Home Health ୪୬ଡାକ୍ତର ଲମ୍ବା ଛୁଟିରେ

୪୬ଡାକ୍ତର ଲମ୍ବା ଛୁଟିରେ

ଭୁବନେଶ୍ୱର : ରାଜ୍ୟର ୪୬ ଜଣ ଡାକ୍ତର ଦୀର୍ଘଦିନ ଧରି ଛୁଟିରେ ଅଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ୯ ଜଣ ପୁରୀ ଜିଲ୍ଲାର ହୋଇଥିବା ଜଣାପଡିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଜେପି ବିଧାୟକ ଜନ୍ତ ଷଡଙ୍ଗୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୭୮ଜଣ ଡାକ୍ତର ବିଭିନ୍ନ ଜିଲ୍ଲାରୁ ଅନ୍ୟ ସ୍ଥାନକୁ ଡେପୁଟେସନରେ ଯାଇଥିବାବେଳେ ୪୬ଜଣ ଦୀର୍ଘଦିନ ଧରି ଛୁଟିରେ ଅଛନ୍ତି ।

ଛୁଟିରେ ଥିବା ଡାକ୍ତରଙ୍କ ମଧ୍ୟରେ ସର୍ବାଧିକ ୯ଜଣ ପୁରୀ ଜିଲ୍ଲାରୁ ଥିବାବେଳେ ବରଗଡରୁ ୭, କୋରାପୁଟରୁ ୪, ରାୟଗଡା, ବାଲେଶ୍ୱରରୁ ୩ଜଣ କରି, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, ଖୋରଧା, ନୟାଗଡ ଓ ସୋନପୁର ଜିଲ୍ଲାରୁ ୨ଜଣ କରି ଏବଂ ଅନୁଗୁଳ, ବୌଦ, ଯାଜପୁର, କେନ୍ଦ୍ରାପଡା ଓ ମାଲକାନଗିରି ଜିଲ୍ଲାରୁ ଜଣେ କରି ଡାକ୍ତର ରହିଛନ୍ତି ।

ସେହିଭଳି ଅନ୍ୟସ୍ଥାନକୁ ଡେପୁଟେସନରେ ଯାଇଥିବା ଡାକ୍ତରଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୭ଜଣ ଥିବାବେଳେ ଯାଜପୁର ଓ କନ୍ଧମାଳରୁ ୭ଜଣ କରି, କେନଦୁଝରରୁ ୬, ଜଗତ୍‍ସିଂହପୁର ୫, ନୟାଗଡ, କୋରାପୁଟ, ଢେଙ୍କାନାଳ ଓ ବାଲେଶ୍ୱରରୁ ୪ଜଣ କରି, ପୁରୀରୁ ୩, ସୋନପୁର, ଝାରସୁଗୁଡା, ଗଜପତି ଓ ବୌଦରୁ ୨ଜଣ କରି ଏବଂ ଅନୁଗୁଳ, ବରଗଡ, ଦେବଗଡ, କଳାହାଣ୍ଡି, କେନ୍ଦ୍ରାପଡା, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର ଓ ରାୟଗଡାରୁ ଜଣେ କରି ରହିଛନ୍ତି । (ତଥ୍ୟ)