Home Health ୩୯୩ ଡାକ୍ତରଖାନାରେ ଗରିବଙ୍କୁ ଚିକିତ୍ସା ସୁବିଧା

୩୯୩ ଡାକ୍ତରଖାନାରେ ଗରିବଙ୍କୁ ଚିକିତ୍ସା ସୁବିଧା

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ  ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରତିଶୃତି ଯୋଜନା ଉଲ୍ଲେଖନୀୟ ସଫଳତା ହାସଲ କରିଛି ।  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ  ସ୍ୱାସ୍ଥ୍ୟ  ସୋସାଇଟି  ପରିଚାଳନା ପରିଷଦ ବୈଠକର ସମୀକ୍ଷାରୁ ଏହା ଜଣାପଡିଛି ।

ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଯୋଜନା କାର୍ଯ୍ୟାନ୍ୱୟନ  ସମ୍ବନ୍ଧିତ  ପ୍ରଶାସନିକ  ଓ ବୈଷୟିକ ବିଷୟ ଆଲୋଚନା ପାଇଁ  ଉପସ୍ଥାପନ କରିଥିଲେ ।

କାର୍ଯ୍ୟାନ୍ୱୟନ  ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ସନ୍ତୋଷ ପ୍ରକାଶ କରିବା ସହ ବ୍ୟବସ୍ଥାକୁ ରୋଗୀମାନଙ୍କ ନିମନ୍ତେ ଅଧିକ ସହଜଲବ୍ଧ, ତୃଟିଶୂନ୍ୟ ଓ ଭରଷାଯୋଗ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ଶ୍ରୀ ମହାପାତ୍ର କହିଥିଲେ ଯେ  ଏହି ଯୋଜନା ଯୋଗୁ  ଆର୍ଥିକ ଦୁର୍ବଳ  ଶ୍ରେଣୀର ଲୋକମାନେ ଖର୍ଚ୍ଚବହୁଳ ଘରୋଇ ହସ୍ପିଟାଲ୍ ମାନଙ୍କରେ ବହୁ ଦୁଃସାଧ୍ୟ ଚିକିତ୍ସା ସୁବିଧା  ପାଇପାରୁଛନ୍ତି ।

ଯୋଜନାଟି ଅଧିକରୁ ଅଧିକ  ଲୋକପ୍ରିୟ  ହେଉଥିବାରୁ  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ରୋଗୀମାନଙ୍କ ପାଇଁ  ପ୍ରାଇଭେଟ୍ ହସ୍ପିଟାଲ୍ମାନେ ସ୍ୱତନ୍ତ୍ର ହେଲ୍ପ-ଡେକ୍ସ ବ୍ୟବସ୍ଥା କରିବା  ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।  ରାଜ୍ୟ ଭିତର  ଏବଂ ରାଜ୍ୟ ବାହାର ଘରୋଇ ହସ୍ପିଟାଲ୍ ମାନଙ୍କରୁ ଯୋଜନା ଅନ୍ତର୍ଗତ ଲୋକଙ୍କ ଚିକିତ୍ସା ବାବଦରେ  ଆସୁଥିବା ବିଲ୍ର ପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ  ମୁଖ୍ୟ ଶାସନ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।  ବିଲ୍ ପୈଠ ପ୍ରକ୍ରିୟା ସୁଗମ ଓ ବାଧାମୁକ୍ତ ହେଲେ ଲୋକମାନେ ସହଜରେ ଚିକିତ୍ସା ପାଇପାରିବେ ।  ରାଜ୍ୟ ବାହାରେ ଓଡ଼ିଆ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରି ଜାତୀୟ ସ୍ୱାସ୍ଥ୍ୟ  ମିଶନ ନିର୍ଦ୍ଦେଶକ ଓ ସୋସାଇଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତି ଶାଳିନୀ ପଣ୍ଡିତ୍ କହିଥିଲେ ଯେ  ରାଜ୍ୟର ସମୁଦାୟ ୯୬.୫ ଲକ୍ଷ ପରିବାରଙ୍କୁ  ଏହି ଯୋଜନାରେ ସାମିଲ ପାଇଁ ଚିହ୍ନଟ କରାଯାଇଛି ।  ଏବେ ସୁଦ୍ଧା  ସେମାନଙ୍କ ମଧ୍ୟରୁ ପ୍ରାୟ  ୯୮ ପ୍ରତିଶତ ପରିବାରଙ୍କୁ ସ୍ମାର୍ଟ-କାର୍ଡ ବଣ୍ଟନ ସରିଛି । ଅବଶିଷ୍ଟ ପରିବାରଙ୍କୁ ଅଭିଯାନ ଭିତ୍ତିରେ  କାର୍ଡ ବଣ୍ଟନ କରାଯାଉଛି । କାର୍ଡ ପାଇ ନଥିବା ଯୋଗ୍ୟ ବିବେଚିତ  ପରିବାରର ସଦସ୍ୟମାନେ ମଧ୍ୟ ନିଜର ଖାଦ୍ୟ ସୁରକ୍ଷା କାର୍ଡ  ମାଧ୍ୟମରେ ଚିକିତ୍ସା ସୁବିଧା ପାଇପାରୁଛନ୍ତି ।

