Home General ୬ରୁ ଖୋଲିବ ରାଜଭବନ ଉଦ୍ୟାନ

୬ରୁ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର : ଜାନୁଆରୀ ୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଛୁଟିଦିନ ଓ ପ୍ରତ୍ୟେକ ରବିବାର ସମେତ ପ୍ରତ୍ୟେକ ଦିନ ଅପରାହ୍‍ଣ ୨.୩୦ଟାରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଉଦ୍ୟାନ ପରିଦର୍ଶନ କରିପାରିବେ ।

କେବଳ ମୋବାଇଲ ଆପ୍‍ ମାଧ୍ୟମରେ ପଞ୍ଜିକରଣ କରି ରାଜଭବନ ଉଦ୍ୟାନକୁ ପ୍ରବେଶ ଅନୁମତି ମିଳିବ । ଚଳିତ ବର୍ଷଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଏହି ଉଦ୍ୟାନ ଆପ୍‍କୁ “ରାଜ୍‍ ଭବନ ଗାର୍ଡ଼େନ ଭିଜିଟ୍‍” ପ୍ଲେ ଷ୍ଟୋରରୁ ଡ଼ାଉନଲୋଡ଼ କରିବାକୁ ହେବ । ଏଥିସହ ଓଡ଼ିଶା ରାଜଭବନ ୱେବ୍‍ସାଇଟ୍‍ରେ ଥିବା କ୍ୟୁଆର କୋଡ଼କୁ ମଧ୍ୟ ସ୍କାନ କରି ଆପ୍‍ ଡ଼ାଉନଲୋଡ଼ କରିହେବ ।

ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ସକାଳ (୮.୩୦ଟାରୁ ୧୦ଟା) ସମୟ ସ୍ଥିର ହୋଇଛି । ସେହିପରି ସ୍କୁଲ କର୍ତୃପକ୍ଷ ଅଧିକ ବିବରଣୀ ପାଇଁ www.rajbhavanodisha.gov.in ପରିଦର୍ଶନ କରିପାରିବେ । ଯେଉଁମାନଙ୍କର ସ୍ମାର୍ଟ ଫୋନ୍‍ ନାହିଁ ବା ରେଜିଷ୍ଟ୍ରେସନ୍‍ କରିବାରେ ଅସୁବିଧାର ସମ୍ମୁଖୀନ ହେବେ; ସେମାନେ ରାଜଭବନ ଫାଟକ ପାଖରେ ସ୍ଥାପିତ କିଓସ୍କରର ସହାୟତା ନେଇପାରିବେ ।

ରାଜଭବନ ପରିସରରେ ୱାଟର ଫାଉଣ୍ଟେନ୍‍, ମ୍ୟୁଜିକାଲ ଫାଉଣ୍ଟେନ୍‍ ,ଭାରତମାତାଙ୍କ ମୂର୍ତ୍ତି, ନୂତନ ଭାବେ ସ୍ଥାପିତ ଶୀଲାଉପବନ, ଗୋଲାପ ଉଦ୍ୟାନ , ହରିଣ ପାର୍କ, ମୟୂର, ବତକ , କକ୍‍ଟେଲ ପକ୍ଷୀଘର, କୃତ୍ରିମ ଝରଣା ସହ ବିଭନ୍ନ ପ୍ରକାର ପୁଷ୍ପ ଓ ସବୁଜ ପରିବେଶ ପରିଦର୍ଶକମାନେ ଉପଭୋଗ କରିପାରିବେ ।

ରାଜଭବନ ପରିସରକୁ ଖାଦ୍ୟଦ୍ରବ୍ୟ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ନ ଆଣିବା ସହ ସ୍ୱଚ୍ଛତା ଓ ଶୃଙ୍ଖଳା ରକ୍ଷା କରିବାକୁ ରାଜଭବନପକ୍ଷରୁ ପରାମର୍ଶ ଦିଆଯାଉଛି ।