Home Judiciary ୪ଲକ୍ଷରୁ ଅଧିକ ରାଜସ୍ୱ ମାମଲା

୪ଲକ୍ଷରୁ ଅଧିକ ରାଜସ୍ୱ ମାମଲା

ଭୁବନେଶ୍ୱର : ତହସିଲଦାରଙ୍କ ଠାରୁ ଆରମ୍ଭ କରି ରାଜସ୍ୱ ପାର୍ଷଦ ସଦସ୍ୟଙ୍କ ଅଦାଲତରେ ମୋଟ୍‍ ୪ଲକ୍ଷ ୪୫ହଜାର ୫୦୧ଟି ମାମଲା ବିଚାରାଧିନ ଅଛି । ତେବେ କୌଣସି ମାମଲା ୫୦ବର୍ଷରୁ ଅଧିକ ସମୟ ଧରି ପଡିନାହିଁ ବୋଳି ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ।

ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ସମସ୍ତ ତହସିଲରେ ମୋଟ୍‍ ୨ଲକ୍ଷ ୮୬ହଜାର ଦାଖଲ ଖାରଜ ମାମଲା ବିଚାରାଧିନ ଅଛି । ସେହିଭଳି ଭାବେ ଭୁ-ସଂସ୍କାର ଆଇନ୍‍ର ଧାରା (କ) ଅନୁସାରେ ୨୦,୯୮୯ ଟି ମାମଲା ଏବଂ ଧାରା ୧୯(୧)(ଗ) ଅନୁସାରେ ୫୫୯୦ଟି ମାମଲା ପଡି ରହିଛି ।

ବକେୟା ମାମଲାର ଫଏସଲା ସ୍ୱତନ୍ତ୍ର କ୍ୟାମ୍ପକୋର୍ଟ ମାଧ୍ୟମରେ କରିବାପାଇଁ ସମସ୍ତ ଡିଭିଜିନାଲ ରାଜସ୍ୱ କମିଶନର ଏବଂ ଜିଲ୍ଲାପାଳମାନଙ୍କୁ ଗତ ୨୦୧୯ ଜୁଲାଇ ୨୫ରେ ନିର୍ଦ୍ଦେଶ ଦିଆଯାଇଥିଲା । ରାଜସ୍ୱ ପାର୍ଷଦଙ୍କ ଅଦାଲତରେ ପଡି ରହିଥିବା ବକେୟା ମାମଲାର ଫଏସଲା ନିମେନ୍ତ ଭୁବନେଶ୍ୱର ଠାରେ ତିନିଟି ଅତରିକ୍ତ ଆୟୁକ୍ତ ପୁର୍ନବିଚାର ଅଦାଲତ ସ୍ଥାପିତ ହୋଇଛି ।

ରାଜସ୍ୱମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୪,୨୮୮ଟି ଦାଖଲ ଖାରଜ ମାମଲା ପଡି ଥିବାବେଳେ ଖୋରଧା ଜିଲ୍ଲାରେ ୨୯,୧୧୬, ବରଗଡ ଜିଲ୍ଲାରେ ୨୧,୪୬୦ ଏବଂ ପୁରୀ ଜିଲ୍ଲାରେ ୨୧,୪୦୬ଟି ମାମଲା ପଡିଛି । ଦେବଗଡ ଜିଲ୍ଲାରେ ସର୍ବନିମ୍ନ ମାମଲା ହେଉଛି ୨୧୦ ।

ଏହାବାଦ୍‍ ରାଜସ୍ୱ ପାର୍ଷଦ ସଦସ୍ୟଙ୍କ ଅଦାଲତରେ ୭୩୨୦ଟି ମାମଲା ପଡିରହିଛି । କଟକ ସ୍ଥିତି ଲ୍ୟାଣ୍ଡ ରେକଡର୍ସ ଏବଂ ସେଟେଲମେଣ୍ଟ କମିଶନରଙ୍କ ଅଦାଲତରେ ୨୭,୧୮୧ଟି ମାମଲା ଗଡୁଛି । କଟକ ସ୍ଥିତ ଚକବନ୍ଦୀ କମିଶନରଙ୍କ ଅଦାଲତରେ ୧୩,୯୨୮ଟି ମାମଲା, କଟକ ସ୍ଥିତ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନରଙ୍କ ଅଦାଲତରେ ୧୫,୧୪୩ଟି ମାମଲା ରହିଛି ।

ସମ୍ବଲପୁର ସ୍ଥିତ ଚକବନ୍ଦୀ ଓ ବନ୍ଦୋବସ୍ତ ଅତିରିକ୍ତ କମିଶନରଙ୍କ ଅଦାଲତରେ ୧୪,୩୬୭ଟି ଏବଂ ବ୍ରହ୍ମପୁର ସ୍ଥିତ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନରଙ୍କ ଅଦାଲତରେ ୬୬୬୮ଟି ମାମଲା ପଡି ରହିଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।