Home General ୫ହଜାର ମୁହାଁ ଦୈନିକ ସଂକ୍ରମଣ

୫ହଜାର ମୁହାଁ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ୫ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୭୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଠାରୁ ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ।

ସେହିପରି ରାଜ୍ୟୋର ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୯୫୩ରେ ପହଞ୍ଚିଯାଇଛି । ୪,୭୬୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୮୫ ଓ ସ୍ଥାନୀୟ ଅଞ୍ଚଳରୁ ୧୯୭୬ ଚିହ୍ନଟ ହୋଇଛନ୍ତି । ୭ଟି ଜିଲ୍ଲାରେ ୧୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜିଲ୍ଲାରେ ୫୦ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ।

୫ ନୂଆ ମୃତକଙ୍କ ମଧ୍ୟରୁ ୩ ଜଣ ନୂଆପଡ଼ା ଜିଲ୍ଲାର । ସେହିପରି ଅନ୍ୟ ଦୁଇ ଜଣ କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାର । ୩ଟି ନୂଆ ମୃତ୍ୟୁ ମାମଲା ସହିତ ନୂଆପଡ଼ା ଜିଲ୍ଲାରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୨ରେ ପହଞ୍ଚିଛି । କେନ୍ଦୁଝରରେ ଏହି ସଂଖ୍ୟା ୩୯ ଓ ରାୟଗଡ଼ାରେ ୪୬ ହୋଇଛି । କରୋନାରେ ଏଯାବତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୪୧ ଜଣଙ୍କ ମୃତ୍ୟୁ ଘଟିଛି । ଏହା ପଛକୁ ରହିଛି ଗଞ୍ଜାମ ଜିଲ୍ଲା । ଏହି ଜିଲ୍ଲାରେ ୨୫୧ ଜଣଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲାରେ ୧୪୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀ ଜିଲ୍ଲାରେ ୧୧୯ ଜଣଙ୍କ ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨୦ ନୂଆ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୬୭୩ ଓ ନୂଆପଡ଼ାରୁ ୫୩୪ ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ୩୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ାରୁ ୨୩୪, ବରଗଡ଼ରୁ ୧୯୮, ପୁରୀରୁ ୧୯୩, ସମ୍ବଲପୁରରୁ ୧୮୩, କଟକରୁ ୧୭୬, କଳାହାଣ୍ଡିରୁ ୧୬୭, ନବରଙ୍ଗପୁରରୁ ୧୫୪ ଓ କେନ୍ଦୁଝରରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳ ଜିଲ୍ଲାରୁ ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮୪, ଭଦ୍ରକ ୬୩, ବୌଦ୍ଧରୁ ୨୩, ଦେବଗଡ଼ରୁ ୩୧, ଢେଙ୍କାନାଳରୁ ୬, ଗଜପତିରୁ ୩୧, ଗଞ୍ଜାମରୁ ୪୯, ଜଗତସିଂହପୁରରୁ ୨୨, ଯାଜପୁରରୁ ୮୬, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୫୦, କୋରାପୁଟରୁ ୩୧, ମାଲକାନଗିରିରୁ ୬, ମୟୂରଭଞ୍ଜରୁ ୮୬, ନୟାଗଡ଼ରୁ ୬୩, ରାୟଗଡ଼ାରୁ ୬୦ ଓ ସୋନପୁରରୁ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ ପୁଲରୁ ୬୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪,୭୬୧ଟି ନୂଆ ସଂକ୍ରମିତଙ୍କ ସହିତ ରାଜ୍ୟରେ ମୋଟ୍‍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୭୭,୪୬୪ରେ ପହଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ୩,୪୭,୬୩୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୭,୮୨୧ ଜଣ ଚିକିତ୍ସାଧୀନ ଅଛନ୍ତି ।

ସେହିଭଳି ଆଜି ସୁଦ୍ଧା ରାଜ୍ୟରେ ୯୬, ୬୮,୪୦୧ଟି ନମୂନା ପରୀକ୍ଷା କରାଯାଇ ସାରିଲାଣି । ବର୍ତ୍ତମାନ କୁମ୍ଭମେଳା ଫେରନ୍ତାଙ୍କ ସହିତ ଅନେକ ପ୍ରବାସୀ ସଂକ୍ରମିତ ହେଉଥିବାରୁ ରାଜ୍ୟରେ କରୋନା ସଂକ୍ରମଣ ବଢିବାର ଆଶଙ୍କା ଦେଖାଦେଇଛି ।