Home Infrastructure ୩୯୯୩ ଗ୍ରାମକୁ ମୋବାଇଲ ସଂଯୋଗ

୩୯୯୩ ଗ୍ରାମକୁ ମୋବାଇଲ ସଂଯୋଗ

ଭୁବନେଶ୍ୱର : ରାଜ୍ୟର ୧୦ଟି ଆଙ୍କାକ୍ଷୀ ଜିଲ୍ଲାର ୩୯୯୩ଟି ଗ୍ରାମକୁ ମୋବାଇଲ୍‍ ସଂଯୋଗ ହୋଇପାରିଛି । ଏଥିପାଇଁ ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡ୍‍ (ୟୁଏସ୍‍ଓଏଫ୍‍)ରୁ ପାଣ୍ଠି ଯୋଗାଇ ଦିଆଯାଇଛି । କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂ ଚୌହ୍ୱାନ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।

ମୋବାଇଲ୍‍ ସଂଯୋଗ ହୋଇଥିବା ଗ୍ରାମ ମଧ୍ୟରୁ ସର୍ବାଧିକ ୧୦୯୪ଟି କନ୍ଧମାଳ ଜିଲ୍ଲାରେ ଥିବାବେଳେ ରାୟଗଡାର ୯୬୨, କୋରାପୁଟର ୫୨୦, କଳାହାଣ୍ଡିର ୫୧୬, ଗଜପତିର ୪୬୭ ଏବଂ ମାଲକାନଗିରିର ୩୦୬ଟି ଗ୍ରାମ ରହିଛି । ସେହିଭଳି ନୂଆପଡା ଜିଲ୍ଲାର ୨୯, ନବରଙ୍ଗପୁରର ୧୭, ଢେଙ୍କାନାଳ ଓ ବଲାଙ୍ଗିରର ୧୧ଟି କରି ଗ୍ରାମକୁ ଖୁବଶୀଘ୍ର ମୋବାଇଲ୍‍ ସଂଯୋଗ ମିଳିବ ।

ୟୁଏସ୍‍ଓଏଫ୍‍ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାର ୯ଟି ମାଓ ଅଧ୍ୟୁଷିତ ଜିଲ୍ଲାରେ ୪୮୩ଟି ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ସ୍ଥିର କରିଛନ୍ତି । ଏହିସବୁ ଜିଲ୍ଲାଗୁଡିକ ମଧ୍ୟରେ ବରଗଡରେ ୨ଟି, ବୌଦରେ ୨ଟି, କଳାହାଣ୍ଡିରେ ୬୬ଟି, କନ୍ଧମାଳରେ ୯୬ଟି, କେରାପୁଟରେ ୮୫ଟି, ମାଲକାନଗିରିରେ ୧୨୮ଟି, ନବରଙ୍ଗପୁରରେ ୨୨ଟି, ନୂଆପଡାରେ ୪୯ଟି ଏବଂ ରାୟଗଡରେ ୩୩ଟି ମୋବାଇଲ ଟାୱାର ସ୍ଥାପନ କରାଯିବ ।

ଯେଉଁ ୪୮୩ଟି ସ୍ଥାନରେ ମୋବାଇଲ୍‍ ଟାୱାର ସ୍ଥାପନ କରାଯିବ ତାହାର ଏକ ତାଲିକା ରାଜ୍ୟ ସରକାର କେନ୍ଦ୍ରକୁ ଦେଇଛନ୍ତି । ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ଓଡିଶାର ୪୮୩ଟି ଟାୱାର ସହିତ ମୋଟ୍‍ ୨୫୪୨ଟି ମୋବାଇଲ୍‍ ଟାୱାର ସ୍ଥାପନ ପାଇଁ ଟେଣ୍ଡର ଜାରି କରିଛନ୍ତି ।

ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଓଡିଶାର ମାଓ ପ୍ରବଣ ଜିଲ୍ଲାଗୁଡିକରେ ୨୫୬ଟି ମୋବାଇଲ ଟାୱାର ସ୍ଥାପନ କରାଯାଇଥିବାବେଳେ ବର୍ତ୍ତମାନ ସେହିସବୁ ଟାୱାରରୁ ସେବା ଯୋଗାଣ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ମୋବାଇଲ୍‍ ଟାୱାର ସ୍ଥାପନ ପାଇଁ ଚଳିତବର୍ଷ ଜୁନ୍‍ ସୁଦ୍ଧା କେନ୍ଦ୍ର ସରକାର ୟୁଏସ୍‍ଓଏଫ୍‍ ରୁ ୬୯୬କୋଟି ୭୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ କେନ୍ଦ୍ର ସରକାର ଓ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନେ ପର୍ଯ୍ୟାୟକ୍ରମେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ମୋବାଇଲ ସଂଯୋଗ ଉପଲବ୍ଧ କରୁଛନ୍ତି ।

ଓଡିଶା ସମେତ ଦେଶର ଅନ୍ୟାନ୍ୟ ମାଓ ପ୍ରବଣ ଜିଲ୍ଲାଗୁଡିକରେ ୟୁଏସ୍‍ଓଏଫ୍‍ ପାଣ୍ଠି ଅର୍ଥ ବ୍ୟୟରେ ମୋବାଇଲ ଟାୱାର ନିର୍ମାଣ ଲାଗି କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଭାରତୀୟ ଟେଲିକମ୍‍ ନିୟନ୍ତ୍ରଣ ପ୍ରାଧିକରଣ (ଟ୍ରାଇ) ର ସର୍ବଶେଷ ରିପୋର୍ଟ ଅନୁଯାୟୀ ଓଡିଶାରେ ଟେଲି ସାନ୍ଧ୍ରତା ୭୯.୪୯ ରହିଥିବାବେଳେ ଜାତୀୟ ସ୍ତରରେ ଏହା ୮୮.୦୭ ପ୍ରତିଶତ ଅଛି ।

ରାଜ୍ୟରେ ଟେଲି ସାନ୍ଧ୍ରତା ବୃଦ୍ଧି ଲାଗି ବିଟିଏସ୍‍ ସଂଖ୍ୟା ବୃଦ୍ଧି କରାଯାଇଛି । ୨୦୧୪ରେ ଏହି ସଂଖ୍ୟା ୧୬,୪୧୬ ଥିବାବେଳେ ଚଳିତବର୍ଷ ନଭେମ୍ବର ଶେଷସୁଦ୍ଧା ଟେଲିକମ୍‍ ସେବା ପ୍ରଦାନକାରୀ କମ୍ପାନୀମାନେ ଏହାକୁ ୬୯,୪୭୨କୁ ବୃଦ୍ଧି କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । (ତଥ୍ୟ)