ନେଇଥିଲା । ଆବେଦନ ତାରିଖ ପାଇଁ ଏକ ମାସ ସମୟ ଦେବା ପରେ ୨୮/୦୪/୨୦୨୧ ତାରିଖରେ ନିଯୁକ୍ତି ପରୀକ୍ଷା ୧୫ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ୧୪୯୧ ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ । ଓଡ଼ିଶା ଡାକ୍ତରୀ ସେବା ନିଯୁକ୍ତି ନିୟମ ଅନୁଯାୟୀ ଲିଖିତ ପରୀକ୍ଷାର ନମ୍ବର (ଯାହାର ଗୁରୁତ୍ୱ ଶତକଡ଼ା ୭୦ ଭାଗ) ଏବଂ କ୍ୟାରିୟର (ଗୁରୁତ୍ୱ ଶତକଡ଼ା ୩୦ ଭାଗ) ଆଧାରରେ ମେଧା ନିର୍ଦ୍ଧାରଣ କରାଯିବାର ବ୍ୟବସ୍ଥା ଅଛି ।

ବର୍ତ୍ତମାନ ଲୋକସେବା ଆୟୋଗରେ ଯେ କୌଣସି ପରୀକ୍ଷା ସମ୍ବନ୍ଧୀୟ ଯାବତୀୟ ପ୍ରକ୍ରିୟା ଯଥା-ଆବେଦନ, ଆଡମିଟ୍‍ କାର୍ଡ ପ୍ରେରଣ, ପରୀକ୍ଷା କେନ୍ଦ୍ର ଚୟନ, ପରୀକ୍ଷା ଫଳ ନିର୍ଦ୍ଧାରଣ ଏବଂ ପ୍ରାର୍ଥୀଙ୍କ ନାମ ସୁପାରିଶ ସମସ୍ତ କାର୍ଯ୍ୟ ସିଏସଏମଏସ ସଫ୍ଟୱେୟାର ମାଧ୍ୟମରେ ଅନଲାଇନରେ ହୋଇପାରୁଛି । ଏହା ପରୀକ୍ଷା ପଦ୍ଧତିକୁ ତ୍ରୁଟିଶୂନ୍ୟ ଏବଂ କମ୍‍ ସମୟ ସାକ୍ଷେପ କରିପାରିଛି ।

ପ୍ରାର୍ଥୀମାନେ ତାଙ୍କର ଅନଲାଇନ୍ ଦରଖାସ୍ତ ଆବେଦନ କରିଥିବା ସମୟରେ ଦାଖଲ କରିଥିବା ଦଶମ, ଦ୍ୱାଦଶ ଏବଂ ଏମବିବିଏସ୍ ଡିଗ୍ରୀ ପରୀକ୍ଷାର ମାର୍କ ତାଲିକା ଭିତ୍ତିରେ ଏହି ସିଏସଏମଏସ ସଫ୍ଟୱେୟାର ସେମାନଙ୍କର କ୍ୟାରିୟରଭିତ୍ତିକ ମେଧା ତାଲିକା ଖୁବ୍ କମ୍ ସମୟରେ ବାହାର କରାଯାଇଅଛି । ସେହି କ୍ୟାରିୟର ମାର୍ଗ ସହିତ ଲିଖିତ ପରୀକ୍ଷାର ମାର୍କ ସଫ୍ଟୱେୟାର ମାଧ୍ୟମରେ ମିଶି ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ କରାଯାଇଛି ।

ପରୀକ୍ଷା ହେବାର ମାତ୍ର ୧୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରି ଓଡ଼ିଶା ଲୋକସେବା ଆୟୋଗ ଏହାର ପରୀକ୍ଷା ପଦ୍ଧତିରେ ଅଣାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ଏକ ନମୁନା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ କୋଭିଡ୍ ପରିପ୍ରେକ୍ଷୀରେ ଆବଶ୍ୟକ ଥିବା ଡାକ୍ତରୀ ପଦବୀ ଖୁବଶୀଘ୍ର ପୂରଣ କରବାରେ ସକ୍ଷମ ହୋଇଥିବାରୁ ଏହା ଆୟୋଗର ରାଜ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧତା ବେଶ୍ ପ୍ରତିପାଦନ କରିଛି ।

ଏହି ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ମୂଳ ପ୍ରମାଣପତ୍ର ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯାଞ୍ଚ କରିସାରିଲା ପରେ ସରକାର ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ । ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୭୮୬ ଜଣ ଡାକ୍ତରଙ୍କ ନାମ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି । ଚୂଡାନ୍ତ ଫଳ ଓପିଏସସିର ୱେବସାଇଟ http://opsc.gov.inରେ ଉପଲବ୍ଧ ହେବ ।