Home Administration ୫-ଟି ଆଧାରରେ ଯୁଗ୍ମ ଜଙ୍ଗଲ ପରିଚାଳନା

୫-ଟି ଆଧାରରେ ଯୁଗ୍ମ ଜଙ୍ଗଲ ପରିଚାଳନା

ଭୁବନେଶ୍ୱର : ଓଡ଼ିଶାର ଯୁଗ୍ମ ଜଙ୍ଗଲ ପରିଚାଳନା (ଜେ.ଏଫ୍‌.ଏମ୍‌.) ମୋଡ଼େଲ ବିଷୟରେ ଆଜି ଏକ ଦିନିକିଆ  ବୈଦ୍ଧିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।  ଏହାକୁ ଉଦ୍‌ଘାଟନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଓଡ଼ିଶାର ଜେ.ଏଫ୍‌.ଏମ୍‌ କୌଶଳ ଏକ  ସଫଳ ମୋଡ଼େଲ ଭାବେ  ପ୍ରମାଣିତ ହୋଇଛି ।

ବିକେନ୍ଦ୍ରୀକୃତ  ଜଙ୍ଗଲ ପରିଚାଳନା, କ୍ଷେତ୍ରସ୍ତରୀୟ ସମନ୍ୱୟ ଏବଂ ଲୋକମାନଙ୍କର ସକ୍ରିୟ ସହଯୋଗ ଯୋଗୁ ବିଗତ ବର୍ଷ ମାନଙ୍କରେ  ଲଗାତାରଭାବେ ଜଙ୍ଗଲର ପରିସର, ଘନତା ଏବଂ ବନ୍ୟ-ଜନ୍ତୁରେ ବୃଦ୍ଧି ଘଟିଛି । ସରକାରଙ୍କ ପ୍ରଗତିଶୀଳ ଯୋଜନା ଏବଂ ସଚେତନତା କାର୍ଯ୍ୟକ୍ରମ ଲୋକମାନଙ୍କ ମନରେ ଜଙ୍ଗଲ ପ୍ରତି ଅଧିକ  ଆବେଗ ଓ ଆକର୍ଷଣ ସୃଷ୍ଟି କରିଛି ।  ଏପରିକି ଅଭୟ୍ୟାରଣ୍ୟର ଆଭ୍ୟନ୍ତର ଅଂଚଳରେ ବାସ କରୁଥିବା ପରିବାରମାନେ ସ୍ୱେଚ୍ଛାକୃତଭାବେ ସରକାରଙ୍କ ଯୋଜନା ଗ୍ରହଣ କରି ଅଭୟ୍ୟାରଣ୍ୟ ବାହାରେ ଘର କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ  ଜଙ୍ଗଲ ସଂପଦର ସୁରକ୍ଷା ଏବଂ ବନୀକରଣକୁ ନୂଆ ଜିବୀକା ନିର୍ବାହ  ଉତ୍ସଭାବେ  ବିକଶିତ କରାଗଲେ  ସ୍ଥାନୀୟ ଲୋକମାନଙ୍କର ଜଙ୍ଗଲପ୍ରତି ଥିବା ଆବେଗାତ୍ମକ ବନ୍ଧନ ବହୁଗୁଣିତ ହେବ । ସେମାନେ ନିଜେ ନିଜେ ଜଙ୍ଗଲ ସୁରକ୍ଷାର ସ୍ୱେଚ୍ଛାସେବୀ ସୈନିକଭାବେ କାର୍ଯ୍ୟ କରିବେ ।

ସ୍ଥାନୀୟ  ବାସିନ୍ଦାଙ୍କର ଜୀବିକାକୁ ଭିତ୍ତିକରି. ୫-ଟି  ଆଧାରରେ ଜେ.ଏଫ୍‌.ଏମ୍‌.ର ଅଧିକ ଜନ-କେନ୍ଦ୍ରିକ ଏବଂ ରୂପାନ୍ତରିତ ମୋଡେଲ୍‌  ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର  ନିର୍ଦ୍ଦେଶ  ଦେଇଥିଲେ । ବନୀକରଣ କାର୍ଯ୍ୟରେ ବନ ସଂରକ୍ଷଣ  ସମିତିର ନିୟୋଜନ, ଜଙ୍ଗଲ ଉତ୍ପାଦ ଦ୍ରବ୍ୟରେ  ସ୍ଥାନୀୟ ବାସିନ୍ଦାଙ୍କର  ଅଧିକାର ନିର୍ଣ୍ଣୟ, ଜଙ୍ଗଲଜାତ ଦ୍ରବ୍ୟର ପ୍ରକ୍ରିୟାକରଣ, ସେସବୁର  ଲାଭଜନକ ବିପଣୀ ସଂଯୋଗ, ପ୍ରକୃତି-ପର୍ଯ୍ୟଟନ, ପରିଚାଳିତ  ଜଙ୍ଗଲ ଭ୍ରମଣ, ଜଳାଶୟରେ  ନୌ-ବିହାର ଆଦି ମାଧ୍ୟମରେ ଅଧିକରୁ ଅଧିକ  ଜୀବିକା ନିର୍ବାହ ଉପାୟମାନ  ନୂତନ ଜେ.ଏଫ୍‌.ଏମ୍‌. କୌଶଳରେ  ସାମିଲ କରିବାକୁ  ଶ୍ରୀ ମହାପାତ୍ର  ନିର୍ଦ୍ଦେଶ ଦେଇଥିଲେ ।  

