Home Agriculture ୫୦ବର୍ଷରେ ୩୯ହଜାର ଟନ୍‍ ବଢିଛି ଆଳୁ ଉତ୍ପାଦନ

୫୦ବର୍ଷରେ ୩୯ହଜାର ଟନ୍‍ ବଢିଛି ଆଳୁ ଉତ୍ପାଦନ

ଭୁବନେଶ୍ୱର : ୫୦ବର୍ଷ ଭିତରେ ଓଡ଼ିଶାରେ ଆଳୁ ଉତ୍ପାଦନ ମାତ୍ର ୩୯ ହଜାର ମେଟ୍ରିକ ଟନ୍‍ ବଢ଼ିଛି । ସରକାରୀ ତଥ୍ୟ ମୁତାବକ ୧୯୭୦-୭୧ ରବିଋତୁରେ ଓଡ଼ିଶାରେ ପ୍ରାୟ ୨୦ ହଜାର ହେକ୍ଟର ଜମିରେ ୨ଲକ୍ଷ ୨୨ ହଜାର ମେଟ୍ରିକ ଟନ ଆଳୁ ଫଳା ଯାଇଥିବା ବେଳେ ୨୦୧୯-୨୦ ବର୍ଷରେ ୨୧ ହଜାର ହେକ୍ଟର ଜମିରେ ଆଳୁ ଫଳିଛି ମାତ୍ର ୨ଲକ୍ଷ ୬୧ ହଜାର ମେଟ୍ରିକ ଟନ୍‍ ।

କୋଟି କୋଟି ଟଙ୍କା ଖର୍ଚ୍ଚକରି ଓଡ଼ିଶାରେ ଆଳୁ ମିଶନ କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ରାଜ୍ୟରେ ଆଳୁ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିପାରୁ ନାହିଁ । ରାଜ୍ୟ ପାଇଁ ବାର୍ଷିକ ପ୍ରାୟ ୧୨ଲକ୍ଷ ଟନ୍‍ ଆଳୁ ଆବଶ୍ୟକ ଥିବାବେଳେ ଓଡ଼ିଶାରେ ଏବେ ୩ ଲକ୍ଷ ଟନ୍‍ରୁ କମ୍‍ ଆଳୁ ଉତ୍ପାଦିତ ହେଉଥିବାରୁ ପଶ୍ଚିମବଙ୍ଗ ଉପରେ ଏ କ୍ଷେତ୍ରରେ ଓଡ଼ିଶାକୁ ନିର୍ଭର କରିବାକୁ ପଡୁଛି ।

ଓଡ଼ିଶାକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ସହ ବଳକା ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ନେଇ ୨୦୧୫-୧୬ ବର୍ଷରେ ଆଳୁ ମିଶନ ଆରମ୍ଭ କରାଯିବା ପରେ ରବି ଋତୁରେ ରାଜ୍ୟରେ ୨୦୧୮-୧୯ ବର୍ଷରେ ୨ଲକ୍ଷ ୯୦ ହଜାର ଟନ୍‍ ଓ ୨୦୧୯-୨୦ ବର୍ଷରେ ୨ଲକ୍ଷ ୬୧ ହଜାର ମେଟ୍ରିକ ଟନ୍‍ ଆଳୁ ଉତ୍ପାଦିତ ହୋଇଛି । କେବଳ ୨୦୧୫-୧୬ ଓ ୨୦୧୬-୧୭ ବର୍ଷରେ ଓଡ଼ିଶାରେ ୩ଲକ୍ଷ ମେଟ୍ରିକ ଟନ୍‍ରୁ ଅଧିକ କରି ଆଳୁ ଫଳିଥିବା ବେଳେ ଗତ ୫୦ବର୍ଷ ମଧ୍ୟରେ ଆଉ କୌଣସି ବର୍ଷ ଆଳୁ ଉତ୍ପାଦନ ୩ ଲକ୍ଷ ମେଟ୍ରିକ ଟନ୍‍ ଟପିନାହିଁ ।

ଗୋଟିଏପଟେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଆଳୁର ଚାହିଦା ବଢ଼ି ଚାଲିଥିବା ସ୍ଥଳେ ଅନ୍ୟପଟେ ଉତ୍ପାଦନ କ୍ଷେତ୍ରରେ କିନ୍ତୁ ଓଡ଼ିଶା ସେତେଟା ଆଗେଇ ପାରିନାହିଁ । ପୁରୁଖା କୃଷି ବିଶେଷଜ୍ଞମାନେ କହୁଛନ୍ତି ଯେ ଗତ ଶତାବ୍ଦୀର ୬୦ ଦଶକରେ ପଶ୍ଚିମବଙ୍ଗରେ ଓଡ଼ିଶା ଅପେକ୍ଷା ଅଳ୍ପ କିଛି ପରିମାଣର ଅଧିକ ଆଳୁ ଉତ୍ପାଦିତ ହେଉଥିଲା । ତେବେ ପଶ୍ଚିମବଙ୍ଗରେ ଇତିମଧ୍ୟରେ ଆଳୁ ଉତ୍ପାଦନ ପରିମାଣ ଢ଼େର ବୃଦ୍ଧି ପାଇ ସେହି ରାଜ୍ୟକୁ ଆଳୁ କ୍ଷେତ୍ରରେ ସ୍ୱାବଲମ୍ବୀ କରାଯିବା ସହିତ ଓଡ଼ିଶା ସମେତ ଅନ୍ୟ ବହୁ ରାଜ୍ୟକୁ ବଙ୍ଗଳା ଆଳୁ ଯୋଗାଇ ପ୍ରଚୁର ଲାଭ ଉଠାଉଛି ।

