Home Health ୩ଲକ୍ଷ ୨୯ହଜାର ଟପିବ କରୋନା

୩ଲକ୍ଷ ୨୯ହଜାର ଟପିବ କରୋନା

157
0
Covid-19

ଭୁବନେଶ୍ୱର : ଓଡିଶାରେ କରୋନାର ଗତି ମନ୍ଥର ହୋଇଥିଲେ ମଧ୍ୟ ଚଳିତମାସ ଶେଷ ବେଳକୁ ଏହା ୩ଲକ୍ଷ ୨୯ହଜାର ଟପିଯିବାର ଆକଳନ କରାଯାଉଛି । ସେହିଭଳି କରୋନାରୁ ଆରୋଗ୍ୟହାର ମଧ୍ୟ ୩ଲକ୍ଷ ୨୪ହଜାରକୁ ଟପିବ । ସଂକ୍ରମଣ ତୁଳନାରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବାରୁ ଡିସେମ୍ବର ୩୧ ବେଳକୁ ସକ୍ରିୟ ରୋଗୀ ସଂଖ୍ୟା ସାଢେ ତିନି ହଜାର ଭିତରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ଗୋଟିଏ ଦିନରେ ସର୍ବାଧିକ ୪୩୫୬ ଛୁଇଁବା ପରେ ହ୍ରାସ ପାଇ ଏବେ ଦୈନିକ ଚାରିଶହ ତଳେ ରହିଛି । କରୋନାର ସଂକ୍ରମଣ ଗତି ଅତି ମନ୍ଥର ରହିଥିଲେ ବି ଏହା ଧିରେ ଧିରେ ଆଗକୁ ବଢୁଛି । ତେବେ ଡିସେମ୍ବର ୩୧ ତାରିଖରେ ଏହା ୩,୨୯,୭୩୧ରେ ପହଞ୍ଚିଯିବ ବୋଲି ଆକଳନ ହୋଇଛି । ସେହିଭଳି କରୋନା ମୁକ୍ତଙ୍କ ସଂଖ୍ୟା ୩,୨୪,୧୦୧ ଓ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୪୫୮ ରହିବ ବୋଲି ପୂର୍ବାନୁମାନ ହୋଇଛି ।

ଓଡିଶାରେ କରୋନା ରୋଗୀଙ୍କ ସୁସ୍ଥ ହାର ସର୍ବଭାରତୀୟ ସ୍ତର ଠାରୁ ଅଧିକ ରହିଛି । ଆନ୍ଧ୍ରପ୍ରଦେଶରେ କରୋନା ରୋଗୀଙ୍କ ସୁସ୍ଥହାର ସର୍ବାଧିକ ୯୮.୫୭ ପ୍ରତିଶତ ରହିଥିବାବେଳେ ୯୮.୫୨ ସୁସ୍ଥହାର ସହିତ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ଜାତୀୟ ସ୍ତରରେ ସୁସ୍ଥହାର ଏବେ ୯୪.୬୫ ପ୍ରତିଶତ ରହିଛି । ହିମାଚଳପ୍ରଦେଶରେ ସବୁଠାରୁ କମ୍‍ ୮୧.୯୦ ପ୍ରତିଶତ ରହିଛି କରୋନା ସୁସ୍ଥ ହାର ।

ରାଜ୍ୟରେ କରୋନା ସୁସ୍ଥହାର ସଂଖ୍ୟା ଅଧିକ ରହିବାର କାରଣ ଅଧିକରୁ ଅଧିକ ସଂଖ୍ୟାରେ କରୋନା ପରୀକ୍ଷା, ରୋଗୀଙ୍କ ନିକଟରେ ତ୍ୱରିତ ଔଷଧ ପହଞ୍ଚାଇବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଣ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ପରୀକ୍ଷା ୬୩ଲକ୍ଷ ୭୮ହଜାରକୁ ଟପିଯାଇଛି । କରୋନା ପରୀକ୍ଷା କ୍ଷେତ୍ରରେ ମଧ୍ୟ ଓଡିଶା ଜାତୀୟ ହାର ଠାରୁ ବହୁ ଆଗରେ ରହିଛି । ସର୍ବଭାରତୀୟ ସ୍ତରରେ ପ୍ରତି ଏକ ନିୟୁତ ଜନସଂଖ୍ୟାରେ ୧,୧୧,୭୧୯ ନମୂନା ପରୀକ୍ଷା ହେଉଥିବାବେଳେ ଓଡିଶାରେ ଏହି ସଂଖ୍ୟା ୧,୪୨,୭୪୩ ରହିଛି । ରାଜ୍ୟକୁ ୫୪ଲକ୍ଷ ୭୦ହଜାର ଆଣ୍ଟିଜେନ ପରୀକ୍ଷା କିଟ୍‍ ଆସିଥିବାବେଳେ ୨୪ଟି ଲାବ୍‍ରେ ଆରଟି-ପିସିଆର ଏବଂ ୩୨ଟି ଲ୍ୟାବରେ ଟ୍ରୁ-ନାଟ/ସିବି-ନାଟ୍‍ ପରୀକ୍ଷା ହେଉଛି ।

ଓଡିଶାରେ କରୋନା ମୃତ୍ୟୁସଂଖ୍ୟାରେ ଏକ ପ୍ରକାର ବ୍ରେକ୍‍ ଲାଗିଛି । ଯଦିଓ ମୃତ୍ୟୁସଂଖ୍ୟା ୧୮୦୭ ଛୁଇଁଛି ତେବେ ଦୈନିକ ମୃତକଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି । ଜାତୀୟ ସ୍ତରରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ୧.୪୫ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୦.୫୫ ପ୍ରତିଶତ ରହିଛି । ତେବେ ଏ କ୍ଷେତ୍ରରେ ପଞ୍ଜାବ ସବୁଠାରୁ ଆଗରେ ରହିଛି । ଏଠାରେ ମୃତ୍ୟୁହାର ସର୍ବାଧିକ ୩.୧୬ ପ୍ରତିଶତ ରେକର୍ଡ କରାଯାଇଛି । ମୃତ୍ୟୁହାର କ୍ଷେତ୍ରରେ ଓଡିଶାର ସ୍ଥାନ ରାଜ୍ୟଗୁଡିକ ମଧ୍ୟରେ ୨୮ତମ ରହିଛି ।

LEAVE A REPLY

Please enter your comment!
Please enter your name here