Home Infrastructure ୪ ଶିଳ୍ପରେ ୩୪,୧୦୫ ନିଯୁକ୍ତି

୪ ଶିଳ୍ପରେ ୩୪,୧୦୫ ନିଯୁକ୍ତି

ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୪ଟି କାରଖାନାରେ ୩୪,୧୦୫ ଜଣ ଲୋକ କର୍ମସଂସ୍ଥାନ ପାଇଛନ୍ତି । ଏହିସବୁ କାରଖାନା ୭୬,୬୧୮.୬୪ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ହୋଇଛି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ ଝାରସୁଗୁଡ଼ାଠାରେ ଥିବା ବେଦାନ୍ତ ଆଲୁମିନିୟମ୍‍ କମ୍ପାନୀରୁ ଆଂଶିକ ଉତ୍ପାଦନ ହେଉଥିବା ବେଳେ ଏଠାରେ ୯୭୩୧ ଜଣ କାର୍ଯ୍ୟରତ ଅଛନ୍ତି । ୮୪୦୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବା ଏହି କାରଖାନାରୁ ଆଲୁମିନିୟମ୍‍ ଉତ୍ପାଦନ ହେଉଥିବା ବେଳେ ଏଠାରେ ୧୩୫୦ ମେଗାୱାଟର ନିଜସ୍ୱ ତାପଜ ବିଦ୍ୟୁତ୍‍ କେନ୍ଦ୍ର ରହିଛି ।

ସେହିଭଳି ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡଳୀଠାରେ ଥିବା ଭୂଷଣ ଇସ୍ପାତ କାରଖାନାରେ ସର୍ବାଧିକ ୧୮,୮୦୧ ଜଣ ବ୍ୟକ୍ତି ନିଯୁକ୍ତି ପାଇଥିବା ବେଳେ ବର୍ତ୍ତମାନ କାରଖାନାରୁ ଆଂଶିକ ଉତ୍ପାଦନ ହେଉଛି । ଏହି କାରଖାନାର ମୂଲ୍ୟ ୨୦,୮୦୪.୪୯ କୋଟି ଟଙ୍କା । ସମ୍ବଲପୁର ଜିଲ୍ଲାର ଲପଙ୍ଗାଠାରେ ଥିବା ହିଣ୍ଡାଲ୍‍କୋ କମ୍ପାନୀର ଆଦିତ୍ୟ ଆଲୁମିନିୟମ୍‍ କାରଖାନାରେ ୩୫୭୩ ଜଣ କର୍ମ ନିଯୁକ୍ତି ପାଇଛନ୍ତି । ଏହି କାରଖାନାରୁ ଏବେ ପୂର୍ଣ୍ଣ କ୍ଷମତାବିଶିଷ୍ଟ ଆଲୁମିନିୟମ୍‍ ଉତ୍ପାଦିତ ହେଉଛି । ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲ୍ଲୀଠାରେ ଥିବା ଏନ୍‍ଟିପିସି ତାପଜ କେନ୍ଦ୍ରରେ ୨୦୦୦ ଲୋକଙ୍କୁ କର୍ମ ସଂସ୍ଥାନ ମିଳିଥିବା ବେଳେ ଏଠାରେ ଏବେ ୮୦୦ ମେଗାୱାଟ ବିଜୁଳି ଉତ୍ପାଦିତ ହେଉଛି ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଶିଳ୍ପ କାରଖାନାରେ ସ୍ଥାନୀୟ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ତଦନୁଯାୟୀ ପ୍ରକଳ୍ପଗୁଡ଼ିକରେ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ସ୍ତରରେ ଆବଶ୍ୟକ ଥିବା ପଦବୀ ମଧ୍ୟରୁ ୯୦ ପ୍ରତିଶତ ସ୍ଥାନୀୟ ଲୋକଙ୍କ ଦ୍ୱାରା ପୂରଣ କରାଯିବ । କୁଶଳୀ ଶ୍ରମିକଙ୍କ ପାଇଁ ଥିବା ପଦବୀ ମଧ୍ୟରୁ ୬୦ ପ୍ରତିଶତ ଓ ପରିଚାଳନା କ୍ଷେତ୍ରରେ ଥିବା ପଦବୀ ମଧ୍ୟରୁ ଅତିକମ୍‍ରେ ୩୦ ପ୍ରତିଶତ ସ୍ଥାନୀୟ ଯୁବକ ଯୁବତୀଙ୍କ ଦ୍ୱାରା ପୂରଣ ହେବ । ତେବେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀଗୁଡ଼ିକ ଯୋଗ୍ୟତା ଭିତ୍ତିରେ ବାହାରୁ ପୂରଣ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here