Home General ୭୩୨ଙ୍କୁ ଶିଶୁ ସୁରକ୍ଷା ସହାୟତା

୭୩୨ଙ୍କୁ ଶିଶୁ ସୁରକ୍ଷା ସହାୟତା

ଭୁବନେଶ୍ୱର : ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟ ସରକାର ୭୩୨ ଜଣଙ୍କୁ ସହାୟତା ଯୋଗାଇ ଦେଇଛନ୍ତି । ଏମାନଙ୍କୁ ଛାତ୍ରବୃତ୍ତି, ପାଠ୍ୟୋପକରଣ ଓ ବିବାହ ସହାୟତା ଆଦି ପ୍ରଦାନ କରାଯାଇଛି ।

ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍‍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ୨୦୧୮-୧୯ ବର୍ଷରେ ୩୦୦ ଜଣଙ୍କୁ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ୨୦୧୯-୨୦ ବର୍ଷରେ ୪୩୨ ଜଣଙ୍କୁ ସହାୟତା ଦିଆଯାଇଛି ।

୨୦୧୮-୧୯ ବର୍ଷରେ ସହାୟତା ପାଇଥିବା ୩୦୦ ଜଣଙ୍କ ମଧ୍ୟରୁ ସର୍ବାଧିକ ୧୯୬ ଜଣ ବାଳିକାଙ୍କୁ ଆର୍ଥିକ ସହାୟତା ଦିଆଯାଉଥିବା ବେଳେ ୬୨ ଜଣଙ୍କୁ ବୃତ୍ତି, ୨୯ ଜଣଙ୍କୁ ବୈଷୟିକ ଶିକ୍ଷା ପାଇଁ ସହାୟତା ଓ ୧୩ ଜଣ ବାଳିକାଙ୍କୁ ବାହାଘର ଲାଗି ସହାୟତା ଦିଆଯାଇଥିଲା । ବିବାହ ସହାୟତା ପାଇଥିବା ୧୩ ଜଣଙ୍କ ମଧ୍ୟରେ ତିନିଜଣ ସମ୍ବଲପୁର ଜିଲ୍ଲାରୁ ଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୨ଜଣ ଏବଂ ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେକରି ରହିଛନ୍ତି ।

ସେହିଭଳି ୨୦୧୯-୨୦ ବର୍ଷରେ ସହାୟତା ପାଇଥିବା ୪୩୨ଜଣଙ୍କ ମଧ୍ୟରୁ ସର୍ବାଧିକ ୩୦୬ ଜଣ ବାଳିକାଙ୍କୁ ସୁକନ୍ୟା ଯୋଜନାରେ ଆର୍ଥିକ ସହାୟତା ଯୋଗାଯାଇଥିବା ବେଳେ ୬୭ ଜଣଙ୍କୁ ବୃତ୍ତି ଓ ୫୫ ଜଣଙ୍କୁ ବୈଷୟିକ ଶିକ୍ଷା ଲାଗି ସହାୟତା ମିଳିଛି । ସେହିଭଳି ଏହିବର୍ଷ ୪ ଜଣ ଝିଅଙ୍କୁ ଏହି ଯୋଜନାରେ ବିବାହ ସହାୟତା ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ନବରଙ୍ଗପୁର, କୋରାପୁଟ, କଟକ ଓ ବଲାଙ୍ଗୀର ଜିଲ୍ଲାରୁ ଜଣେକରି ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here