Home Energy ୫୫୮୫ ନିୟୁତ ୟୁନିଟ୍‍ ବିଜୁଳି ବିକ୍ରି

୫୫୮୫ ନିୟୁତ ୟୁନିଟ୍‍ ବିଜୁଳି ବିକ୍ରି

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସାଢେ ୫ହଜାର ନିୟୁତ ୟୁନିଟ୍‍ରୁ ଅଧିକ ବିଜୁଳି ବିକ୍ରି କରିଛନ୍ତି । ଓଡିଶାରୁ ଉତ୍ପାଦିତ ଓ ରାଜ୍ୟ ବାହାରରୁ ମିଳୁଥିବା ବିଜୁଳିରୁ ନିଜସ୍ୱ ଚାହିଦା ମେଣ୍ଟାଇବା ପରେ ବଳକା ବିଜୁଳିକୁ ବିକ୍ରି କରାଯାଇଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଫେବୃୟାରୀ ମାସ ପର୍ଯ୍ୟନ୍ତ ବିଜୁଳି ବଦଳ (ପାୱାର ଏକ୍ସଚେଞ୍ଜ) ମାଧ୍ୟମରେ ମୋଟ୍‍ ୫୫୮୫ ନିୟୁତ ୟୁନିଟ୍‍ ବିଜୁଳି ଅନ୍ୟ ରାଜ୍ୟକୁ ବିକ୍ରି ହୋଇଛି । ଏହି ସମୟରେ ଓଡିଶା ଭିତରୁ ବିଭିନ୍ନ ଉତ୍ସରୁ ମୋଟ୍‍ ୨୧,୪୦୮ ନିୟୁତ ୟୁନିଟ୍‍ ବିଜୁଳି ଉତ୍ପାଦନ ହୋଇଥିବାବେଳେ ରାଜ୍ୟ ବାହାରୁ ବିଭିନ୍ନ ସୂତ୍ରରୁ ୭୮୨୦ ନିୟୁତ ୟୁନିଟ୍‍ ବିଜୁଳି ମିଳିଥିଲା । ତେବେ ସେହି ସମୟରେ ରାଜ୍ୟର ବିଜୁଳି ଚାହିଦା ମୋଟ୍‍ ୨୩,୬୪୩ ନିୟୁତ୍‍ ୟୁନିଟ୍‍ ଥିବାବେଳେ ଏହା ପୂରଣ କରିସାରିବା ପରେ ବଳିଥିବା ବିଜୁଳିକୁ ବିକ୍ରି କରାଯାଇଥିଲା ।

ରାଜ୍ୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଯେତେ ବିଜୁଳି ବ୍ୟବହାର ହେଉଛି ସେଥିରୁ ସବୁଠାରୁ କମ୍‍ ଖର୍ଚ୍ଚ ହୋଇଛି ସ୍ୱାସ୍ଥ୍ୟକେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ଗୁଡିକରେ । ଏହି ଦୁଇ ମୌଳିକ ସେବା କ୍ଷେତ୍ରରେ ୧୭୭ ନିୟୁତ୍‍ ୟୁନିଟ୍‍ ଖର୍ଚ୍ଚ ହୋଇଥିବାବେଳେ ସବୁଠାରୁ ଆଗରେ ରହିଛି ଶିଳ୍ପ କ୍ଷେତ୍ର । ଏହି କ୍ଷେତ୍ରରେ ସର୍ବାଧିକ ୪୫୮୪ ନିୟୁତ୍‍ ୟୁନିଟ୍‍ ବିଜୁଳି ବ୍ୟବହାର ହୋଇଛି । ଏହା ପଛକୁ କୃଷି କ୍ଷେତ୍ରରେ ୫୧୮ ନିୟୁତ୍‍ ୟୁିନିଟ୍‍ ବିଜୁଳି ବ୍ୟବହାର ହୋଇଥିବାବେଳେ ପାନୀୟଜଳ ପାଇଁ ବ୍ୟୟ ହୋଇଛି ୨୫୪ ନିୟୁତ ୟୁନିଟ୍‍ । ଗତ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ୬୭୦ ନିୟୁତ୍‍ ୟୁନିଟ୍‍ ବିଜୁଳି ବିକ୍ରି ହୋଇଥିଲା ଯାହାର ମୂଲ୍ୟ ଥିଲା ୧୭୩କୋଟି ଟଙ୍କା ।

ତେବେ କୃଷି କ୍ଷେତ୍ରରେ ପ୍ରମୁଖ ଆବଶ୍ୟକତା ଥିବା ଶୀତଳଭଣ୍ଡାରଗୁଡିକରେ କିନ୍ତୁ ବିଜୁଳି ବ୍ୟବହାର ଅତ୍ୟନ୍ତ ନଗଣ୍ୟ ରହିଛି । ଗତ ଆର୍ଥିକ ବର୍ଷରେ ରାଜ୍ୟର ଶୀତଳଭଣ୍ଡାରଗୁଡିକରେ ବିଜୁଳି ବ୍ୟବହାର ୧୦୦ ନିୟୁତ ୟୁନିଟ୍‍ ବି ବୃଦ୍ଧି ପାଇନାହିଁ । ଟିପିଏସ୍‍ଓଡିଏଲ୍‍ ଇଲାକାରେ ଶୀତଳଭଣ୍ଡାରଗୁଡିକରେ ମାତ୍ର ୦.୩୮ ନିୟୁତ ୟୁନିଟ୍‍ ବିଜୁଳି ବ୍ୟବହାର ହୋଇଥିବାବେଳେ ଟିପିଡବ୍ଲ୍ୟୁଓଡିଏଲ୍‍ ଇଲାକାରେ ଏହା ୫.୭୩ ନିୟୁତ ୟୁନିଟ୍‍ ରହିଛି । (ତଥ୍ୟ)