Home Health ୬୨ ଡାକ୍ତରଖାନାର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ

୬୨ ଡାକ୍ତରଖାନାର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ

ଭୁବନେଶ୍ୱର : କଟକ ମହାନଗର ନିଗମ (ସିଏମ୍‍ସି) ଇଲାକାରେ ଥିବା ୬୨ଟି ଡାକ୍ତରଖାନାର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ । ଏହିସବୁ ଡାକ୍ତରଖାନାର ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ରାଜ୍ୟ ଗୃହ ବିଭାଗକୁ ପଠାଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ କଟକ ମହାନଗର ନିଗମ ଅଞ୍ଚଳରେ ୨୨୯ଟି ଘରୋଇ ଡାକ୍ତରଖାନା ରହିଛି । ଏଥି ମଧ୍ୟରୁ ୬୨ଟି ଡାକ୍ତରଖାନା ଅଗ୍ନି ନିରାପତ୍ତା ସଂକ୍ରାନ୍ତୀୟ ଆପତ୍ତି ବିହୀନ ପ୍ରମାଣପତ୍ର (ଏନ୍‍ଓସି) ପ୍ରଦାନ କରିନାହାନ୍ତି ।

ଏହି ସମସ୍ତ ଡାକ୍ତରଖାନା କଟକ ସହର ଭିତରେ ଥିବାବେଳେ ଏଥି ମଧ୍ୟରେ ଥୋରିଆ ସାହିରେ ଥିବା ଶାନ୍ତି ମେମୋରିଆଲ ହସ୍ପିଟାଲ, ଲିଙ୍କ ରୋଡ୍‍ରେ ଥିବା ସରଙ୍ଗୀ କ୍ଲିନିକ ଆଣ୍ଡ ରିସର୍ଚ୍ଚ, ବକ୍ସି ବଜାରର ଆଇଡିଆଲ ନର୍ସିଂହୋମ୍‍, ରିଙ୍ଗରୋଡ୍‍ର ପପୁଲାର ନର୍ସିଂହୋମ୍‍ ଆଣ୍ଡ ହସ୍ପିଟାଲ, ରାଣୀହାଟର ଗ୍ରିନ ନର୍ସିଂହୋମ୍‍, ଜୋବ୍ରାର ଗୀତା ମେମୋରିଆଲ ହସ୍ପିଟାଲ, ଫ୍ରେଣ୍ଡସ କଲୋନିର ନିଗମ ହସ୍ପିଟାଲ, ମହାନଦୀବିହାରର ସାବରମତି ଜେନେରାଲ ହସ୍ପିଟାଲ, ସିଡିଏର ରିଭେରାଇନ ହସ୍ପିଟାଲ, ସାମନ୍ତ ସାହିର ମହାପାତ୍ର ହସ୍ପିଟାଲ, ମହାନଦୀବିହାରର ଶକ୍ତି ହସ୍ପିଟାଲ, କଲେଜ ଛକରେ ଥିବା ଷ୍ଟାର ହସ୍ପିଟାଲ, ତୁଳସୀପୁରରେ ଥିବା କିଡି କେୟାର ଶିଶୁ ହସ୍ପିଟାଲ, ଗୋପାଳପୁରର ରୁଦ୍ର ହସ୍ପିଟାଲ, ଚାନ୍ଦିନିଚୌକର ବ୍ଲୁ ଲାଇନ୍‍ ହସ୍ପିଟାଲ ଓ ସିଡିଏର ନିଦାନ ହସ୍ପିଟାଲ ଆଦିରେ ଏହି ତାଲିକାରେ ରହିଛନ୍ତି । ଏଗୁଡିକର ଅଗ୍ନି ନିରାପତତା ତଥ୍ୟ ଯାଞ୍ଚ ପାଇଁ ଗୃହ ବିଭାଗକୁ ଲେଖାଯାଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । (ତଥ୍ୟ)