Home Health ୬୫ଟଙ୍କାର ବଟିକାକୁ ୧୨୯୦ରେ ବିକ୍ରି ଯୋଜନା

୬୫ଟଙ୍କାର ବଟିକାକୁ ୧୨୯୦ରେ ବିକ୍ରି ଯୋଜନା

ଭୁବନେଶ୍ୱର : ନକଲି ଔଷଧ ବିକ୍ରି କରିବା ଘଟଣାରେ ମୁଖ୍ୟ କାର୍ପଟଦାରକୁ ଏସ୍‌ଟିଏଫ୍ ଗିରଫ କରିବା ସହିତ ଏହି କାରବାରର ନୂଆ ନୂଆ ଘଟଣା ପଦାକୁ ଆସିବାରେ ଲାଗିଛି । କୋଭିଡ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଫାଭିମାକ୍ସ ଟାବଲେଟ୍‌ର ଗୋଟିଏ ଷ୍ଟ୍ରିପ୍‌(୧୦ଟି) ମୂଲ୍ୟ ମାତ୍ର ୬୫ଟଙ୍କା ହୋଇଥିବାବେଳେ “ମେଡିଲୋୟଡ୍ ମେଡିକାମେଣ୍ଟ” କମ୍ପାନୀ ଏହାକୁ ୧୨୯୦ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରୁଥିଲା ।

ଗିରଫ ମୁଖ୍ୟ ଅଭିଯୁକ୍ତଜଣକ “ମେଡିଲୋୟଡ୍ ମେଡିକମେଂଟ ପ୍ରାଇଭେଟ୍ ଲିମିଟେଡ୍‌’ର ପରିଚାଳନା ନିର୍ଦ୍ଦେଶକ ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ଘଟଣାରେ ଏସଟିଏଫ୍ ୩ଜଣଙ୍କୁ ଗିରଫ କରିଛିା ।

ଏହି ମାମଲାରେ ମୋଟ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ବର୍ତମାନ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଆକାଉଂଟରୁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି । ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଏସଟିଏଫର ତିନୋଟି ଟିମ୍ ନକଲି ଔଷଧ କାରବାର ସଂକ୍ରାନ୍ତରେ ତଦନ୍ତ କରୁଛନ୍ତି ବୋଲି ଡିଜିପି ସୂଚନା ଦେଇଛନ୍ତି ।

ସୁଚନା ମୁତାବକ, ଓଡ଼ିଶାରେ ନକଲି ଔଷଧ ବିକ୍ରି ହେଉଥିବା ନେଇ ଡ୍ରଗ୍ କର୍ତୃପକ୍ଷ ଏସ୍‌ଟିଏଫ୍‌ରେ ଏକ ରିପୋର୍ଟ ଦାଖଲ କରିଥିଲେ । ନକଲି ଔଷଧ ବିଶେଷତଃ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଥିବା ଔଷଧ ଫାଭିମାକ୍ସ-୨୦୦ ଏବଂ ଫ୍ୟାଭିମାକ୍ସ-୪୦୦(ଫାଭିପିରାଭବିର୍‌) ବିକ୍ରି ହେଉଥିବା ସୂଚନା ମିଳିଥିଲା ।

ସେହି ଅନୁଯାୟୀ ଡ୍ରଗ୍‌ସ ଏବଂ କସ୍‌ମେଟିକ୍ ଆକ୍ଟ ୧୯୪୦ ଅନୁଯାୟୀ ନକଲି ଔଷଧ ବିକ୍ରି, ଜାଲିଆତି, ଠକେଇ ଓ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇଥିଲା । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ପାଇଁ ଏସ୍‌ଟିଏଫ୍ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଓଡ଼ିଶା, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢଉ କରି ଉକ୍ତ ଟିମ୍ ତଥ୍ୟ ଏବଂ ପ୍ରମାଣ ସଂଗ୍ରହ କରିଥିଲେ ।

ହିମାଚଳ ପ୍ରଦେଶସ୍ଥିତ ସୋଲାନ୍ ନାମକ ସ୍ଥାନରେ “ମ୍ୟାକ୍ସ ରିଲିଫ୍ ହେଲ୍‌ଥ କେୟାର” ନାମକ ଏକ କମ୍ପାନୀ ଫାଭିମାକ୍ସ ଟାବଲେଟ୍ ପ୍ରସ୍ତୁତ କରି ମାର୍କେଟିଂ କରୁଥିଲା । ଏହି କମ୍ପାନୀକୁ ଦୁଇଜଣ ବ୍ୟକ୍ତି ଚଳାଉଥିବା ବେଳେ ଦୁହିଁଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଏହାବ୍ୟତୀତ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ମାମଲା ରହିଥିବା ଏସଟିଏଫ୍ ଜାଣିବାକୁ ପାଇଥିଲା ।

ଓଡ଼ିଶାରେ ଥିବା “ମେଡିଲୋୟଡ୍ ମେଡିକମେଂଟ ପ୍ରାଇଭେଟ୍ ଲିମିଟେଡ୍‌’ କମ୍ପାନୀ “ମ୍ୟାକ୍ସ ରିଲିଫ୍ ହେଲ୍‌ଥ କେୟାର” ସହ ଷଡଯନ୍ତ୍ର କରି ଫାଭିମାକ୍ସ ଟାବଲେଟ୍ ବହୁତ କମ୍ ଦାମରେ ହାସଲ କରିଥିଲା । ପ୍ରତି ଷ୍ଟ୍ରିପ୍‌(୧୦ଟି)ଟାବ୍‌ଲେଟ୍‌ର ମୂଲ୍ୟ ମାତ୍ର ୬୫ଟଙ୍କା ହୋଇଥିବାବେଳେ “ମେଡିଲୋୟଡ୍ ମେଡିକାମେଂଟ” କମ୍ପାନୀ ଏହାକୁ ୧୨୯୦ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରୁଥିଲା ।

LEAVE A REPLY

Please enter your comment!
Please enter your name here