ଓଡ଼ିଶା ସରକାର ଆଳୁ ମିଶନ ମାଧ୍ୟମରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୦୧୫-୧୬ ବର୍ଷରେ ହେକ୍ଟର ପିଛା ୩୦ ହଜାର ଟଙ୍କା, ୨୦୧୬-୧୭ ବର୍ଷରେ ୨୦ ହଜାର ଟଙ୍କା ଓ ୨୦୧୭-୧୮ ବର୍ଷରେ ୧୫ ହଜାର ଟଙ୍କାର ସହାୟତା ବ୍ୟବସ୍ଥା କରିଥିଲେ । ୨୦୧୭-୧୮ ବର୍ଷ ବେଳକୁ ଓଡ଼ିଶାରେ ବାର୍ଷିକ ୧୧ ଲକ୍ଷ ମେଟ୍ରିକ ଟନରୁ ଅଧିକ ଆଳୁ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହିବର୍ଷ କିନ୍ତୁ ଉତ୍ପାଦନ ହୋଇଥିଲା ମାତ୍ର ୨ଲକ୍ଷ ୯୮ ହଜାର ମେଟ୍ରିକ ଟନ୍‍ ଆଳୁ ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ଅତୀତରେ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ପେରୁ ସମେତ କେତେକ ବିଦେଶୀ ରାଷ୍ଟ୍ରକୁ ଗସ୍ତକରି ହାଇବ୍ରିଡ୍‍ ଜ୍ଞାନ ଆହରଣ କରିଥିଲେ । କିନ୍ତୁ ଏହି ଜ୍ଞାନକୁ କ୍ଷେତ୍ରରେ ପ୍ରୟୋଗ କରାଯାଇପାରିଲା ନାହିଁ । ପଶ୍ଚିମବଙ୍ଗ ମଡେଲ ଅନୁସରଣ କରିଥିଲେ ଓଡ଼ିଶାରେ କେବେଠାରୁ ଆଳୁ ଉତ୍ପାଦନ ବାର୍ଷିକ ୩୦ଲକ୍ଷ ମେଟ୍ରିକ ଟନ୍‍କୁ ଟପି ସାରନ୍ତାଣି ବୋଲି ଅଗ୍ରଣୀ ଚାଷୀମାନେ କହୁଛନ୍ତି ।

ପଶ୍ଚିମବଙ୍ଗରେ ଆଳୁ ଚାଷ ଲାଗି ସରକାର ଭିତ୍ତିଭୂମି ପ୍ରସ୍ତୁତକରି ବ୍ୟାପକ ସଂଖ୍ୟକ ଶୀତଳ ଭଣ୍ଡାର, ଆଳୁ ବଜାର, ବୈଷୟିକ ସହାୟତା ଆଦି ଚାଷୀଙ୍କୁ ଯୋଗାଇ ଦେଉଛନ୍ତି ଏବଂ ଏଥିଲାଗି ସମବାୟ ସଂସ୍ଥାଗୁଡିକ ବେଶ୍‍ ଭଲ କାମ କରୁଥିବାରୁ ଆଳୁ ଚାଷୀ ମଧ୍ୟ ଉଚିତ୍‍ ଦାମରେ ଆଳୁ ବିକି ପାରୁଛି । ଓଡ଼ିଶାରେ କିନ୍ତୁ ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ ସଂଖ୍ୟକ ଶୀତଳ ଭଣ୍ଡାର ନଥିବାରୁ ଉତ୍ପାଦନ ପରେ ଚାଷୀ କିଲୋ ପିଛା ୩-୪ ଟଙ୍କା ଦରରେ ବେପାରୀଙ୍କୁ ଯାଚିଗୁଞ୍ଜି ଦେଇ କ୍ଷତିର ସମ୍ମୁଖୀନ ହେଉଛି । ଅଥଚ ବ୍ୟବସାୟୀମାନେ ଶସ୍ତା ଦରରେ ଆଳୁ ସଂଗ୍ରହ କରି ତାହାକୁ ନିଜ ରାଜ୍ୟର ଶୀତଳ ଭଣ୍ଡାରରେ କିଛି ଦିନ ସାଇତି ରଖିବା ପରେ ପୁଣି ଓଡ଼ିଶାକୁ କିଲୋ ପିଛା ୧୫-୨୦ ଟଙ୍କା ଦରରେ ଆଳୁ ବିକୁଛନ୍ତି । ଏଥିଯୋଗୁଁ ଓଡ଼ିଶାରେ ଆଳୁ ଚାଷୀଙ୍କ ସଂଖ୍ୟା ବିଶେଷ ବୃଦ୍ଧି ପାଉନାହିଁ । (ତଥ୍ୟ)