ଶ୍ରୀମତି ପଣ୍ଡିତ୍ ଆହୁରି ମଧ୍ୟ  ଜଣାଇଥିଲେ ଯେ ବର୍ତ୍ତମାନ ସୁଦ୍ଧା  ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୨୮ ଟି  ଏବଂ ୧୫ ଟି ବାହାର ରାଜ୍ୟରୁ ୬୫ ଟି  ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ୍କୁ  ଯୋଜନାରେ ତାଲିକାଭୁକ୍ତ   କରାଯାଇଛି ।  ଏମାନଙ୍କ ମଧ୍ୟରେ ପ୍ରମୁଖ ହସ୍ପିଟାଲ୍ ହେଉଛନ୍ତି ଟାଟା ମେମୋରିଆଲ୍ ହସ୍ପିଟାଲ୍, ମୁମ୍ବାଇ ଓ କୋଲକତା; ସି.ଏମ୍.ସି. ଭେଲୋର; ନାରାୟଣ ହୃଦୟାଳୟ ହସ୍ପିଟାଲ୍ ଗ୍ରୁପ୍; ଶଙ୍କରା-କ୍ୟାନ୍ସର ହସ୍ପିଟାଲ ଗ୍ରୁପ୍; ଆପୋଲୋ, ବିଶାଖାପାଟଣା; କେଆର,ବିଶାଖାପାଟଣା; ସେଭେନ୍ ହିଲ୍, ବିଶାଖାପାଟଣା; ମହାତ୍ମାଗାନ୍ଧି କ୍ୟାନ୍ସର ପ୍ରତିଷ୍ଠାନ, ବିଶାଖାପାଟଣା; ଏବଂ ପୋର୍ଟିସ୍ ହେଲ୍ଥ୍ କେୟାର ଅନ୍ତର୍ଗତ ବିଭିନ୍ନ ରାଜ୍ୟରେ ଥିବା ହସ୍ପିଟାଲ୍ । ରାଜ୍ୟ ଭିତରେ  ଥିବା ସମ୍, କିମ୍ସ୍, ଆପୋଲୋ, ହାଇଟେକ୍, ସଦଗୁରୁ, ସାଇ ଶାନ୍ତି, ଜୟପ୍ରକାଶ ହସ୍ପିଟାଲ୍, ପଣ୍ଡା କ୍ୟାନ୍ସର ସେଣ୍ଟର, ଭୋମିକା ହସ୍ପିଟାଲ୍, ସର୍ବେଶ୍ୱର ମେମୋରିଆଲ୍ ହସ୍ପିଟାଲ୍ ଆଦି  ୩୨୮ ଟି ଘରୋଇ ହସ୍ପିଟାଲ୍ରେ ଲୋକମାନେ ଚିକିତ୍ସା ପାଇପାରୁଛନ୍ତି ।  ଏହାଛଡା ସମସ୍ତ  ସରକାରୀ ହସ୍ପିଟାଲରେ  ମଧ୍ୟ  ମାଗଣାରେ ଚିକିତ୍ସା ଓ ଓୗଷଧ ଦିଆଯାଉଛି । ପ୍ରାୟ ୧୫୯୨ ଟି ଗ୍ରୁପ୍ ଅନ୍ତର୍ଗତ ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ବିଜୁ ସ୍ୱାସ୍ଥ୍ୟ  କଲ୍ୟାଣ ଯୋଜନା ମାଧ୍ୟମରେ ବ୍ୟବସ୍ଥା କରାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ମାସିକ ହାରାହାରି ୪୦ ହଜାର ରୋଗୀ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ୍ମାନଙ୍କରେ ଦେୟ-ମୁକ୍ତ ଚିକିତ୍ସା ପାଉଛନ୍ତି ।  ସେମାନଙ୍କ ଚିକିତ୍ସା ବାବଦକୁ  ସରକାର ମାସିକ  ହାରାହାରି ୯୦ କୋଟି ଟଙ୍କା ଏହି ହସ୍ପିଟାଲ୍ମାନଙ୍କୁ ପୈଠ କରୁଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ  ସମୁଦାୟ ୧,୯୭,୩୫୫ ଜଣ ରୋଗୀଙ୍କ ଚିକିତ୍ସା ପାଇଁ  ରାଜ୍ୟ ସରକାର ୩୮୪ କୋଟି ଟଙ୍କା  ଦେୟ ପୈଠ କରିଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ରାଜ କୁମାର ଶର୍ମା, ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରମୁଖ ଶାସନ ସଚିବ ଶ୍ରୀ  ଅଶୋକ କୁମାର ମୀନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ    ବିଶାଳ କୁମାର ଦେବ, ମହିଳା ଓ ଶିଶୁ କଳ୍ୟାଣ ବିଭାଗ  ଶାସନ ସଚିବ ଭାଷ୍କରଜ୍ୟୋତି ଶର୍ମା, ମିଶନ ନିର୍ଦ୍ଦେଶକ  ଶାଳିନୀ ପଣ୍ଡିତ ସମେତ ପରିଚାଳନା ପରିଷଦର ବରିଷ୍ଠ ସଦସ୍ୟ ଓ ସଂପୃକ୍ତ ବିଭାଗର ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।