ବନ ସଂରକ୍ଷଣ ସମିତି ଓ  ଗ୍ରାମ ସମୁଦାୟ ସହ ନିୟମିତ ସିଧାସଳଖ  ଆଲୋଚନା କରି  ସେମାନଙ୍କର  ସାଧାରଣ ସମସ୍ୟା ବିଷୟରେ ଜାଣିବା ସହ ସଂପୃକ୍ତ ବିଭାଗ ସହ ସମନ୍ୱୟ ମାଧ୍ୟମରେ ତାହାର ଆଶୁ ସମାଧାନ  କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ  କ୍ଷେତ୍ରସ୍ତରୀୟ ଜଙ୍ଗଲ ଓ ପରିବେଶ  ବିଭାଗ  ଅଧିକାରୀମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ ।  ଏହା ହେଲେ ଲୋକମାନଙ୍କର  ଜଙ୍ଗଲ ପରିଚାଳନା  ବ୍ୟବସ୍ଥା ଉପରେ ଭରଷା ବଢ଼ିବ ।

ଜଙ୍ଗଲ, ପରିବେଶ  ଏବଂ ଜଳବାୟୁ  ପରିବର୍ତ୍ତନ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା କହିଥିଲେ ଯେ ଜେ.ଏଫ୍‌.ଏମ୍‌. ରୁ  ପ୍ରାପ୍ତ  ଉତ୍ସାହଜନକ  ଫଳାଫଳ ଭିତ୍ତିରେ  “ଜେ.ଏଫ୍‌.ଏମ୍‌. ପ୍ଲସ୍‌ ପ୍ଲସ୍‌”  ପରିଚାଳନା ପଦ୍ଧତି ସ୍ଥିର କରାଯିବ ।  ଏଥିରେ “ସ୍ଥାନୀୟ ବାସିନ୍ଦାଙ୍କର  ସଶକ୍ତିକରଣ ଓ ସହଭାଗିତା ଏବଂ ଜିବୀକା ନିର୍ବାହ ଆଦି ବିଷୟକୁ  ଅଗ୍ରାଧିକାର ଦିଆଯିବ”  ବୋଲି ମଧ୍ୟ ଡ଼ଃ ଶର୍ମା କହିଥିଲେ ।

ସ୍ୱାଧୀନ ତୃତୀୟ ପକ୍ଷଙ୍କ ଦ୍ୱାରା  କରାଯାଇଥିବା ଜେ.ଏଫ୍‌.ଏମ୍‌-ଓଡ଼ିଶା ଅଧ୍ୟୟନର ଫଳାଫଳ  ବିଷୟରେ  ସୂଚନା  ଦେଇ  ଜଙ୍ଗଲ ବିଭାଗ  ମୁଖ୍ୟ ଅଧିକାରୀ  ଶ୍ରୀ ଶିଶିର କୁମାର ରଥୋ କହିଥିଲେ ଯେ  ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୩୦ ଟି ଜିଲ୍ଲାରେ ୧୪,୨୨୨ ଟି ବନ ସଂରକ୍ଷଣ ସମିତି ଏବଂ ପରିବେଶ ଉନ୍ନୟନ କମିଟି ଗଠନ କରାଯାଇଛି ।  ଏହି ସମିତିମାନେ ପ୍ରାୟ  ୧୨,୧୯୨ ବର୍ଗ କି.ମି. ଜଙ୍ଗଲର ରକ୍ଷଣାବେକ୍ଷଣରେ  ସାମିଲ ଅଛନ୍ତି ।

