Home Mining ୩୫୪ ପ୍ରତିଶତ ଅଧିକ ଖଣି ରାଜସ୍ୱ ସଂଗ୍ରହ

୩୫୪ ପ୍ରତିଶତ ଅଧିକ ଖଣି ରାଜସ୍ୱ ସଂଗ୍ରହ

ଭୁବନେଶ୍ୱର : ଓଡିଶା ସରକାରଙ୍କ ରାଜସ୍ୱ ଆଦାୟର ପ୍ରମୁଖ ଉତ୍ସ ପାଲଟିଥିବା ଖଣି କ୍ଷେତ୍ରରୁ ବଜେଟ୍‍ ଆକଳନର ୩୫୪ ପ୍ରତିଶତ ଅଧିକ ରାଜସ୍ୱ ମିଳିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏହି କ୍ଷେତ୍ରରୁ ୧୩,୭୦୦ କୋଟି ଟଙ୍କାର ରାଜସ୍ୱ ପାଇବାର ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ରାଜକୋଷକୁ ଆସିଛି ୪୮,୪୯୦କୋଟି ଟଙ୍କା, ଯାହା କି ଏକ ବିରଳ ରେକର୍ଡ ।

୨୦୨୦-୨୧ ବର୍ଷରେ ରାଜ୍ୟ ସରକାର ଖଣିଜ କ୍ଷେତ୍ରରୁ ମାତ୍ର ୧୩,୭୯୧ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଥିଲେ । ତାହାକୁ ଦୃଷ୍ଟିରେ ରଖି ୨୦୨୧-୨୨ ବର୍ଷରେ ୧୩,୭୦୦ କୋଟି ଟଙ୍କାର ରାଜସ୍ୱ ଧାର୍ଯ୍ୟ ହୋଇଥିଲା । ତେବେ ଆର୍ଥିକବର୍ଷ ଶେଷରେ ହୋଇଥିବା ହିସାବ ଅନୁଯାୟୀ ମିଳିଛି ମୋଟ୍‍ ୪୮,୪୮୯.୯୮ କୋଟି ଟଙ୍କା । ରାଜ୍ୟରେ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାପାଇଁ ଏହା ବଡ ସହାୟକ ହେବ ବୋଲି ଅଧିକାରୀମାନେ ବିଚାରୁଛନ୍ତି ।

୨୦୧୯-୨୦ ବର୍ଷରେ ଖଣିଜ କ୍ଷେତ୍ରରୁ ସରକାର ୧୧,୦୨୦ କୋଟି ଟଙ୍କା ରାଜସ୍ୱ ପାଇଥିବାବେଳେ ୨୦୨୦-୨୧ ବର୍ଷରେ ୧୩,୦୦୦ କୋଟି ପାଇବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ତେବେ ୨୦୨୧-୨୨ ବର୍ଷରେ ଖଣିଜ ରାଜସ୍ୱ ଆଦାୟ ପରିମାଣ ଲଗାତାର ବୃଦ୍ଧି ପାଇବା ସହିତ ପୂର୍ବ ଆର୍ଥିକବର୍ଷ ତୁଳନାରେ ଏହା ୨୫୧.୫୯ ପ୍ରତିଶତ ଅଧିକ ଆଦାୟ ହୋଇପାରିଛି । ଆର୍ଥିକ ବର୍ଷର ଶେଷ ମାସ ଅର୍ଥାତ୍‍ ମାର୍ଚ୍ଚ ମାସରେ ସର୍ବାଧିକ ୭୮୯୨.୬୩କୋଟି ଟଙ୍କାର ଖଣିଜ ରାଜସ୍ୱ ଆଦାୟ ହୋଇଛି ।

ଆର୍ନ୍ତଜାତିକ ବଜାରରେ ଖଣିଜ ସାମଗ୍ରୀର ଦର ବୃଦ୍ଧି ସହିତ ରାଜ୍ୟ ସରକାର ଖଣି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ଫଳରେ ଏଭଳି ସଫଳତା ମିଳିପାରିଛି । ରାଜ୍ୟ ସରକାରଙ୍କ ଏଭଳି ସଂସ୍କାରମୂଳକ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ରାଜ୍ୟରେ ବ୍ୟାପକ ଶିଳ୍ପାୟନ ସହିତ ପ୍ରାକୃତିକ ସମ୍ପଦର ନିରନ୍ତର ବ୍ୟବହାର ଯୋଗୁଁ ରାଜ୍ୟ ଅର୍ଥନୀତିରେ ଏକ ବଡ ପରିବର୍ତ୍ତନ ଆସିପାରିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ରାଜ୍ୟ ଶିଳ୍ପ ମଧ୍ୟରେ ଖଣି ଏବଂ ଖଣିଜ ସମ୍ପଦର ମୋଟ୍‍ ଅଂଶ ହେଉଛି ଏକ ପଞ୍ଚମାଂଶ । ତେଣୁ ଏହା ଖଣିଜ ଶିଳ୍ପ କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଘଟାଇଛି ବୋଲି ସେ କହିଛନ୍ତି ।

ଓଡିଶାରେ ଦେଶର ୯୬ ପ୍ରତିଶତ କ୍ରୋମାଇଟ୍‍, ୯୨ ପ୍ରତିଶତ ନିକେଲ, ୫୧ ପ୍ରତିଶତ ବକ୍ସାଇଟ୍‍, ୩୩ ପ୍ରତିଶତ ଲୁହାପଥର , ୪୩ ପ୍ରତିଶତ ମାଙ୍ଗାନିଜ୍‍ ଏବଂ ୨୪ ପ୍ରତିଶତ କୋଇଲା ମହଜୁଦ ରହିଛି । ଓଡିଶା ଦେଶର ସର୍ବାଧିକ ଷ୍ଟିଲ୍‍ ଏବଂ ଷ୍ଟେନ୍‍ଲେସ୍‍-ଷ୍ଟିଲ୍‍ ଉତ୍ପାଦନକାରୀ ରାଜ୍ୟ ହୋଇଥିବା ଏଠାରେ ବାର୍ଷିକ ୨୫.୨୭ ମେଟ୍ରିକ ଟନ୍‍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ରହିଛି ଏବଂ ଗତ ୫ବର୍ଷ ମଧ୍ୟରେ ଏଥିରେ ୨୦ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଖଣିଜ କ୍ଷେତ୍ରରେ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ସମେତ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ସୁଯୋଗ ମିଳୁଛି । ୨୦୨୦-୨୧ ଶେଷ ସୁଦ୍ଧା ପାଖପାଖି ୬୧,୪୦୦ ବ୍ୟକ୍ତି ସିଧାସଳଖ ଭାବେ ଖଣିଜ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି । କୋଇଲା ଖଣିରେ ସିଧାସଳଖ ପ୍ରାୟ ୨୧,୮୯୦ ନିଯୁକ୍ତି ପାଇଥିବାବେଳେ ଲୁହାପଥର ଖଣିରେ ୨୧,୬୭୦, କ୍ରୋମାଇଟ୍‍ରେ ୭୬୯୦ ଏବଂ ମାଙ୍ଗାନିଜ ଖଣିରେ ୩୯୦୦ ଜଣ ନିଯୁକ୍ତି ପାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି । (ତଥ୍ୟ)