Home Finance ୫ମାସରେ ୩୧ହଜାର କୋଟି ରାଜସ୍ୱ

୫ମାସରେ ୩୧ହଜାର କୋଟି ରାଜସ୍ୱ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ରାଜ୍ୟର ମୋଟ ରାଜସ୍ୱ ଆଦାୟ ପରିମାଣ ୩୧ହଜାର କୋଟି ଟଙ୍କାକୁ ଟପିଯାଇଛି । ଏହା ହେଉଛି ଗତବର୍ଷର ଏହି ସମୟ ତୁଳନାରେ ପ୍ରାୟ ୭୨ ପ୍ରତିଶତ ଅଧିକ । ଚଳିତ ବର୍ଷ ଅଗଷ୍ଟ ୩୧ ସୁଦ୍ଧା ୩୧,୧୫୯.୬୪ କୋଟି ଟଙ୍କାର ନିଜସ୍ୱ ରାଜସ୍ୱ ଆଦାୟ ହୋଇଛି ।

୨୦୨୦ ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ଟିକସ ବାବଦରେ ୧୮,୧୪୯.୩୮କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୨୦୧୯ ଅଗଷ୍ଟ ୩୧ସୁଦ୍ଧା ଏହା ୧୮,୦୮୬.୬୨ କୋଟି ଟଙ୍କା ଥିଲା । ରାଜସ୍ୱ ଆଦାୟ ଅଧିକାରୀଙ୍କ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ୨୦୨୦-୨୧ ବର୍ଷରେ ରାଜସ୍ୱ ବାବଦରେ ମୋଟ୍‍ ୫୬,୨୪୧.୫୧ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ଏଥିପାଇଁ ୫୭,୫୦୦ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ରାଜସ୍ୱ ବାବଦରେ ଯେଉଁ ୩୧ହଜାର କୋଟି ଟଙ୍କା ଆଦାୟ ହୋଇଛି ତାହା ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ । ଆଦାୟ ହୋଇଥିବା ନିଜସ୍ୱ ଟିକସ ଅର୍ଥ ଭାଟ୍‍, ଜିଏସ୍‍ଟି, ରାଜ୍ୟ ଅବକାରୀ ଏବଂ ବିଦ୍ୟୁତ୍‍ ଡ୍ୟୁଟିରୁ ଅଧିକ ଭାବେ ଆସିଛି । ୨୦୨୦ ମସିହାର ଅଗଷ୍ଟ ୩୧ ସୁଦ୍ଧା ନିଜସ୍ୱ ଟିକସ ବାବଦରେ ୧୦,୮୬୪ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଚଳିତବର୍ଷ ଅଗଷ୍ଟ ୩୧ ସୁଦ୍ଧା ଏହି ପରିମାଣ ୧୪,୩୭୭.୯୭ କୋଟି ଟଙ୍କା ରହିଛି ।

ବାଣିଜ୍ୟ କର ଯାହାକି ଭାଟ୍‍, ରାଜ୍ୟ ଜିଏସ୍‍ଟି ଏବଂ ଆଇଜିଏସ୍‍ଟିରୁ ରାଜ୍ୟ ଭାଗ ଏବଂ ପ୍ରବେଶକରରୁ ମିଳିଥାଏ ସେଥିରେ ଗତବର୍ଷ ତୁଳନାରେ ୧୫୧.୬୬ ପ୍ରତିଶତ ଅଭିବୃଦ୍ଧି ହୋଇଛି । ରାଜ୍ୟ ଅବକାରୀ ଡ୍ୟୁଟି ଆଦାୟ କ୍ଷେତ୍ରରେ ମଧ୍ୟ ଗତବର୍ଷ ତୁଳନାରେ ୧୨୭.୨୯ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଅବକାରୀ ଡ୍ୟୁଟି ବାବଦରେ ରାଜ୍ୟ ସରକାର ୨୦୨୧ ଅଗଷ୍ଟ ସୁଦ୍ଧା ୧୯୪୨.୪୬ କୋଟି ଟଙ୍କା ଆଦାୟ କରିଛନ୍ତି ଯାହା ଗତବର୍ଷ ଏହି ସମୟରେ ମାତ୍ର ୮୫୪.୬୨ କୋଟି ଟଙ୍କା ଥିଲା । ସେହିଭଳି ବିଦ୍ୟୁତ୍‍ ଡ୍ୟୁଟି ବାବଦରେ ୧୪୦୬.୩୯ କୋଟି ଟଙ୍କା ଆଦାୟ ହୋଇଛି ଯାହା ଗତବର୍ଷ ୧୨୦୦.୨୦ କୋଟି ଟଙ୍କା ଥିଲା ।

ସେହିଭଳି ଅଗଷ୍ଟ ଶେଷସୁଦ୍ଧା ଅଣଟିକସ ରାଜସ୍ୱ ବାବଦରେ ୧୬,୭୮୧.୬୭ କୋଟି ଟଙ୍କା ଆଦାୟ ହୋଇଛି ଯାହାକି ଗତବର୍ଷ ତୁଳନାରେ ୧୩୦.୩୬ ପ୍ରତିଶତ ଅଧିକ । ଗତବର୍ଷ ଏହି ସମୟରେ ମାତ୍ର ୭୨୮୫କୋଟି ଟଙ୍କା ଆଦାୟ ହୋଇଥିଲା । ସଂଖ୍ୟାଧିକ ଅଣଟିକସ ରାଜସ୍ୱ ଖଣିଜ କ୍ଷେତ୍ରରୁ ଆସିଛି । ଅଗଷ୍ଟ ୩୧ ସୁଦ୍ଧା ଏହି କ୍ଷେତ୍ରରୁ ୧୫,୮୫୮.୮୯କୋଟି ଟଙ୍କାର ରାଜସ୍ୱ ଆସିଛି ଯାହାକି ଗତବର୍ଷ ତୁଳନାରେ ଅଧିକ ।

ଅଣଟିକସ ରାଜସ୍ୱ ପାଇଁ ୨୦୨୧-୨୨ ବର୍ଷରେ ୨୦ହଜାର କୋଟି ଟଙ୍କାର ଲକ୍ଷ୍ୟ ଥିବାବେଳେ ଏହା ସହଜରେ ପୂରଣ ହୋଇଯିବ ବୋଲି ଅଧିକାରୀମାନେ ଆଶାବାଦୀ ଅଛନ୍ତି । ଗତ ଆର୍ଥିକ ବର୍ଷରେ ବାସ୍ତବରେ ୨୧,୯୮୩.୧୮ କୋଟି ଟଙ୍କାର ଅଣଟିକସ ରାଜସ୍ୱ ଆଦାୟ ହୋଇଥିବାବେଳେ କୋଭିଡକୁ ଦୃଷ୍ଟିରେ ରଖି ଏହାଠାରୁ କମ୍‍ ଅର୍ଥାତ୍‍ ୨୦ହଜାର କୋଟି ଟଙ୍କାର ଲକ୍ଷ୍ୟ ଚଳିତ ଆର୍ଥିକ ବର୍ଷରେ ରଖାଯାଇଛି । ତେବେ ଟିକସ ଆଦାୟରେ ସକରାତ୍ମକ ଅଭିବୃଦ୍ଧି ହେଉଥିବାରୁ ଲକ୍ଷ୍ୟଠାରୁ ଢେର ଅଧିକ ଟିକସ ମିଳିବାର ଆଶା କରାଯାଉଛି । (ତଥ୍ୟ)