 ସେମାନଙ୍କର ସକ୍ରିୟ  ଅଂଶଗ୍ରହଣ  ଯୋଗୁ  ଜଙ୍ଗଲ ଉପରେ  ବିଭିନ୍ନ   କାରଣ ବଶତଃ ପଡୁଥିବା ଚାପରେ ୭୦ %  ହ୍ରାସ ଘଟିଛି । ବନାଗ୍ନୀ, କାଠଚୋରି, ଜଙ୍ଗଲରେ  ଗାଇଗୋରୁ ଚରାଇବା ଆଦି  ଧ୍ୱଶକାରୀ ପ୍ରଭାବ ୫୦ % ହ୍ରାସ ପାଇଛି ।  ଏହା ଫଳରେ   ପ୍ରାକୃତିକ ଉପାୟରେ  ଗଜାରୁ ଗଛ ହେବା, ବୃକ୍ଷ ଅବାଧରେ ବଢ଼ିବା, ଅଧିକ  ଜଙ୍ଗଲ-ଜାତ ଦ୍ରବ୍ୟ ସଂଗ୍ରହ ହେବା  ବନୀକରଣ ଓ ବନ ସୁରକ୍ଷା ଓ ପ୍ରକୃତି ପର୍ଯ୍ୟଟନ  ଆଦି କାର୍ଯ୍ୟ ମାଧ୍ୟମରେ  ଲୋକମାନଙ୍କୁ ଅଧିକ ରୋଜଗାର  ମିଳିବା ଆଦି ସମ୍ଭବ ହୋଇଛି ବୋଲି  ମଧ୍ୟ  ଶ୍ରୀ ରଥୋ କହିଥିଲେ ।  

ଆଲୋଚନା  ଚକ୍ରରୁ  ପ୍ରାପ୍ତ  ପରାମର୍ଶ ଓ ପୂର୍ବ ଅଭିଜ୍ଞତା ଆଦି  ଭିତ୍ତିରେ  ଜେ.ଏଫ୍‌.ଏମ୍‌. ପ୍ଲସ୍‌ ପ୍ଲସ୍‌ ପଦ୍ଧତି ଶିଘ୍ର ପ୍ରସ୍ତୁତ  କରିବା ପାଇଁ ବିଶେଷକମାନେ ମତ ଦେଇଥିଲେ । ଅଣୁ-କାର୍ଯ୍ୟଯୋଜନା ଗୁଡିକ  ପ୍ରସ୍ତୁତ କରି  ଆଗାମୀ ବର୍ଷ  ସୁଦ୍ଧା  ଏହି ନୂଆ ସହଭାଗିତା  ଭିତ୍ତିକ ଜଙ୍ଗଲ ପରିଚାଳନା ପଦ୍ଧତିକୁ ସାରା ରାଜ୍ୟରେ  ପ୍ରଣୟନ କରିବା ପାଇଁ  ସ୍ଥିର  ହୋଇଥିଲା ।

ସମୁଦାୟ ଆଲୋଚନା  ଚକ୍ରଟି ତିନିଟି ବୈଠକରେ  ଅନୁଷ୍ଠିତ ହୋଇଥିଲା । ଉଦ୍‌ଘାଟନୀ ବୈଠକ ପରେ ପରେ  ନିର୍ଦ୍ଧିଷ୍ଟ ବିଷୟ ଭିତ୍ତିକ  ଦୁଇଟି ବୈଠକ  ବସିଥିଲା ।  ଏଥିରେ ସହଭାଗିତା  ଭିତ୍ତିକ  ଜଙ୍ଗଲ ପରିଚାଳନା ପାଇଁ  ଆନୁଷ୍ଠାନିକ  ବ୍ୟବସ୍ଥା  ଏବଂ ସ୍ଥାନୀୟ ବାସିନ୍ଦାଙ୍କ  ନିମନ୍ତେ  ଅଧିକରୁ ଅଧିକ  ରୋଜଗାର ସୁଯୋଗ ସୃଷ୍ଟି ଆଦି  ବିଷୟରେ ମୁଖ୍ୟତଃ ଆଲୋଚନା ହୋଇଥିଲା ।

ବନ ପରିଚାଳନା ବିଶେଷଜ୍ଞ  ସୁରେଶ ଚନ୍ଦ୍ର ମହାନ୍ତି, ଆଶୁତୋଷ ସାମନ୍ତ ସିଂହାର, ସିଦ୍ଧାନ୍ତ ଦାସ, ସୁଶିଲ କୁମାର ପୋପିଲ୍‌,  ମୀତା ବିଶ୍ୱାଳ, ସଞ୍ଜୀବ କୁମାର ଚଢ଼ା, ସନ୍ଦୀପ ତ୍ରିପାଠୀ, ପ୍ରଦୀପ ରାଜ କରାଟ୍‌,  ରାଜୀବ କୁମାର, ମନୋଜ ମହାପାତ୍ର, ପ୍ରକାଶ ଚାନ୍ଦ, ଏବଂ ଏସ୍‌ ଆନନ୍ଦ ପ୍ରମୁଖ  ସହଭାଗିତା  ଭିତ୍ତିକ ପରିଚାଳନାର  ବିଭିନ୍ନ ଦିଗ ଉପରେ  ସୁଚିନ୍ତିତ  ବିଶ୍ଳେଷଣ ଉପସ୍ଥାପନ କରିଥିଲେ ।  

LEAVE A REPLY

Please enter your comment!
Please enter your name here